ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା ୧୦ ବରିଷ୍ଠ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଛି । ଜିଲ୍ଳା ପ୍ରଶାସନର ନିଷ୍ପତ୍ତି ଅନୁସାରେ ବରିଷ୍ଠ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣ ଜିଲ୍ଳାର ବିଭିନ୍ନ ବ୍ଲକରେ ଅବସ୍ଥାପିତ ହୋଇଛନ୍ତି । ଏହି ଅବସରରେ ଶୁକ୍ରବାର ପଞ୍ଚାୟତ ସମିତି ପକ୍ଷରୁ ଆହୁତ ସାଧାରଣ ବୈଠକରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ, କମ୍ପ୍ୟୁଟର ପ୍ରୋଗ୍ରାମର ଦଣ୍ଡପାଣି ଦାଶ, କନିଷ୍ଟ ଯନ୍ତ୍ରୀ ଡି. ଅଶୋକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ବ୍ଳକରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ତୃଣ ମୂଳ ସ୍ତରରେ ଉପଯୋଗ କରି ବିଦାୟୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଗ୍ରାମାଞ୍ଚଳର ବିକାଶ, ସାମାଜିକ, ସାଂସ୍କୃତିକ ଓ ଭାଇଚାରା ସୃଷ୍ଟି କରି ସୌହାର୍ଦ୍ଦ୍ୟ ପରିବେଶ ସୃଷ୍ଟି କରିଥିଲେ।

ଗ୍ରାମାଞ୍ଚଳ ଲୋକଙ୍କ ବିଭିନ୍ନ ସମସ୍ୟାକୁ ଅଗ୍ରାଧିକାର ଦେଇ ସୁଚାରୁରୂପେ ପରିଚାଳନା ଓ ସମାଧାନ କରି ପଞ୍ଚାୟତ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେମାନଙ୍କ ପ୍ରଶାସନିକ ଦକ୍ଷତା ଏବଂ କର୍ତ୍ତବ୍ୟ ପରାୟଣତାକୁ ଉଚ୍ଚ ପ୍ରଶଂସା କରିଥିଲେ।ପରେ ଏକ ଭବ୍ୟ ପରିବେଶରେ ପୂର୍ବତନ ହିଞ୍ଜିଳିକାଟୁ ବ୍ଳକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ସଭାପତି ତଥା ଅଧୁନା ଗଞ୍ଜାମ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ସଭାପତି ସୁଶାନ୍ତ କୁମାର ପାତ୍ର,

ଜିଲ୍ଲା ସମ୍ପାଦକ ରୂପକ ରଞ୍ଜନ ସାମନ୍ତରାୟ ଓ କୋଷାଧ୍ୟକ୍ଷ ବାସୁଦେବ ବେହେରାଙ୍କ ସମେତ କାଳୁ ଚରଣ ବେହେରା, ଭାଣ୍ଡି ହରି, ବିଜୟ କୁମାର ସେଠୀ, ଜି. ଯୁଧିଷ୍ଠିର ରେଡ୍ଡୀ, ବୈଷ୍ଣବ ମଣ୍ଡଳ, ବେଣୁଧର ବେହେରା ଓ ପ୍ରତାପ କୁମାର ସାହୁ ପ୍ରମୁଖ ବିଦାୟୀ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସେଠୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Exit mobile version