ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ


ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ସ୍ୱୟଂଶାସିତ), ଭୁବନେଶ୍ୱର ପକ୍ଷରୁ ‘ଉତ୍କର୍ଷ ୨.୦ – ଇଣ୍ଡଷ୍ଟ୍ରି କନକ୍ଲେଭ୍: ଭବିଷ୍ୟତ ପାଇଁ ପ୍ରସ୍ତୁତ ପେଶାଦାରମାନଙ୍କର ଦୁଇଦିନିଆ ଶିଳ୍ପ ସମ୍ମିଳନୀ ୨୫ ଓ ୨୬ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ହୋଇଛି । ‘ଶିକ୍ଷାରୁ ନେତୃତ୍ୱ ପର୍ଯ୍ୟନ୍ତ’ ମୁଖ୍ୟ ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା, ଶିଳ୍ପ ଓ ପରିଚାଳନାଗତ ଦକ୍ଷତା ମଧ୍ୟରେ ସମନ୍ୱୟ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି କନକ୍ଲେଭ୍‌ର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନର ଶିଳ୍ପଜଗତର ଆବଶ୍ୟକତା, ନୂତନ ପ୍ରଯୁକ୍ତି, ନେତୃତ୍ୱ, ମାନବ ସମ୍ବଳ ପରିଚାଳନା, ଅର୍ଥବ୍ୟବସ୍ଥା ଓ ବଜାର ପରିଚାଳନା ସମ୍ପର୍କରେ ପ୍ରାକ୍ଟିକାଲ୍ ଜ୍ଞାନ ପ୍ରଦାନ କରିବା ।

ଏଥିସହ ଶିଳ୍ପ ବିଶେଷଜ୍ଞ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସିଧାସଳଖ ଆଲୋଚନାର ସୁଯୋଗ ସୃଷ୍ଟି କରି ପେଶାଦାର ଜୀବନ ପାଇଁ ଆବଶ୍ୟକ ଦକ୍ଷତା ଓ ଦୃଷ୍ଟିକୋଣ ବିକାଶ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମର ପ୍ରଥମ ଦିନ ଅର୍ଥବ୍ୟବସ୍ଥା ଓ ମାନବ ସମ୍ବଳ ସମ୍ପର୍କିତ ଦୁଇଟି ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନର ବିଷୟ ଥିଲା ଫାଇନାନ୍ସ ଫରୱାର୍ଡ: ରି-ଇମାଜିନିଂ ଫାଇନାନ୍ସ ଫର୍ ଏ ଡିଜିଟାଲ୍, ସଷ୍ଟେନେବଲ୍ ଆଣ୍ଡ୍ ରେଜିଲିଏଣ୍ଟ୍ ଫ୍ୟୁଚର୍।ଦ୍ୱିତୀୟ ଅଧିବେଶନରେ “ଲିଡର୍ସିପ୍ ନେକ୍ଷ୍ଟ: ଡେଭେଲପିଂ ହ୍ୟୁମାନ୍ କ୍ୟାପିଟାଲ୍ ଫର୍ ଦ ଫ୍ୟୁଚର୍ ୱର୍କପ୍ଲେସ୍” ବିଷୟ ଉପରେ ଆଲୋଚନା ହୋଇଥିଲା ।

ଏହାପରେ ମାର୍କେଟିଂ ଓ ଆଇଟି କ୍ଷେତ୍ରକୁ ନେଇ ଦୁଇଟି ବିଶେଷ ପ୍ୟାନେଲ୍ ଆଲୋଚନା ହୋଇଥିଲା। ମାର୍କେଟିଂ ପ୍ୟାନେଲରେ ମାର୍କେଟ୍ ସ୍ଫିୟର୍: ରିଇମାଜିନିଂ କଷ୍ଟମର୍ ଏନ୍ଗେଜମେଣ୍ଟ୍ ଇନ୍ ଦ ଡିଜିଟାଲ୍ ଏଜ୍ ଏବଂ ଆଇଟି ପ୍ୟାନେଲରେ ଟେକ୍ ଫ୍ରଣ୍ଟିୟର୍: ଇମର୍ଜିଂ ଟେକ୍ନୋଲୋଜିଜ୍ ସେପିଂ ଟୁମରୋ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ଦୁଇଦିନିଆ ସମ୍ମିଳନୀରେ ଦେଶର ଖ୍ୟାତନାମା କମ୍ପାନୀର ଫାଇନାନ୍ସ, ମାନବସମ୍ବଳ, ମାର୍କେଟିଂ ଏବଂ ଆଇଟି ବିଭାଗର ମୁଖ୍ୟମାନେ ଯୋଗଦେଇଥିଲେ

