ନୟାଗଡ଼ରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବସ୍ଥାପିତ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ (District Directorate of Prosecution)ର ନୂତନ କାର୍ଯ୍ୟାଳୟ ଅପରାହ୍ନ ଘ.୦୩. ୩୦ମି. ସମୟରେ ମାନନୀୟା ଜିଲ୍ଲାପାଳ, ନୟାଗଡ଼ ଶ୍ରୀମତୀ ମଧୁମିତା ରଥଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ନୟାଗଡ଼ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା, ଉପ-ନିର୍ଦ୍ଦେଶକ, ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ଶ୍ରୀ ନଳିନୀକାନ୍ତ ମହାରଣା, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ପ୍ରାଚୀ ପ୍ରଭା ନନ୍ଦ,

ସରକାରୀ ଅଭିଯୋଜକ ଶ୍ରୀ ରାକେଶ କୁମାର ପୋଥଲ, କ୍ୟାଡର ସହକାରୀ ସରକାରୀ ଅଭିଯୋଜକ ଶ୍ରୀ ଆକାଶ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି, ସମସ୍ତ ସରକାରୀ ଓକିଲ, କାର୍ଯ୍ୟାଳୟର କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଉଦ୍ଘାଟନ ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପୋଲିସ ଓ ଅଭିଯୋଜନ ବିଭାଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଅପରାଧିକ ନ୍ୟାୟ ବ୍ୟବସ୍ଥାର ସୁଚାରୁ ପରିଚାଳନା ସହ ତଦନ୍ତକାରୀ ସଂସ୍ଥାକୁ ଆଇନଗତ ମତ ଓ ମାର୍ଗଦର୍ଶନ ପ୍ରଦାନ, ପୀଡ଼ିତ ଓ ସାକ୍ଷୀଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ପୋଲିସ, ନ୍ୟାୟାଳୟ ଓ ଅଭିଯୋଜନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ ଅପରାଧିକ ମାମଲାର ଦକ୍ଷ ଓ ସମୟୋଚିତ ଅଭିଯୋଜନ ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ନୂତନ କାର୍ଯ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଉପସ୍ଥିତ ଅଧିକାରୀମାନେ ଆଶା ପ୍ରକାଶ କରିଥିଲେ ।

Exit mobile version