ସିଆଇଆଇ ଓଡ଼ିଶା ମେଟାଲ୍ସ ଆଣ୍ଡ ମାଇନିଂ କନକ୍ଲେଭ୍ ୨୦୨୬ : ଭବିଷ୍ୟତ ପାଇଁ ଖଣି ଓ ଧାତୁ ଶିଳ୍ପର ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଭୁବନେଶ୍ୱରରେ “ସିଆଇଆଇ ଓଡ଼ିଶା ମେଟାଲ୍ସ ଆଣ୍ଡ ମାଇନିଂ କନକ୍ଲେଭ୍ ୨୦୨୬’ ଆୟୋଜିତ ହୋଇଯାଇଛି । ଏହାର ମୁଖ୍ୟ ବିଷୟବସ୍ତୁ – “ମେଟାଲ୍ସ ଆଣ୍ଡ ମାଇନିଂ: ବିକଶିତ ଓଡ଼ିଶାର ମୂଳଦୁଆ’ । ୨୫ ଏବଂ ୨୬ ସେପ୍େଟମ୍ବର ୨୦୨୬ ରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ, ଶିଳ୍ପପତି, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଶାର ଖଣି ଓ ଧାତୁ ଶିଳ୍ପର ଭବିଷ୍ୟତ ଉପରେ ଆଲୋଚନା କରିଥିଲେ ।

ଏହି ସମ୍ମିଳନୀରେ ମୂଲ୍ୟ ବୃଦ୍ଧି, ଉନ୍ନତ ଉତ୍ପାଦନ, ସବୁଜ ଓ ସ୍ଥାୟୀ ଖନନ, ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର, ପରିବେଶ ସୁରକ୍ଷା, ପୁନଃଚକ୍ରଣ, ପରିବହନ ବ୍ୟବସ୍ଥା, ନୂତନ ଉଦ୍ଭାବନ, ଷ୍ଟାର୍ଟଅପ୍‌, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଦକ୍ଷତା ବିକାଶ ଜରିଆରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଉଦ୍‌ଘାଟନୀ ଅଧିବେଶନରେ ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦକୁ କିପରି ସାରା ବିଶ୍ୱରେ ପ୍ରତିଯୋଗିତାମୂଳକ ଓ ସ୍ଥାୟୀ ଭାବେ ଗଢ଼ିତୋଳା ଯାଇପାରିବ, ସେବିଷୟରେ ଚର୍ଚ୍ଚା ହୋଇଥିଲା । ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତିଯେ, ଆମେ ଓଡ଼ିଶାରୁ ଯାହା ଖନନ କରୁଛୁ, ତାର ବ୍ୟବହାରକରି ରାଜ୍ୟ ଭିତରେ ହିଁ ଅଧିକରୁ ଅଧିକ ସାମଗ୍ରୀ ତିଆରି କରିବା ଦରକାର ।

ସେ ଜଣାଇଥିଲେ ଯେ ୧୫ଟି ଜିଲ୍ଲାରେ ପ୍ରାୟ ୨.୪୭ ଲକ୍ଷ କୋଟି ଟଙ୍କାର ୨୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି, ଯାହାଦ୍ୱାରା ୫୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।  ଏଥିରେ ସୁନ୍ଦରଗଡ଼ରେ ୧୪,୦୦୦ କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ ଓ ଆଲୁମିନିୟମ କ୍ଷେତ୍ରରେ ବଡ଼ ଧରଣର ନିବେଶ ଅନ୍ତର୍ଭୁକ୍ତ । ଏହା ସହିତ ସେ ଉତ୍ପାଦନର ମାନ ବୃଦ୍ଧି, ପୁନଃଚକ୍ରଣ, ସ୍ୱଚ୍ଛ ପରିବେଶ, ଡିଜିଟାଲ୍ କାର୍ୟ୍ୟ  ପଦ୍ଧତି ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଭାଗିତା ଉପରେ ଗୁରୁତ୍ୱ ଦେଇଥିଲେ ।

ଗୃହ, ସୂଚନା ଓ ଲୋକସମ୍ପର୍କ ତଥା ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା (ଆଇଏଏସ) କହିଛନ୍ତିଯେ, ଓଡ଼ିଶା କେବଳ ଖଣି ଉତୋଳନ କ୍ଷେତ୍ରରେ ସୀମିତ ନରହି ଭାରତ ତଥା ଦକ୍ଷିଣ ଏସିଆର ଧାତୁ ରାଜଧାନୀ ଭାବେ ଉଭା ହୋଇଛି । ଗତ ୨-୩ ବର୍ଷ ମଧ୍ୟରେ ପ୍ରାୟ ୨୦ଟି ନୂଆ ଖଣି କାର୍ଯ୍ୟକ୍ଷମ ହୋଇଛି ଏବଂ ଆଗାମୀ ଦିନରେ ଆହୁରି ୩୦ଟି ଖଣି ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ପରିବହନ ଏବଂ ବୈଷୟିକ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାର ଇସ୍ପାତ ଉତ୍ପାଦନ କ୍ଷମତା ୧୫୦ ରୁ ୧୮୦ ନିୟୁତ ଟନରେ ପଂହଚିବ ବୋଲି ଆଶା କରାଯାଉଛି ।

କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ର୍ୟୁଏବ ଫ୍ଲେମିଙ୍ଗ୍ କହିଥିଲେ ଯେ ଲିଥିୟମ୍‌, ଗ୍ରାଫାଇଟ୍‌, କୋବାଲ୍ଟ, ନିକେଲ୍ ଏବଂ ତମ୍ବା ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ବ୍ରିଟେନ୍ ନିଜର ଜ୍ଞାନକୌଶଳ, ନୂତନ ଉଦ୍ଭାବନ ଏବଂ ପୁଞ୍ଜି ନିବେଶ ମାଧ୍ୟମରେ ଭାରତ ସହିତ ଦୀର୍ଘମିଆଦୀ ସହଭାଗିତା ପାଇଁ ପ୍ରସ୍ତୁତ ଅଛି । ସିଆଇଆଇ ଓଡ଼ିଶା ରାଜ୍ୟ କାଉନସିଲର ଅଧ୍ୟକ୍ଷ ତଥା ଜେଏସଡବ୍ଲୁ ଷ୍ଟିଲ୍ ଲିମିଟେଡର ସଭାପତି, ଶ୍ରୀ ଅନିଲ କୁମାର ସିଂହ ମତ ଦେଇଥିଲେଯେ “କେବଳ ଖଣି ଖୋଳିବା ଯଥେଷ୍ଟ ନୁହେଁ ବରଂ ମୂଲ୍ୟ ବୃଦ୍ଧି, ଉନ୍ନତ ପ୍ରକ୍ରିୟାକରଣ,

ପୁନଃଚକ୍ରଣ ଏବଂ ପରିବେଶ-ଅନୁକୂଳ ଉନ୍ନତ ଜ୍ଞାନକୌଶଳ ଆପଣାଇବା ଉପରେ ଆମକୁ ଧ୍ୟାନ ଦେବାକୁ ହେବ ।” ଏହି ଅବସରରେ ସିଆଇଆଇ-ଆଇଟିସି ସେଂଟର ଅଫ୍ ଏକ୍ସିଲେନ୍ସ ପକ୍ଷରୁ ଦ ସାର୍ଥ (ସଷ୍ଠେନବୁଲ ଆକ୍ସନ ଆଲାଏନ୍ସ ଫର ରେସିଲଟେଂଟ ଟୁମୋରୋ) ନାମକ ଏକ ନୂଆ ପଦକ୍ଷେପ ଶୁଭାରମ୍ଭ କରାଯାଇଥିଲା, ଯାହାକୁ କେନ୍ଦ୍ରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଶିଖର ଜୈନ ଉପସ୍ଥାପନ କରିଥିଲେ । ଏହି କାର୍ୟ୍ୟ କ୍ରମରେ ଶ୍ରୀ ଅସିତ ତ୍ରିପାଠୀ, ଶ୍ରୀ ବିଭୁ ମିଶ୍ର, ଶ୍ରୀ ରୁଦ୍ର ରାୱଲ, ଶ୍ରୀ ଶଶୀଭୂଷଣ ଉପାଧ୍ୟାୟ, ଶ୍ରୀ ରାଜୀବ କୁମାର ଏବଂ ଶ୍ରୀ ଆଲେକ୍ସ ଥୋମାସ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଦୁଇ ଦିନ ମଧ୍ୟରେ ଧାତୁ ଶିଳ୍ପର ଭବିଷ୍ୟତ, ସବୁଜ ଖନନ, ସ୍ମାର୍ଟ ମାଇନିଂ, କୃତ୍ରିମ ବୁଦ୍ଧିମତ। । ଡିଜିଟାଲ୍ ରୂପାନ୍ତରଣ, ଲଜିଷ୍ଟିକ୍ସ ଓ ସପ୍ଲାଏ ଚେନ୍ ଏବଂ ଷ୍ଟାର୍ଟଅପ୍ ଉଦ୍ଭାବନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସ୍ୱତନ୍ତ୍ର ଅଧିବେଶନମାନ ଅନୁଷ୍ଠିତ ହେବ । ପରିଶେଷରେ, ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ବିକାଶ ଜରିଆରେ ଓଡ଼ିଶାର ଖଣି ଓ ଧାତୁ ଶିଳ୍ପକୁ ମଜବୁତ କରି ଦ’ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟକୁ ସାକାର କରିବା ଉପରେ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ଜାରି ରହିବ ।

Exit mobile version