ଫାରୋସ୍ କପ୍ ୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ୍ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-  ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଓଡିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିଏଚପିସି) ଆଥଲେଟ୍ କରିଶ୍ମା ସେପ୍ଟେମ୍ବର ୧୭ ରୁ ୨୦, ୨୦୨୬ ପର୍ଯ୍ୟନ୍ତ ମିଶରର କାଇରୋ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ଫାରୋସ୍ କପ୍ ୨୦୨୬ରେ ମହିଳା କଳାତ୍ମକ ଜିମ୍ନାଷ୍ଟିକ୍ସ ବର୍ଗର ଫ୍ଲୋର୍ ଏକ୍ସରସାଇଜ୍ ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଆନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ସ ଫେଡେରେସନ (ଏଫଆଇଜି) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଇଜିପ୍ଟ ଜିମ୍ନାଷ୍ଟିକ୍ସ ଫେଡେରେସନ (ଇଜିଏଫ) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ୩୦ ଟି କ୍ରୀଡା ସଂସ୍ଥା ଏବଂ ଭାରତ,

ଇଜିପ୍ଟ, ଜୋର୍ଡାନ, କୁଏତ, ଲେବାନନ, ଲିବିଆ, ମାଲ୍ଟା, ଦକ୍ଷିଣ ଆଫ୍ରିକା, ଉଜବେକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ୟୁକ୍ରେନ, ସୁଡାନ ଏବଂ ହଂକଂ (ଚୀନ) ସମେତ ୧୩ ଟି ଦେଶର ୧୬୦ ଜଣ ଜିମ୍ନାଷ୍ଟ ପ୍ରତିଦ୍ଵନ୍ଦିତା କରିଥିଲେ । ଏହି ସମ୍ମାନଜନକ ଇଭେଣ୍ଟରେ ଦୁଇ ମହିଳା ଆଥଲେଟ୍, କରିସ୍ମା ଏବଂ ତନ୍ନୁ, ଓଡିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିଏଚପିସି ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଯୁବ ଖେଳାଳିମାନଙ୍କ ପାଇଁ, ଫାରୋସ୍ କପ୍ ଜିମ୍ନାଷ୍ଟିକ୍ସର ବିଭିନ୍ନ ଶୈଳୀକୁ ଅନୁଭବ କରିବା ଏବଂ ବିଶ୍ୱର ବିଭିନ୍ନ ଖେଳାଳିଙ୍କ ବିପକ୍ଷରେ ସେମାନଙ୍କର ପ୍ରସ୍ତୁତିକୁ ଆକଳନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଥିଲା ।

କରିଶ୍ମା ଫ୍ଲୋର୍ ଏକ୍ସରସାଇଜରେ ପ୍ରଭାବୀ ପ୍ରଦର୍ଶନ କରିବା ସହିତ ୧୨.୧୦୦ ସ୍କୋର ସହିତ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଏବଂ ଫାଇନାଲରେ ୧୨.୦୬୬ ସ୍କୋର ସହିତ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ। ଏହି ପୋଡିୟମ ଫିନିଶ ତାଙ୍କର ଆନ୍ତର୍ଜାତୀୟ ଯାତ୍ରାରେ ଏକ ପ୍ରମୁଖ ସଫଳତା । ଏହା ଓଡିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିଏଚପିସିରେ ନିରନ୍ତର ତାଲିମ ଏବଂ ଅଭିଜ୍ଞତା ମାଧ୍ୟମରେ ହାସଲ ହୋଇଥିବା ପ୍ରଗତିକୁ ପ୍ରତିଫଳିତ କରୁଛି । ସେ ବାଲାନ୍ସ ବିମ୍ ଫାଇନାଲରେ ଯୋଗ୍ୟତା ଅର୍ଜନ କରିବା ସହିତ ଏଥିରେ ପ୍ରତିଦ୍ଵନ୍ଦିତା ମଧ୍ୟ କରିଥିଲେ ।

କରିଶ୍ମା ଏବଂ ତନ୍ନୁ ଉଭୟ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜ ଦୃଢ଼ତାର ପରିଚୟ ଦେଇ ଅନଇଭେନ୍ ବାର୍ସ ଫାଇନାଲରେ ମଧ୍ୟ ଅଂଶଗ୍ରହଣ କରିଥିଲ । ଅନଇଭେନ୍ ବାର୍ସର ଯୋଗ୍ୟତା ପର୍ଯ୍ୟାୟରେ, ତନ୍ନୁ ୧୦.୦୫୦ ଏବଂ କରିଶ୍ମା ୮.୯୦୦ ସ୍କୋର କରିଥିଲେ । ଉଭୟ ଆଥଲେଟ୍ ଫାଇନାଲରେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିଥିଲେ, କରିଶ୍ମା ୧୦.୬୬୬ ଏବଂ ତନ୍ନୁ ୧୦.୦୬୬ ସ୍କୋର କରିଥିଲେ ।  ବିଭିନ୍ନ ଇଭେଣ୍ଟରେ ଯୋଗ୍ୟତା ହାସଲ, ପ୍ରତିଦ୍ଵନ୍ଦିତାମୂଳକ ଅଭିଜ୍ଞତା ପ୍ରଦାନ କରିବା ସହିତ ଭବିଷ୍ୟତ ଚ୍ୟାଲେଞ୍ଜ ପାଇଁ ସେମାନଙ୍କର ପ୍ରସ୍ତୁତିକୁ ଅଧିକ ସୁଦୃଢ଼ ​ କରିଛି ।

ଏଏମ୍/ଏନ୍ଏସ୍ ଇଣ୍ଡିଆର ମାନବ ସମ୍ବଳ ଏବଂ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ଏବଂ ଭାଇସ ପ୍ରେସିଡେଣ୍ଟ  ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି, “ଫାରୋସ୍ କପରେ କରିଶ୍ମାଙ୍କ ରୌପ୍ୟ ପଦକ ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ସଫଳତା । ଏହା ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟରର ବର୍ଦ୍ଧିତ ଶକ୍ତି ଏବଂ ଆନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷ ହାସଲ କରିବା ପାଇଁ ଆମର ଖେଳାଳିମାନଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆମେ ନିଶ୍ଚିତ ଯେ ଏହି ଅଭିଜ୍ଞତାଗୁଡ଼ିକ ସେମାନଙ୍କୁ ଉଚ୍ଚ ଲକ୍ଷ୍ୟ ହାସଲ କରିବା ଏବଂ ବିଶ୍ୱ ଜିମ୍ନାଷ୍ଟିକ୍ସରେ ଭାରତର ଗୌରବ ବଢାଇବାକୁ ପ୍ରେରଣା ଦେବ ।”

ଫାରୋସ୍ କପ୍ ୨୦୨୬ ଆଥଲେଟମାନଙ୍କ ପ୍ରଭାବୀ ଆନ୍ତର୍ଜାତୀୟ ପ୍ରଦର୍ଶନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡିଛି । ଭାରତୀୟ ଆଥଲେଟମାନଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତାର ସହ ପ୍ରତିଦ୍ଵନ୍ଦିତା କରିବାକୁ ସକ୍ଷମ କରିବା ଉଦ୍ଦେଶ୍ୟରେ, ଭୁବନେଶ୍ୱରରେ ଥିବା ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର, ସ୍ୱତନ୍ତ୍ର ପ୍ରଶିକ୍ଷଣ, ତାଲିମ ପାଇଁ ଭିତ୍ତିଭୂମି ଏବଂ ଆଥଲେଟଙ୍କୁ ସହାୟତା ପ୍ରଦାନ ମାଧ୍ୟମରେ ଉଚ୍ଚ-ପ୍ରଦର୍ଶିତ ଜିମ୍ନାଷ୍ଟଙ୍କ ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ।

Exit mobile version