ଏଚ୍‌ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ନିମନ୍ତେ ଓସାକ୍ସ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ପଦକ୍ଷେପ

ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଅଧିକ ସଂଖ୍ୟାରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସାମିଲ ଉପରେ ଗୁରୁତ୍ୱ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଏଚ୍‌ଆଇଭି ସଂକ୍ରମିତ ଓ ପ୍ରଭାବିତ ପରିବାରର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବା ସହ ଆର୍ଥିକ ଓ ସାମାଜିକ ପ୍ରତିବନ୍ଧ ଦୂର କରିବା ଲକ୍ଷ୍ୟରେ ଓସାକ୍ସ ଏବଂ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯିବ। ଏ ନେଇ ଆଜି ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) କାର୍ଯ୍ୟାଳୟରେ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଡା. ଅକ୍ଷୟ କୁମାର ଶତପଥୀ ଏବଂ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ଦାୟିତ୍ୱ ଗ୍ରହଣ କରିବା ପରେ ଓସାକ୍ସ ପ୍ରକଳ୍ପ ନିର୍ଦ୍ଦେଶକ ଡା. ଶତପଥୀଙ୍କ ଏହା ପ୍ରଥମ ବୈଠକ ଥିଲା। ବୈଠକରେ ବିଶେଷକରି ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା (GSSY) ମାଧ୍ୟମରେ ଏଚ୍‌ଆଇଭି/ ଏଡ଼ସ ପ୍ରଭାବିତ ପରିବାରର ଅଧିକ ସଂଖ୍ୟକ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଯୋଜନାର ସୁବିଧା ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା। ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଏଚ୍‌ଆଇଭି/ ଏଡ଼ସ ପ୍ରଭାବିତ ପରିବାରକୁ ଏକ ଯୋଗ୍ୟ ବର୍ଗ ଭାବେ ସାମିଲ କରାଯାଇଛି। ଯେଉଁ ପରିବାରର ବାପା, ମା’ କିମ୍ବା ଉଭୟ ଏଚ୍‌ଆଇଭି/ ଏଡ଼ସ ଦ୍ୱାରା ପ୍ରଭାବିତ, ସେହି ପରିବାରର ଯୋଗ୍ୟ ଛାତ୍ରଛାତ୍ରୀ ଏହି ଯୋଜନାର ନିୟମ ଅନୁଯାୟୀ ସହାୟତା ପାଇପାରିବେ। ଏଥିସହ ନିଜେ ଏଚ୍‌ଆଇଭି ସଂକ୍ରମିତ ଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସହାୟତା ପ୍ରଦାନର ସୁବିଧା ରହିଛି ।

ଉଚ୍ଚଶିକ୍ଷା ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଜାରି ରଖିବାରେ ଆର୍ଥିକ ସହାୟତା ଯୋଗାଇଦେବା। ଉପଲବ୍ଧ ଯୋଜନା ଅନୁଯାୟୀ, ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିଥାଏ। ସ୍ନାତକ ଓ ସ୍ନାତକୋତ୍ତର ସ୍ତରର ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀ ନିୟମ ଅନୁଯାୟୀ ଏହି ସହାୟତା ପାଇପାରିବେ। ଏହି ଆର୍ଥିକ ସହାୟତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ବନ୍ଧୀୟ ଖର୍ଚ୍ଚ, ପାଠ୍ୟ ସାମଗ୍ରୀ, ଯାତାୟାତ ଓ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ଆବଶ୍ୟକତା ପୂରଣରେ ସହାୟକ ହେବ । ଯୋଜନାରେ ଯୋଗ୍ୟତା ଅନୁଯାୟୀ ଅଣ-ବୈଷୟିକ, ବୈଷୟିକ ଓ ବୃତ୍ତିଗତ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ।

ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା କେବଳ ଏଚ୍‌ଆଇଭି/ ଏଡ଼ସ ପ୍ରଭାବିତ ପରିବାରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଯୋଜନାରେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ବର୍ଗଗୁଡ଼ିକ ମଧ୍ୟରେ ଏଚ୍‌ଆଇଭି/ ଏଡ଼ସ ଦ୍ୱାରା ପ୍ରଭାବିତ ପରିବାର, ସ୍ଥାