ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ

ନୂଆଦିଲ୍ଲୀ (ଓଡିଶା ତାଜା ନ୍ୟୁଜ ) (ନି. ପ୍ର) ଭୁବନେଶ୍ୱର :- ନୂଆଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ ସ୍ତରରେ କାପାସିଟି ବିଲ୍‌ଡିଂ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି ଯେ ଆମେ ବଜେଟ୍‌ ପ୍ରସ୍ତୁତିଠାରୁ ଆରମ୍ଭ କରି ଆଇନ ପ୍ରଣୟନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ମହିଳାମାନଙ୍କୁ ସର୍ବାଗ୍ରେ ଗୁରୁତ୍ୱ ଦେଇଆସୁଅଛୁ । ତୃଣମୂଳ ସ୍ତରରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପଞ୍ଚାୟତ ସ୍ତରରେ ସଂରକ୍ଷଣର ସୁବିଧା ପ୍ରଦାନ କରୁଅଛୁ । ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳା ଆଜି ଉପକୃତ ହୋଇପାରିଛନ୍ତି ।

ସ୍ୱୟଂ ସହାୟକ ମହିଳା ଗୋଷ୍ଠୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । ମାତୃଓ ଶିଶୁ ମୃତୁ୍ୟହାର ହ୍ରାସ କରିବା ଉଦ୍ଦେଶ୍ୟରେ କିଶୋରୀମାନଙ୍କ ପୋଷଣ ବୃଦ୍ଧି ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କୈଶଳ ଶିକ୍ଷା ପାଇଁ ୭୩୦ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ମହାବିଦ୍ୟାଳୟ ଓ ୧୬ଟି ବିଶ୍ୱବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ସର୍ବଭାରତୀୟ କାପାସିଟି ବିଲ୍‌ଡିଂ ସମ୍ମିଳନୀ ୭ ଓ ୮ ସେପେଫମ୍ବର ଦୁଇଦିନ ଧରି ଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି । ଲୋକସଭାର ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିବାବେଳେ ଜାତୀୟ ମହିଳା କମିଶନ (NCW)ର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହାତକର୍‌ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଏକ ସୁଦୃଢ଼ ଓ ସମୃଦ୍ଧ ଗଣତନ୍ତ୍ର ପ୍ରତିଷ୍ଠା ସହ ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ସର୍ବଭାରତୀୟ କାପାସିଟି ବିଲ୍‌ଡିଂ ସମ୍ମିଳନୀ ଆରମ୍ଭ ହୋଇଛି ।

ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ତାଲିମ ପ୍ରଦାନ ଦ୍ୱାରା ସେମାନଙ୍କର ଲେଖନୀ ଶୈଳୀ, ଭାବଗତ ଆଦାନପ୍ରଦାନ, ଚିନ୍ତନ ଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ସେମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବିକାଶ ଘଟିବ । ଏଥି ପାଇଁ ମହିଳା କମିଶନ ପକ୍ଷରୁ ବିଧାୟିକାମାନଙ୍କୁ ‘ଜେଣ୍ଡର ରେସ୍‌ପନ୍‌ସିଭ୍‌ ଗଭର୍ଣ୍ଣାନାନ୍ସ’ ତାଲିମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଛି ।

ଏହି ସମ୍ମିଳନୀରେ ପ୍ରଥମ ଥର ପାଇଁ ଦେଶର ସମସ୍ତ ରାଜ୍ୟର ମହିଳା ବିଧାୟିକା ଓ ବିଧାନ ପରିଷଦର ସଦସ୍ୟାମାନେ ଯୋଗଦେଇଛନ୍ତି । ଏଥିରେ ଓଡ଼ିଶାରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟିକା ସୁବାସିନୀ ଜେନା, ଶ୍ରୀମତୀ ସୁଜାତା ସାହୁ, ଶ୍ରୀମତୀ ସୀମାରାଣୀ ନାୟକ, ଶ୍ରୀମତୀ ମନୋରମା ମହାନ୍ତି, ସୋଫିଆ ଫିର୍‌ଦୋସ୍‌, ଶ୍ରୀମତୀ ଉପାସନା ମହାପାତ୍ର, ଶ୍ରୀମତୀ ବର୍ଷା ସିଂହ ବରିହା ପ୍ରମୁଖ ଯୋଗଦେଇଥିବାବେଳେ ବିଧାନସଭାର ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ ଓ ରଣଧିର ରାୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।


 

Exit mobile version