ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଜନ୍ମୋତ୍ସବ

ହିଞ୍ଜିଳିକାଟୁ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ହିଞ୍ଜିଳିକାଟୁ ସହରରେ ବିଶ୍ୱକର୍ମା ସମାଜ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଦେବ ଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଜନ୍ମୋତ୍ସବ ପାରମ୍ପରିକ ରୀତିନୀତି, ଓ ଭକ୍ତିମୟ ପରିବେଶରେ ମହା ସମାରୋହରେ ପାଳିତ ହୋଇଛ।ହିଞ୍ଜିଳିକାଟୁ ବିଶ୍ୱକର୍ମା ସମାଜ, ପୂର୍ବଖଣ୍ଡ ତାଲୁକା ଦ୍ଵାରା ଗଠିତ ପୂର୍ବଖଣ୍ଡ ତାଲୁକା ବିଶ୍ଵକର୍ମା ମନ୍ଦିର ଉନ୍ନୟନ ଟ୍ରଷ୍ଟ ପକ୍ଷରୁ ବରାହୀ ପାହାଡ଼ ପାଦଦେଶରେ ପ୍ରତିଷ୍ଠିତ ସୁରମ୍ୟ ମନ୍ଦିରରେ ପୂଜିତ ଦେଵଶିଳ୍ପୀଙ୍କ ଜନ୍ମୋତ୍ସବ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଛି ।ପ୍ରାତଃ ସୂର୍ଯ୍ୟପୂଜା ଓ ପୂଜାରମ୍ଭ, ପୂର୍ବାହ୍ନରେ ଯଜ୍ଞପବିତ ଧାରଣ ଓ ପୂର୍ଣ୍ଣାହୁତି ନୀତି ସମ୍ପନ୍ନ ହୋଇଥିଲା ।

ପରେ ସୁଗନ୍ଧିତ ପୁଷ୍ପ ମାଲ୍ୟରେ ବିଭୂଷିତ ପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ଶିଳା ପ୍ରତିମାକୁ ଭକ୍ତ,ଦର୍ଶନାର୍ଥି ଓ ଶ୍ରଦ୍ଧାଳୁ ଭକ୍ତି ଓ ନିଷ୍ଠାର ସହିତ ଦର୍ଶନ ,ଭୋଗ ଓ ନୈବେଦ୍ୟ ଅର୍ପଣ କରି କୃପାଭିକ୍ଷା ଲାଭ କରିଥିଲେ । ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜ ଓ ବିଶ୍ୱକର୍ମା ପୂର୍ବଖଣ୍ଡ ତାଲୁକା ସଭାପତି ଅଜୟ କୁମାର ମହାରଣା ଓ ସୀମାଞ୍ଚଳ ମହାରଣାଙ୍କ ସମେତ ଅନ୍ୟାନ୍ୟ ତାଲୁକାର ମାନ୍ୟଗଣ୍ୟ କର୍ମକର୍ତ୍ତା ଓ କୂଳଭାଇ ଓ ଭଉଣୀ ସାମିଲ ହୋଇଥିଲେ । ସମାନ୍ତରାଳ ଭାବେ ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ବଢେଇକୁଳ ପକ୍ଷରୁ ସିନେମା ହଲ ଛକ ଠାରେ ଦେବଶିଳ୍ପୀ ଶ୍ରୀ ବିଶ୍ଵକର୍ମାଙ୍କ ଦିବ୍ୟ ଓ ଭବ୍ୟ ମୃଣୟ ପ୍ରତିମାକୁ ଅସ୍ଥାୟୀ ମଣ୍ଡପରେ ସ୍ଥାପିତ କରାଯାଇ ପୂଜାର୍ଚ୍ଚନା ନୀତି ସମ୍ପନ୍ନ ହୋଇଥିଲା ।

ସଭାପତି ସନ୍ତୋଷ କୁମାର ମହାରଣା ଓ ବାବାନାଥ ମହାରଣାଙ୍କ ସମେତ ଅନ୍ୟାନ୍ୟ ତାଲୁକାର ମାଣ୍ୟଗଣ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଉଭୟ ପୂଜା କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ବହୁ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁରୂପ ଭାବେ ପୌର ପରିଷଦ,ୱାଟକୋ ଅଣୁଖଣ୍ଡ , ପୋଚିଲିମ୍ମା ସ୍ଥିତ ସରକାରୀ ବୈଷୟିକ ଅନୁଷ୍ଠାନ ,ଟିପିଏସଓଡିଏଲ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଶ୍ରୀ ବିଶ୍ଵକର୍ମାଙ୍କ ଜନ୍ମୋତ୍ସବ ପାଳିତ ହୋଇଛି । ବିଭାଗୀୟ ଅଧିକାରୀଙ୍କ ସହ ସମସ୍ତ କର୍ମଚାରୀ ଦେବଶିଳ୍ପୀଙ୍କ ପୂଜାର୍ଚ୍ଚନା ଓ ଦର୍ଶନ କରି ବିଭୁକୃପା ଲାଭ କରିଥିଲେ ।

Exit mobile version