ନାଗେନପାଲି ଉପରପଡ଼ାରେ ଭକ୍ତିମୟ ପରିବେଶରେ ଖୁଦୁରୁକୁଣୀ ଓଷା ସମାପିତ

ସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖରିତ ଉତ୍ସବସ୍ଥଳୀ, ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) ନାଗେନପାଲି   :- ବରଗଡ଼ ଜିଲ୍ଲା ତୋରା ପଞ୍ଚାୟତ ଅନ୍ତର୍ଗତ ନାଗେନପାଲି ଉପରପଡ଼ାରେ ଓଡ଼ିଆ ମାଟିର ପାରମ୍ପରିକ ଲୋକପର୍ବ ତଥା ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ, ତ୍ୟାଗ ଓ ମା’ ଖୁଦୁରୁକୁଣୀଙ୍କ ଆଶୀର୍ବାଦର ପ୍ରତୀକ ପବିତ୍ର ଖୁଦୁରୁକୁଣୀ ଓଷା ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇ ସମାପିତ ହୋଇଛି । ମା’ ଖୁଦୁରୁକୁଣୀ ପୂଜା କମିଟି, ନାଗେନପାଲି ଉପରପଡ଼ା ପକ୍ଷରୁ ଆୟୋଜିତ ଏହି ପବିତ୍ର ଉତ୍ସବରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗତ ୩୦ ଅଗଷ୍ଟରୁ ୨୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ସନ୍ଧ୍ୟା ୬ଟା ସମୟରେ ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଭକ୍ତି ଓ ଶ୍ରଦ୍ଧାର ସହିତ ଆୟୋଜିତ ହୋଇଥିଲା ।

ଝିଅ ଓ ମହିଳାମାନେ ଏହି ପୂଜାରେ ପ୍ରମୁଖ ଭାବେ ସାମିଲ ହୋଇ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା, ବନ୍ଦାପନା ଓ ଭୋଗ ଅର୍ପଣ କରିଥିଲେ।ଉତ୍ସବର ସମାପନୀ ଦିବସ ୨୦ ସେପ୍ଟେମ୍ବର, ରବିବାର ଦିନ ପାଳିତ ହୋଇଥିଲା । ସମାପନୀ ଦିବସରେ ଅପରାହ୍ନରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ପୂଜା ଓ ବିସର୍ଜନ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବର୍ଷା ଛାଡ଼ିଯାଇଥିଲା । ଫଳରେ ପରବର୍ତ୍ତୀ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ନିର୍ବିଘ୍ନରେ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍‌ରେ ମା’ ଖୁଦୁରୁକୁଣୀଙ୍କ ବିସର୍ଜନ କାର୍ଯ୍ୟ ଭକ୍ତି ଓ ଶ୍ରଦ୍ଧାର ସହିତ ସମ୍ପନ୍ନ ହୋଇଥିଲା ।

ଏହାପରେ ରାତି ପ୍ରାୟ ୮ଟା ସମୟରେ ଶୋଢ଼ାପାଲି ଓ ଖଇରଗଡ଼ି ସଂକୀର୍ତ୍ତନ ଦଳ ପକ୍ଷରୁ ଗୌରାଙ୍ଗ ସଂକୀର୍ତ୍ତନ ମଣ୍ଡଳୀ, ଉପରପଡ଼ା ସମ୍ମୁଖରେ ଏକ ଭକ୍ତିମୟ ସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସଂକୀର୍ତ୍ତନର ଭକ୍ତିମୟ ପରିବେଷଣରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା। କାର୍ଯ୍ୟକ୍ରମ ଦେଖିବା ସହ ମା’ଙ୍କ ଆଶୀର୍ବାଦ ନେବା ପାଇଁ ନାଗେନପାଲି ଉପରପଡ଼ା ସମେତ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହୋଇଥିଲା । ଶହ ଶହ ଲୋକଙ୍କ ଉପସ୍ଥିତିରେ ଉତ୍ସବସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା ।

ଖୁଦୁରୁକୁଣୀ ଓଷାର ଏହି ପବିତ୍ର ଅବସରରେ ଝିଅ ଓ ମହିଳାମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା । ପୂଜା କମିଟିର ସଦସ୍ୟାମାନଙ୍କ ଉଦ୍ୟମ ଓ ଅଞ୍ଚଳବାସୀଙ୍କ ସହଯୋଗରେ ସମଗ୍ର ଆୟୋଜନ ଶାନ୍ତିଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା । ପାରମ୍ପରିକ ଓଡ଼ିଆ ଲୋକପରମ୍ପରା ଓ ସଂସ୍କୃତିକୁ ଜୀବନ୍ତ ରଖିବା ସହ ନୂତନ ପିଢ଼ିକୁ ଏହା ସହ ଯୋଡ଼ିବାରେ ଏଭଳି ଆୟୋଜନର ଗୁରୁତ୍ୱ ରହିଛି । ମା’ ଖୁଦୁରୁକୁଣୀଙ୍କ ଆରାଧନା, ସଂକୀର୍ତ୍ତନ ଓ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ନାଗେନପାଲି ଉପରପଡ଼ାର ଏହି ପବିତ୍ର ଖୁଦୁରୁକୁଣୀ ଓଷା ଉତ୍ସବ ସଫଳତାର ସହ ସମାପିତ ହୋଇଛି ।

Exit mobile version