କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କନ୍ଧମାଳ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗଞ୍ଜାମ-କନ୍ଧମାଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଏବେ ଭୂସ୍ଖଳନର ଗୁରୁତର ଝୁମ୍ପରେ । ଗତ କିଛିଦିନ ମଧ୍ୟରେ ଘାଟିରେ ଦୁଇ ଦୁଇଥର ଭୂସ୍ଖଳନ ହେବା ପରେ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଗଞ୍ଜାମ ସମେତ ବ୍ରହ୍ମପୁର ଓ ଅନ୍ୟ ଜିଲ୍ଲା ସହ କନ୍ଧମାଳର ସିଧାସଳଖ ଯୋଗାଯୋଗ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଚାରିଦିନ ଧରି କଳିଙ୍ଗା ଘାଟି ସିଲ୍ ରହିଥିବାରୁ ଘାଟି କେବେ ଖୋଲିବ, ତାହାକୁ ନେଇ ଯାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅନିଶ୍ଚିତତା ଲାଗିରହିଛି ।

ଏଭଳି ସ୍ଥିତିରେ ଘାଟିର ଭୂସ୍ଖଳନ ସ୍ଥାନଗୁଡ଼ିକର ତୁରନ୍ତ ମରାମତି ସହ ଏକ ସ୍ଥାୟୀ ବିକଳ୍ପ ରାସ୍ତା ନିର୍ମାଣ ନେଇ ସରକାରୀ ଓ ରାଜନୈତିକ ସ୍ତରରେ ତତ୍ପରତା ଆରମ୍ଭ ହୋଇଛି। ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜି.ଉଦୟଗିରି ଓ ଭଞ୍ଜନଗର ପ୍ରଶାସନିକ ଅଧିକାରୀ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀଙ୍କ ସହ କଳିଙ୍ଗା ଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀ ଓ ଅଧିକାରୀମାନେ ପାଦରେ ଚାଲି ଭୂସ୍ଖଳନର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ରାସ୍ତାର ବର୍ତ୍ତମାନ ସ୍ଥିତି ଯାଞ୍ଚ କରିଥିଲେ ।

ବିଶେଷକରି ଭାଲିଆପଟା ରାସ୍ତା ଦେଇ ବିକଳ୍ପ ଯୋଗାଯୋଗ ପଥ ନିର୍ମାଣ କରିବାର ସମ୍ଭାବନା ନେଇ ଅଧିକାରୀମାନେ ସ୍ଥିତି ପରଖିଥିଲେ । ଯଥାଶୀଘ୍ର ବିକଳ୍ପ ରାସ୍ତା ନିର୍ମାଣ ସହ ଭୂସ୍ଖଳନ ଯୋଗୁଁ କ୍ଷତିଗ୍ରସ୍ତ ଅଂଶର ମରାମତି କରି ଯାତାୟାତ ସ୍ୱାଭାବିକ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି । ବର୍ତ୍ତମାନ କଳିଙ୍ଗା ଘାଟି ବନ୍ଦ ଥିବାରୁ କନ୍ଧମାଳ ପଟୁ ବ୍ରହ୍ମପୁର ଯିବା ପାଇଁ ଚକାପାଦ ଓ ଗ୍ୟାଲେରୀ ରାସ୍ତା ବ୍ୟବହାର କରାଯାଉଛି । ଏହି ବିକଳ୍ପ ରାସ୍ତା ମଧ୍ୟ ଅନେକ ସ୍ଥାନରେ ଅନୁପଯୁକ୍ତ ଥିବା ବେଳେ ପୂର୍ବପେକ୍ଷା ପ୍ରାୟ ୬୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବାକୁ ପଡ଼ୁଛି ।

ଫଳରେ ଯାତ୍ରୀବାହୀ ବସ୍‌ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଜରୁରୀ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି। ଅନ୍ୟପକ୍ଷରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘାଟିର ସ୍ଥିତି ସମୀକ୍ଷା କରିବା ସହ ଯଥାଶୀଘ୍ର ରାସ୍ତା ନିର୍ମାଣ ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଦାବି କରିଛନ୍ତି । କଳିଙ୍ଗା ଘାଟିରେ କେଉଁଠି ପାହାଡ଼ରୁ ଅତଡ଼ା ଖସି ଗାର୍ଡୱାଲ୍ ଭାଙ୍ଗିଛି, ତ ଆଉ କେଉଁଠି ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି । ବର୍ଷା ଜାରି ରହିଲେ ପୁଣି ଭୂସ୍ଖଳନ ଆଶଙ୍କା ଥିବାରୁ କେବଳ ଅସ୍ଥାୟୀ ମରାମତି ନୁହେଁ, କଳିଙ୍ଗା ଘାଟିର ଦୀର୍ଘମିଆଦୀ ସୁରକ୍ଷା ଓ ବିକଳ୍ପ ଯୋଗାଯୋଗ ପଥ ନେଇ ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି ।

Exit mobile version