କନକ୍ଲେଭ୍‌ର ପ୍ରତ୍ୟେକ ଅଧିବେଶନରେ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି, ବିଶେଷଜ୍ଞ ପ୍ୟାନେଲ୍ ଆଲୋଚନା, ମୁକ୍ତ ଆଲୋଚନା ଏବଂ ମୁଖ୍ୟ ନିଷ୍କର୍ଷର ସାରାଂଶ ପ୍ରସ୍ତୁତି ରହିଥିଲା । ଛାତ୍ର ପ୍ରସ୍ତୁତକାରୀମାନଙ୍କୁ ପ୍ରମାଣପତ୍ର ଏବଂ ପ୍ୟାନେଲିଷ୍ଟ ଓ ଅତିଥିମାନଙ୍କୁ ମେମେଣ୍ଟୋ ପ୍ରଦାନ କରାଯାଇଥିଲା । ସୃଷ୍ଟି ଏକାଡେମୀର ଉପ-ନିର୍ଦ୍ଦେଶିକା ରଣନୀତି ଶ୍ରୀମତୀ ନମ୍ରତା ସାହୁ ନିଜର ମତାମତ ପ୍ରଦାନ କରି କହିଥିଲେ ଯେ, ଏଭଳି ଶିଳ୍ପ-ଶିକ୍ଷା ସମନ୍ୱିତ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ବାସ୍ତବ ଶିଳ୍ପଜଗତର ଆବଶ୍ୟକତା ବୁଝିବା ସହିତ ନିଜର ପରିଚାଳନାଗତ ଦକ୍ଷତା ବିକାଶ କରିବାରେ ସହାୟକ ହେବ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ଦାଶ, ଡିନ୍ ପ୍ଲେସମେଣ୍ଟ ପ୍ରଫେସର ଗଙ୍ଗାଧର ମିଶ୍ର, ଉପାଧ୍ୟକ୍ଷା ପ୍ରଫେସର ପ୍ରଜ୍ଞାପରମିତା ସାରଙ୍ଗୀ, ପ୍ରଫେସର ଜାକି ସମୀର ଖାନ୍, ପ୍ରଫେସର ଭବାନୀ ମଲ୍ଲିଆ, ଅଧ୍ୟାପିକା କଲ୍ୟାଣୀ ସେନାପତି, ଶ୍ରୀକାନ୍ତ ବିଶ୍ୱାଳ, ଆଲୋକ କୁମାର ଏବଂ ଦୀପ୍ତିମୟୀ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ । ଶିଳ୍ପଜଗତରୁ ଆସିଥିବା ସମସ୍ତ ଅତିଥି ଓ ବିଶେଷଜ୍ଞମାନଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଇଞ୍ଜିନିୟର ସରୋଜ କୁମାର ସାହୁ ନିଜର ଶୁଭେଚ୍ଛା ଓ କୃତଜ୍ଞତା ପ୍ରଦାନ କରିଥିଲେ ।

ସୃଷ୍ଟି ଏକାଡେମୀର ଏଭଳି ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟକ୍ରମଭିତ୍ତିକ ଜ୍ଞାନ ନୁହେଁ, ବରଂ ଶିଳ୍ପର ବାସ୍ତବ ଆବଶ୍ୟକତା, ବ୍ୟବସାୟିକ ଚିନ୍ତାଧାରା, ନେତୃତ୍ୱ ଦକ୍ଷତା, ଡିଜିଟାଲ୍ ଦକ୍ଷତା ଓ ଭବିଷ୍ୟତର କାର୍ଯ୍ୟସ୍ଥଳ ପାଇଁ ଆବଶ୍ୟକ ପେଶାଦାର ଦୃଷ୍ଟିକୋଣ ହାସଲ କରିବାରେ ସହାୟକ ହେବ । ‘ଶିକ୍ଷାରୁ ନେତୃତ୍ୱ ପର୍ଯ୍ୟନ୍ତ’ ଯାତ୍ରାକୁ ସାର୍ଥକ କରିବା ଦିଗରେ ‘ଉତ୍କର୍ଷ ୨.୦’ ଏକ ଶିକ୍ଷା-ଶିଳ୍ପ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହୋଇଛି ।

Exit mobile version