ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗତ କାଲି ସକାଳେ ସହରର ଏକ ଘରୋଇ କୋଚିଂ ସେଣ୍ଟରର ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ୨ ଜଣ ନାବାଳକ ଛାତ୍ର ନଦୀ ଗର୍ଭରେ ବୁଡ଼ି ପ୍ରାଣ ହରାଇଥିଲେ। ସ୍ଥାନୀୟ ପୌର ଓ ପୁଲିସ୍ ପ୍ରଶାସନ ଠାରୁ କୌଣସି ଅନୁମତି ନ ନେଇ ଘରୋଇ କୋଚିଂ ସେଣ୍ଟରର ଶିକ୍ଷକ ଜଣକ ଗଣେଷ ମୂର୍ତ୍ତି ବିସର୍ଜନ ଆୟୋଜନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ପୌର ଓ ପୁଲିସ ପ୍ରଶାସନ ପକ୍ଷରୁ ପୌର ପରିଷଦ ସଭାଗୃହ ପରିସରରେ ସହରର ସମସ୍ତ ପୂଜା କମିଟିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।

ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ, କାଉନସିଲର ବସନ୍ତ କୁମାର ବେହେରା, ଗୋପବନ୍ଧୁ ବେହେରା, ଭିକା ବେହେରା ଓ ଅମୂଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସହରର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାମୁହିକ ଭାବେ ମୂର୍ତ୍ତି ବିସର୍ଜନ ଲାଗି ପ୍ରଶାସନିକ ଅଧିକାରୀ ମାନେ ଅନୁରୋଧ କରିଥିଲେ। ଏଥିପାଇଁ ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ପୁଲିସ ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ସହ ମିନି ଷ୍ଟାଡିୟମ ପରିସରରେ ସମସ୍ତ ଗଣେଷ ମୂର୍ତ୍ତି ସମାଗମ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଲଟେରୀ ମାଧ୍ୟମରେ କ୍ରମ ଅନୁସାରେ ଶୋଭାଯାତ୍ରାରେ ବାହାରି ପାଇଁ ନିଷ୍ପତ୍ତି ହୋଇଛି। ପୌର ପରିଷଦ ପକ୍ଷରୁ ଅସ୍ଥାୟୀ ଭାବେ ତିଆରି ହୋଇଥିବା ସରବନ୍ଧ କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଏଥିରେ ସହମତି ପ୍ରକାଶ ନ କରି ଯେଉଁ ଆୟୋଜକ କମିଟି ଅଲଗା ଭାଵେ ମୂର୍ତ୍ତି ବିସର୍ଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରନ୍ତି ତେବେ ସେମାନେ ଲିଖିତ ଭାବେ ପୁଲିସ ପ୍ରଶାସନ ନିକଟରେ ଅନୁମତି ପତ୍ର ଦାଖଲ କରିବାକୁ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଥିଲେ।

ଶାନ୍ତି ଶୃଙ୍ଖଳାର ସହ ସୁରକ୍ଷିତ ମେଢ଼ ବିସର୍ଜନ ଲାଗି ଉଭୟ ପୌର ଓ ପୁଲିସ ପ୍ରଶାସନ ଉପସ୍ଥିତ ପୂଜା କମିଟି ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ବୈଠକରେ କନେଷ୍ଟବଳ ବସନ୍ତ ଉପାଧ୍ୟାୟ ଓ ଦଣ୍ଡପାଣି ମଲ୍ଲିକ, କନିଷ୍ଟ ସ୍ୱଚ୍ଛତା ଅଧିକାରୀ ସମୀର ମହାନ୍ତି,ସୁମନ ଆଚାରୀ, ସୁଶାନ୍ତ ଦାସ ଓ ବିଭିନ୍ନ ସାହି ବସ୍ତିର ଆୟୋଜକ କମିଟି ଉପସ୍ଥିତ ଥିଲେ।

Exit mobile version