ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ

ବାଲିଗୁଡ଼ା  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଷ ଙ୍କ ପୂଜାକୁ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖାଦେଇଥିଲା ଭକ୍ତିମୟ ପରିବେଶ। ବିପୁଳ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁ ଗଣେଷ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସକାଳୁ ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ପୂଜା ମଣ୍ଡପ ଗୁଡ଼ିକ ମୁଖରିତ ହୋଇଥିବା ବେଳେ ସନ୍ଧ୍ୟାରେ ଆଲୋକମାଳାର ଝଲକରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା ।

ବାଲିଗୁଡ଼ା ଟାଉନର ବନବାସୀ ସେବା ସମିତି, ପାଟଖଣ୍ଡା ପବ୍ଲିକ ସ୍କୁଲ, ଆରଜେ ଟ୍ୟୁଟୋରିଆଲ୍ସ, ଫ୍ରେଣ୍ଡସ୍ ଗ୍ରୁପ୍ ସମେତ ସରକାରୀ ଆଶ୍ରମ ବିଦ୍ୟାଳୟ, ମାଦିନାଟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦ୍ରିଗାଁ ପରିସରରେ ଗଣେଷ ପୂଜାକୁ ନେଇ ବିଶେଷ ଆୟୋଜନ କରାଯାଇଥିଲା । ବିଭିନ୍ନ ପୂଜାମଣ୍ଡପରେ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ଚିତ୍ତାକର୍ଷକ ସାଜସଜ୍ଜା, ସୁନ୍ଦର ତୋରଣ ଓ ରଙ୍ଗବେରଙ୍ଗ ଆଲୋକମାଳା ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା ।

ସନ୍ଧ୍ୟା ସମୟରେ ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ଭିଡ଼ ଜମିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ପୂଜାକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପୂଜା ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ଓ ଅନ୍ୟାନ୍ୟ ମନୋରଞ୍ଜନଧର୍ମୀ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ଙ୍କ ପ୍ରତିଭା ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା ।

ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତି ଓ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ସମଗ୍ର ବାଲିଗୁଡ଼ା ଗଣେଷମୟ ହୋଇପଡ଼ିଥିଲା । ବିଘ୍ନବିନାଶକ ପ୍ରଭୁ ଗଣେଷ ଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ଏହି ପ୍ରାର୍ଥନା ସହ ଭକ୍ତିଭାବରେ ପାଳିତ ହୋଇଥିଲା ଗଣେଶ ପୂଜା ।

Exit mobile version