ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖ ରୁ ଆରମ୍ଭ ହେବ କାର୍ତ୍ତିକ ମାସର ରାଈ ଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ।ଏହି ବ୍ରତ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।ତେଣୁ ହବିଷ କରିବାକୁ ଆସୁଥିବା ମା ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି । ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଶ୍ରୀ ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ଚଳିତ ବର୍ଷ ୩ ଗୋଟି ହବିଷ୍ୟାଳୀ ନିବାସ ଯଥା ବୃନ୍ଦାବତୀ ନିବାସ,

ମୁନିସିପାଲ୍ଟି କଲ୍ୟାଣ ମଣ୍ଡପ ମୋଚି ସାହି ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ରେ ହବିଷ୍ୟାଳି ମା ମାନେ ରହି ବ୍ରତ ପାଳନ କରିବାର ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ।ମା ମାନଙ୍କର ରହଣି ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା କରିବା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ,ପ୍ରବଚନ ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଗତବର୍ଷ ର ଅଭିଜ୍ଞତା ଆଧାର ରେ ଚଳିତ ବର୍ଷ ମଧ୍ୟ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବାକୁ ସେ ମତ ଦେଇ ଏହା ଫଳରେ ମା ମାନେ ଘରକୁ ଫେରିବା ବେଳେ ଏକ ସୁଖଦ ଅନୁଭୂତି ଓ ଆଧ୍ୟାତ୍ମିକ ଭାବ ନେଇ ଘରକୁ ଫେରିବେ ବୋଲି କହିଥିଲେ।

କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା କରାଯାଇ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରାଗଲା।ମା ମାନଙ୍କ ରହିବାର ୩ଟି ଯାକ ରହଣି ସ୍ଥଳ କୁ ପ୍ରସ୍ତୁତ କରିବା, ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା, ଅନ୍ତେବାସୀ ମା ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସହାୟକ ସ୍ୱଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ, ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ ବ୍ୟବସ୍ଥା,ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ମହାପ୍ରସାଦ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବା ସହ ବିଭାଗୀୟ ଅଧିକାରୀ ମାନେ ଏହାର ସୁବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ।ଏହାର ଲିଙ୍କ ଓ ସାଇଟ ବିଭିନ୍ନ ଖବରକାଗଜ ମାନଙ୍କ ରେ ପ୍ରକାଶ କରାଯିବ।ଆବେଦନ ପତ୍ର ଯାଞ୍ଚ ପରେ ଯୋଗ୍ଯ ହିତାଧିକାରୀ ହୋଇଥିବା ହବିଷ୍ୟାଳୀ ମା ମାନଙ୍କୁ ସେମାନଙ୍କ ପ୍ରଦତ୍ତ ମୋବାଇଲ ଓ ମେଲ ମାଧ୍ୟମରେ ସୂଚନା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି, ଅତିରିକ୍ତ ଏସପି ସଚିନ ପଟେଲ,

ଉପ ଜିଲ୍ଲାପାଳ ରାଜ କିଶୋର ଜେନା , ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର, ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଏନ ଆଇ ସି ର ଡିଆଇଓ ଦୁର୍ଗା ପ୍ରସାଦ ଜେନା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Exit mobile version