ଆଗାମୀ ପାର୍ବଣ ଲାଗି ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ହିରୋଇନ୍ ଜବତ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଆଗାମୀ ପାର୍ବଣ ଲାଗି କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚୋରା ନିଶା ବେପାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ଏବଂ ଚୋରା ନିଶା କାରବାରକୁ ରୋକିବା ପାଇଁ ବ୍ୟାପକ ଚଢାଉ ଜାରି ରହିଛି। ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଥିବା କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚୋରା ହିରୋଇନ୍ ଚାଲାଣର ଖବର ପାଇ ତୁରନ୍ତ ପଦକ୍ଷେପ ନେବାକୁ ନିଜ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମା ଙ୍କ ନେତୃତ୍ୱରେ ଏକ ଦଳ ଜଗତପୁର ଥାନା ଅଧୀନରେ ଥିବା ଖଇରା ପୋଲ ନିକଟସ୍ଥ ଇପିକଲ୍ ଛକ ନିକଟରୁ ୨ ଜଣ ଚୋରା ହିରୋଇନ୍ ବେପାରୀ କଟକ ମହାନଦୀ ବିହାରର ଶ୍ରୀ ରାଜେଶ ବେହେରା ଓ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଗାନ୍ଧୀପୁର ର ଜଗନ ସାମଲ କୁ ଗିରଫ କରିବା ସହ ବିକ୍ରି ପାଇଁ ମହଜୁଦ ଥିବା ଆନୁମାନିକ ୧୨ଲକ୍ଷ,୫୦ ହଜାର ଟଙ୍କା ମୂଲ୍ୟର ୧୧୫ ଗ୍ରାମ ହିରୋଇନ୍ ଜବତ କରିବା ସହ ଏହି ବ୍ୟବସାୟରେ ବ୍ୟବହୃତ ଏକ କଳାରଙ୍ଗର ଆପାଚି ମୋଟରସାଇକେଲ ଓ ୨ ଟି ମୋବାଇଲ ଫୋନ୍ ଜବତ କରିଛନ୍ତି ।

ସଂପୃକ୍ତ ଦୁଇ ଚୋରା ନିଶା ବେପାରୀଙ୍କୁ ଗିରଫ କରିବା ସହ ଓଡ଼ିଶା ଅବକାରୀ ଆଇନ ୧୯୮୫ ଧାରା ୨୧(ବି) ଏନ୍.ଡି.ପି.ଏସ୍ ଅନୁଯାୟୀ ଅବକାରୀ ଥାନାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏବଂ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢାଉ କାର୍ଯ୍ୟକ୍ରମରେ ନିରୀକ୍ଷକ ଶ୍ରୀ ବର୍ମାଙ୍କ ସହ ଭାରପ୍ରାପ୍ତ ଅବକାରୀ ଅଧିକାରୀ ଶ୍ରୀମତୀ ନିରୁପମା ସାହୁ, ସହକାରୀ ଉପ-ନିରୀକ୍ଷକ ଶ୍ରୀ ହରିହର ନାୟକ, ଅବକାରୀ କନେଷ୍ଟବଳ ଶ୍ରୀ ଦେବବ୍ରତ ଓଝା, ଶ୍ରୀ ଶଙ୍କର ସିଂ, ଶ୍ରୀ ଲକ୍ଷ୍ମଣ ବେହେରା ଓ ମହିଳା ଅବକାରୀ କନେଷ୍ଟବଳ ଶ୍ରୀମତୀ ପ୍ରିୟତମା ରଥ ସାମିଲ୍ ହେବାର ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ ଏହିପରି ଚଢାଉ ଜୋରଦାର କରାଯିବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତ୍ବିଓ୍ବାରୀ ପ୍ରକାଶ କରିଛନ୍ତି ।

Exit mobile version