ଛେଳି ପଲ ସହ ଗାଁକୁ ଚାଲିଆସିଲା ହରିଣ ଛୁଆ

ବେଲଘର ବଜାରରୁ ଉଦ୍ଧାର କଲା ବନ ବିଭାଗ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡ଼ାଯିବ

ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବଜାରରୁ ଏକ ହରିଣ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ। ଜଙ୍ଗଲରୁ ଛେଳି ପଲ ସହ ଗାଁ ଭିତରକୁ ଚାଲିଆସିଥିବା ଏହି ହରିଣ ଛୁଆକୁ ଦେଖି ଅଞ୍ଚଳବାସୀ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ଅନୁଯାୟୀ, ନିକଟସ୍ଥ ଜଙ୍ଗଲକୁ ଛେଳି ପଲ ଚରିବାକୁ ଯାଇଥିଲା । ଗତକାଲି ଛେଳି ପଲ ଫେରିବା ସମୟରେ ଏକ ହରିଣ ଛୁଆ ମଧ୍ୟ ସେମାନଙ୍କ ସହ ବେଲଘର ଗାଁକୁ ଚାଲିଆସିଥିଲା ।

ବଜାର ଅଞ୍ଚଳରେ ହରିଣ ଛୁଆଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଜଣାଇଥିଲେ l ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହରିଣ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ହେପାଜତରେ ରଖିଛନ୍ତି । ଏବେ ତା’ର ଯତ୍ନ ନିଆଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିଲେ ଏବଂ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ହରିଣ ଛୁଆଟିକୁ ପୁଣି ନିରାପଦ ଜଙ୍ଗଲ ପରିବେଶରେ ଛାଡ଼ି ଦିଆଯିବ ବୋଲି ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ମେହେର ସୂଚନା ଦେଇଛନ୍ତି ।

Exit mobile version