ପଶ୍ଚିମ ଓଡ଼ିଶାରେ ସୌର ଶକ୍ତିର ପ୍ରସାର ପାଇଁ ଟିପିଡବ୍ଲ୍ୟୁଓଡିଏଲ୍‌ ‘ସୋଲାର ରଥ’ର ଶୁଭାରମ୍ଭ କଲେ ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମ ଓଡ଼ିଶାରେ ଟିପିଡବ୍ଲ୍ୟୁଓଡିଏଲ୍‌ର ରୁଫ୍‌ଟପ୍ ସୋଲାର ସଂଯୋଗ ସଂଖ୍ୟା ପାଖାପାଖି ୬୨,୦୦୦ରେ ପହଞ୍ଚିଲା; ୧୦,୪୮୯ଟି ସଂଯୋଗ ସହ ନୂଆପଡ଼ା ଆଗରେ 

ବୁର୍ଲା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ସୌର ଶକ୍ତି (ରୁଫ୍‌ଟପ୍ ସୋଲାର) ସମ୍ପର୍କରେ ସଚେତନତା ସୃଷ୍ଟି ତଥା ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଆଜି ‘ସୋଲାର ରଥ’ର ଶୁଭାରମ୍ଭ କରାଯାଇଛି। ପବିତ୍ର ପ୍ରଭୁ ବିଶ୍ୱକର୍ମା ଜୟନ୍ତୀ ଅବସରରେ ମାନ୍ୟବର ଲୋକସଭା ସାଂସଦ, ସମ୍ବଲପୁର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୋଲାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦଙ୍କ ସହ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆଇଏଏସ୍; ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୁକେଶ କୁମାର ଭାମୁ, ଆଇପିଏସ୍; ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) କମିଶନର ଶ୍ରୀ ରେହାନ ଖତ୍ରି, ଆଇଏଏସ୍ ଏବଂ ଟିପିଡବ୍ଲ୍ୟୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ପ୍ରବୀଣ ବର୍ମା ଉପସ୍ଥିତ ଥିଲେ । ଏଥିସହିତ ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ, ବିଜେପି ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ରାମଚନ୍ଦ୍ର ମେହେର, ବିଜେପି ସମ୍ବଲପୁର ଉପସଭାପତି ଶ୍ରୀ ସୀମାଞ୍ଚଳ ଖଟେଇ ଏବଂ ଟିପିଡବ୍ଲ୍ୟୁଓଡିଏଲ୍‌ର ବରିଷ୍ଠ ଅଧିକାରୀ ତଥା କର୍ମଚାରୀମାନେ ଯୋଗ ଦେଇଥିଲେ ।

ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲ୍‌ର ସୌର ଶକ୍ତି ସଂଯୋଗ ସଂଖ୍ୟା ୬୧,୦୦୦ ଅତିକ୍ରମ କରିବା ଅବସରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀ ବର୍ତ୍ତମାନ ସୁଦ୍ଧା ମୋଟ ୬୧,୭୨୯ଟି ସଂଯୋଗ ପ୍ରଦାନ କରିସାରିଛି; ଯେଉଁଥିରେ ଦୁଇ ଏବଂ ତିନି କିଲୋୱାଟ ସୌର ଶକ୍ତି ସଂଯୋଗ ପାଇଁ କ୍ୟାପେକ୍ସ (CAPEX) ମଡେଲ୍ ଅଧୀନରେ ୩୫,୮୨୯ଟି ଏବଂ ଏକ କିଲୋୱାଟ ସୌର ଶକ୍ତି ସଂଯୋଗ ପାଇଁ ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ୨୫,୯୦୦ଟି ସଂଯୋଗ ସାମିଲ ରହିଛି । ଏହି କ୍ଷେତ୍ରରେ ୧୦,୪୮୯ଟି ସଂଯୋଗ ସହ ନୂଆପଡ଼ା ଜିଲ୍ଲା ସମଗ୍ର ପଶ୍ଚିମ ଓଡ଼ିଶାରେ ଶୀର୍ଷରେ ରହିଛି ।

ଏହି ଅବସରରେ ମାନ୍ୟବର ଲୋକସଭା ସାଂସଦ, ସମ୍ବଲପୁର, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଛାତ ଉପର ସୌର ଶକ୍ତି ବ୍ୟବସ୍ଥା ଘରୋଇ ଉପଭୋକ୍ତାମାନଙ୍କୁ ସ୍ୱଚ୍ଛ ତଥା ସ୍ୱାବଲମ୍ବୀ ଶକ୍ତି ଯୋଗାଇ ସଶକ୍ତ କରିବା ସହିତ ଦେଶର ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସୋଲାର ରଥ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ସମ୍ପର୍କିତ ସମସ୍ତ ସୂଚନା ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ତୃଣମୂଳ ସ୍ତରରେ ଏହାର ବ୍ୟାପକ ବ୍ୟବହାରକୁ ଉତ୍ସାହିତ କରିବ ।”

ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆଇଏଏସ୍ କହିଛନ୍ତି, “ଏହି ସୋଲାର ରଥ ସୌର ଶକ୍ତି ସମ୍ପର୍କିତ ତଥ୍ୟ ସିଧାସଳଖ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସହ ଉପଲବ୍ଧ ସୁବିଧା ଏବଂ ଆବେଦନ ପ୍ରକ୍ରିୟା ବୁଝିବାରେ ଉପଭୋକ୍ତାମାନଙ୍କୁ ସହାୟକ ହେବ। ଏଭଳି ସଚେତନତା ଅଭିଯାନ ସ୍ଥାୟୀ ସ୍ୱଚ୍ଛ ଶକ୍ତି ସମାଧାନକୁ ବ୍ୟାପକ ଭାବେ ଆପଣାଇବା ପାଇଁ ସହାୟକ ହେବ ।”

ଏହି ସୋଲାର ରଥ ଟିପିଡବ୍ଲ୍ୟୁଓଡିଏଲ୍‌ର କାର୍ଯ୍ୟକ୍ଷମ ଅଞ୍ଚଳର ବିଭିନ୍ନ ଗ୍ରାମ, ହାଟ-ବଜାର ତଥା ପ୍ରମୁଖ ସାର୍ବଜନୀନ ସ୍ଥାନଗୁଡ଼ିକ ପରିକ୍ରମା କରିବ। ଏଠାରେ ଉପଭୋକ୍ତାମାନଙ୍କୁ ପିଏମ୍ ସୂର୍ଯ୍ୟ ଘର ଯୋଜନା, ଯୋଗ୍ୟତା, ସବ୍‌ସିଡି, ଆବେଦନ ପ୍ରକ୍ରିୟା ଏବଂ ରୁଫ୍‌ଟପ୍ ସୋଲାର ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯିବ।

ଏହି ଅଭିଯାନର ଏକ ପ୍ରମୁଖ ଆକର୍ଷଣ ହେଉଛନ୍ତି ‘ସୋଲାର ସାଙ୍ଗ’, ଯିଏକି ଏହି ରଥ ସହିତ ରହି ଉପଭୋକ୍ତାମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବେ ଏବଂ ସେମାନଙ୍କୁ ଯୋଜନା ବିଷୟରେ ବୁଝାଇବା ସହ ରୁଫ୍‌ଟପ୍ ସୋଲାର ସ୍ଥାପନ ପାଇଁ ଉଚିତ୍ ମାର୍ଗଦର୍ଶନ ଦେବେ। ଏଥିସହ ଟିପିଡବ୍ଲ୍ୟୁଓଡିଏଲ୍‌ର ‘ସୋଲାର ଦିଦି’ — ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟା ତଥା ସୌର ଦୂତମାନେ ଘର ଘର ବୁଲି ସଚେତନତା ସୃଷ୍ଟି କରି ଏହି ଅଭିଯାନକୁ ଆହୁରି ମଜଭୁତ କରିବେ।

ଟିପିଡବ୍ଲ୍ୟୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ପ୍ରବୀଣ କୁମାର ବର୍ମା କହିଛନ୍ତି, “୬୧,୦୦୦ରୁ ଅଧିକ ଛାତ ଉପର ସୌର ଶକ୍ତି ସଂଯୋଗ ହାସଲ କରିବା ପଶ୍ଚିମ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ଆପଣାଇବାର ଦ୍ରୁତ ଅଭିବୃଦ୍ଧିକୁ ଦର୍ଶାଉଛି। ଏହି ସୋଲାର ରଥ, ସୋଲାର ସାଙ୍ଗ ଏବଂ ସୋଲାର ଦିଦିଙ୍କ ମାଧ୍ୟମରେ ଆମେ ସୂଚନା ଓ ଉପଯୁକ୍ତ ପରାମର୍ଶ ସିଧାସଳଖ ଗାଁ ଓ ସହରରେ ପହଞ୍ଚାଉଛୁ, ଯାହାଦ୍ୱାରା ଉପଭୋକ୍ତାମାନେ ସୌର ଶକ୍ତି ବ୍ୟବହାର ସମ୍ପର୍କରେ ସଠିକ୍ ନିଷ୍ପତ୍ତି ନେଇପାରିବେ।”

ପଶ୍ଚିମ ଓଡ଼ିଶାରେ ତୃଣମୂଳ ସ୍ତରରେ ସଚେତନତା ବୃଦ୍ଧି କରିବା, ଛାତ ଉପର ସୌର ଶକ୍ତି ବ୍ୟବହାରକୁ ତ୍ୱରାନ୍ୱିତ କରିବା ତଥା ଅଞ୍ଚଳକୁ ଏକ ସ୍ୱଚ୍ଛ ଏବଂ ସ୍ଥାୟୀ ଶକ୍ତି ଭବିଷ୍ୟତ ଆଡ଼କୁ ଆଗେଇ ନେବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍‌ର ନିରନ୍ତର ପ୍ରୟାସର ଏହା ଏକ ପ୍ରମୁଖ ଅଂଶବିଶେଷ । ‘ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ :  ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି ।

କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।

Exit mobile version