ଖୋର୍ଦ୍ଧା ରୋଡ୍‌ରେ ବିଭାଗୀୟ ସାଂସ୍କୃତିକ ପ୍ରତିଯୋଗିତା – ୨୦୨୬ ଅନୁଷ୍ଠିତ

ଖୋର୍ଦ୍ଧା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ‘ବିଭାଗୀୟ ସାଂସ୍କୃତିକ ପ୍ରତିଯୋଗିତା–୨୦୨୬’ ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ଖୋର୍ଦ୍ଧା ରୋଡ ସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି ଦୁଇ ଦିନିଆ ସାଂସ୍କୃତିକ ଉତ୍ସବରେ ରେଳ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର କଳାତ୍ମକ ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ ।

ସେପ୍ଟେମ୍ବର ୧୦ ତାରିଖରେ ଖୋର୍ଦ୍ଧା ରୋଡ ମଣ୍ଡଳର ମଣ୍ଡଳ କାର୍ମିକ ଅଧିକାରୀ ତଥା ମଣ୍ଡଳ ସାଂସ୍କୃତିକ ସଂଘ ର କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀ ଅମରେନ୍ଦ୍ରନାଥ ମିଶ୍ର ଏବଂ ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଶ୍ରୀ ଶୌମିକ ଘୋଷଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯାଇଥିଲା । ପ୍ରତିଯୋଗିତାରେ ଶାସ୍ତ୍ରୀୟ ସଙ୍ଗୀତ (ଏକକ), ସୁଗମ ସଙ୍ଗୀତ (ଏକକ), ଶାସ୍ତ୍ରୀୟ ବାଦ୍ୟ (ଏକକ), ସୁଗମ ବାଦ୍ୟ (ଏକକ), ଶାସ୍ତ୍ରୀୟ ନୃତ୍ୟ (ଏକକ), ସମୂହ ନୃତ୍ୟ ଓ ନାଟକ ଭଳି ବିଭିନ୍ନ ବିଭାଗରେ ବହୁ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଶାସ୍ତ୍ରୀୟ ସଙ୍ଗୀତରେ ୬ ଜଣ, ସୁଗମ ସଙ୍ଗୀତରେ ୨୫ ଜଣ, ଶାସ୍ତ୍ରୀୟ ବାଦ୍ୟରେ ୬ ଜଣ, ସୁଗମ ବାଦ୍ୟରେ ୫ ଜଣ, ଶାସ୍ତ୍ରୀୟ ନୃତ୍ୟରେ ୯ ଜଣ, ସମୂହ ନୃତ୍ୟରେ ୩ଟି ଦଳ ଏବଂ ନାଟକରେ ୨ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀମାନେ ଉତ୍ସାହର ସହ ମନୋମୁଗ୍ଧକର କଳା ପ୍ରଦର୍ଶନ କରି ରେଳ ପରିବାରର ସମୃଦ୍ଧ ସାଂସ୍କୃତିକ ପ୍ରତିଭାର ପରିଚୟ ଦେଇଥିଲେ । ବିଶେଷକରି ରେଳ କର୍ମଚାରୀଙ୍କ ପରିବାରବର୍ଗଙ୍କ ପାଇଁ ନିଜର କଳାତ୍ମକ ପ୍ରତିଭା ବିକଶିତ ଓ ପ୍ରଦର୍ଶିତ କରିବାର ଏକ ଉତ୍ତମ ମଞ୍ଚ ଭାବେ ଏହି ପ୍ରତିଯୋଗିତା ପ୍ରେରଣାଦାୟୀ ସୁଯୋଗ ପ୍ରଦାନ କରିଥିଲା ।

ଖୋର୍ଦ୍ଧା ରୋଡ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହେରା ଅନ୍ୟାନ୍ୟ ଶାଖା ଅଧିକାରୀଙ୍କ ସହ ନାଟକ ପ୍ରତିଯୋଗିତା ଉପଭୋଗ କରିବା ସହ ଅଂଶଗ୍ରହଣକାରୀ ଦଳଗୁଡ଼ିକର ଉତ୍କୃଷ୍ଟ ଅଭିନୟକୁ ଉଚ୍ଚ ପ୍ରଶଂସା କରିଥିଲେ । ତାଙ୍କର ଉପସ୍ଥିତି ଓ ଉତ୍ସାହବର୍ଦ୍ଧକ ବାକ୍ୟ ପ୍ରତିଯୋଗୀମାନଙ୍କ ମନୋବଳ ବୃଦ୍ଧି କରିଥିଲା । ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଶ୍ରୀ ଶୌମିକ ଘୋଷ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ପ୍ରତ୍ୟେକ ବିଭାଗର ପ୍ରଥମ ପୁରସ୍କାର ବିଜେତାମାନେ ଚଳିତ ମାସ ଶେଷରେ ମଞ୍ଚେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା  ଆନ୍ତଃ-ମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗିତା–୨୦୨୬’ରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ପ୍ରତିନିଧିତ୍ୱ କରିବେ। ମନୋନୀତ ପ୍ରତିଯୋଗୀମାନେ ଅନ୍ତଃ-ମଣ୍ଡଳୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରି ଖୋର୍ଦ୍ଧା ରୋଡ୍ ମଣ୍ଡଳ ପାଇଁ ଗୌରବ ଆଣିବାର ସୁଯୋଗ ପାଇବେ l

ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଅମରେନ୍ଦ୍ରନାଥ ମିଶ୍ରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ମଣ୍ଡଳ ସାଂସ୍କୃତିକ ସଂଘ ର ସଦସ୍ୟମାନଙ୍କ ସକ୍ରିୟ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ସମ୍ଭବ ହୋଇପାରିଛି । ଆୟୋଜକ, ଅଧିକାରୀ, କର୍ମଚାରୀ ଓ ପ୍ରତିଯୋଗୀମାନଙ୍କ ମିଳିତ ଉଦ୍ୟମ ଏହି ଦୁଇ ଦିନିଆ ସାଂସ୍କୃତିକ ଉତ୍ସବକୁ ସଫଳ କରିବା ସହ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଦଳଗତ ଭାବନା, ସାଂସ୍କୃତିକ ସମୃଦ୍ଧି ଓ କର୍ମଚାରୀଙ୍କ ସହଭାଗିତାକୁ ଆହୁରି ସୁଦୃଢ଼ କରିଛି ।

Exit mobile version