ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା, ନବସୃଜନ ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିକଶିତ ଭାରତ ୟଙ୍ଗ ଲିଡରର୍ସ ଡାଇଲଗ (ଭିବିୱାଇଏଲଡି)-୨୦୨୭ ଆୟୋଜିତ ହେଉଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ମାଇଁ ଭାରତ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି l

ଏହି ସଂଳାପ ମାଧ୍ୟମରେ ଯୁବମାନଙ୍କୁ ‘ବିକଶିତ ଭାରତ @୨୦୪୭’ର ଲକ୍ଷ୍ୟ ପ୍ରତି ନିଜର ଚିନ୍ତାଧାରା ଓ ଅବଦାନ ଉପସ୍ଥାପନ କରିବାର ସୁଯୋଗ ମିଳିବ । ଭିବିୱାଇଏଲଡି-୨୦୨୭ ବିକଶିତ ଭାରତ ଚ୍ଯାଲେଞ୍ଜ ଟ୍ରାକର ପ୍ରଥମ ପର୍ଯ୍ୟାୟ ଭାବେ ବିକଶିତ ଭାରତ କ୍ଯୁଜି ଆୟୋଜିତ ହେଉଛି। ଏହା ଏକ ଜାତୀୟ ସ୍ତରର ଅନଲାଇନ୍ କୁଇଜ୍‌, ଯାହା ମାଇଁ ଭାରତ ପୋର୍ଟାଲ୍‌ ମାଧ୍ୟମରେ ବିଭିନ୍ନ ଭାଷାରେ ଆୟୋଜିତ ହେଉଛି। ଯୋଗ୍ୟ ଯୁବମାନେ ବ୍ୟକ୍ତିଗତ ଭାବେ ଏଥିରେ ଅଂଶଗ୍ରହଣ କରିପାରିବେ।

କୁଇଜ୍‌ରେ ଚୟନିତ ଅଂଶଗ୍ରହଣ କାରୀମାନେ ପରବର୍ତ୍ତୀ ବିକଶିତ ଭାରତ ଇଜି ଚ୍ଯାଲେଞ୍ଜ ପର୍ଯ୍ୟାୟକୁ ଯିବେ। ୧୭ ଅଗଷ୍ଟ ୨୦୨୬ ସୁଦ୍ଧା ୧୫ରୁ ୨୯ ବର୍ଷ ବୟସର ଯୁବକ-ଯୁବତୀ ଭିବିୱାଇଏଲଡି- ୨୦୨୭ରେ ଅଂଶଗ୍ରହଣ କରିପାରିବେ। ମାଇଁ ଭାରତ ପୋର୍ଟାଲ୍‌ରେ ପୂର୍ବରୁ ପଞ୍ଜୀକୃତ ଥିବା ଯୁବମାନଙ୍କୁ ପୁନର୍ବାର ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ଅନ୍ୟ ଯୋଗ୍ୟ ଯୁବମାନେ ପୋର୍ଟାଲ୍‌ରେ ପଞ୍ଜୀକରଣ କରି ଏହି ପ୍ରକ୍ରିୟାରେ ଯୋଗଦେଇ ପାରିବେ ।

ବର୍ତ୍ତମାନ ବିକଶିତ ଭାରତ କୁଇଜ୍ ୧୭ ଅଗଷ୍ଟରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ତେଣୁ ଜିଲ୍ଲାର ସମସ୍ତ ଯୋଗ୍ୟ ଯୁବକ-ଯୁବତୀଙ୍କୁ ଏହି ସମୟସୀମା ମଧ୍ୟରେ କୁଇଜ୍‌ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଉଛି। ଏହି କୁଇଜ୍‌ ମାଧ୍ୟମରେ ଯୁବମାନେ ଭିବିୱାଇଏଲଡି-୨୦୨୭ର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ଆଗକୁ ବଢ଼ିବାର ସୁଯୋଗ ପାଇପାରିବେ । କୁଇଜ୍‌ ପରେ ଚୟନିତ ଯୁବମାନେ ୫୦୦ ଶବ୍ଦର ବିକଶିତ ଭାରତ ଇଜି ଚ୍ଯାଲେଞ୍ଜରେ ଅଂଶଗ୍ରହଣ କରିବେ ।

ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାର ଶ୍ରେଷ୍ଠ ୫୦ଟି ନିବନ୍ଧକୁ ଡିଷ୍ଟ୍ରିକ୍ଟ ଚମ୍ପିୟନସିପ ର ପିପିଟି ପର୍ଯ୍ୟାୟ ପାଇଁ ଚୟନ କରାଯିବ। ସେଠାରୁ ପ୍ରତ୍ୟେକ ଜିଲ୍ଲାର ଶ୍ରେଷ୍ଠ ଦୁଇଜଣ ପ୍ରସ୍ତୁତକାରୀ ଷ୍ଟେଟ ଭିବିୱାଇଏଲଡି ପାଇଁ ଯୋଗ୍ୟତା ହାସଲ କରିବେ।ରାଜ୍ୟ ସ୍ତରରେ ଚୟନିତଯୁବମାନେ ନିଜର ଚିନ୍ତାଧାରା ଓ ପ୍ରସ୍ତୁତି ଏକ ଜୁରି ସମ୍ମୁଖରେ ଉପସ୍ଥାପନ କରିବେ। ରାଜ୍ୟ ସ୍ତରର ପ୍ରଦର୍ଶନ ଆଧାରରେ ଜାତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ ଦଳ ଚୟନ କରାଯିବ।

ଜାତୀୟ ପର୍ଯ୍ୟାୟରେ ଚୟନିତ ଯୁବମାନେ ନୂଆଦିଲ୍ଲୀରେ ବିଶେଷଜ୍ଞ, ବରିଷ୍ଠ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀ ମାନଙ୍କ ସମ୍ମୁଖରେ ନିଜର ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇବେ l ଅଞ୍ଚଳୀୟ ଫାଇନାଲିଷ୍ଟମାନେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ମଧ୍ୟ ନିଜର ପ୍ରସ୍ତୁତି ରଖିବାର ସୁଯୋଗ ପାଇବେ । ଏହି କାର୍ଯ୍ୟକ୍ରମ କେବଳ କୁଇଜ୍‌ କିମ୍ବା ପ୍ରତିଯୋଗିତାରେ ସୀମିତ ନୁହେଁ।ଭିବିୱାଇଏଲଡି-୨୦୨୭ରେ ବିକଶିତ ଭାରତ ଚ୍ଯାଲେଞ୍ଜ ଟ୍ରାକ, କଲଚ୍ଯୁରାଲ ଟ୍ରାକ, ଡିଜାଇନ ଫର ଭାରତ, ହ୍ଯାକ ଫର ସୋସିଆଲ କଜ,

ୟୁଥ ଏଣ୍ଟରପ୍ରାଇଜର୍ସ ଚ୍ଯାଲେଞ୍ଜ ଓ ୟୁଥ ପାର୍ଲିଆମେଣ୍ଟ ଭଳି ଛଅଟି ଟ୍ରାକ୍‌ ରହିଛି। ଏହା ମାଧ୍ୟମରେ ବିଭିନ୍ନ କ୍ଷେତ୍ରର ପ୍ରତିଭାବାନ ଯୁବମାନେ ନିଜର ଦକ୍ଷତା ପ୍ରଦର୍ଶନର ସୁଯୋଗ ପାଇପାରିବେ।ଜିଲ୍ଲାର ଯୋଗ୍ୟ ଯୁବମାନଙ୍କୁ ବିକଶିତ ଭାରତ କୁଇଜରେ ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରି ଏହି ଜାତୀୟ ଯୁବ ମଞ୍ଚର ଅଂଶ ହେବାକୁ ଅନୁରୋଧ କରାଯାଉଛି । ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ବ୍ୟାପକ ସୂଚନା ପ୍ରସାର କରିବାକୁ ଅନୁରୋଧ କରାଯାଉଛି ।

Exit mobile version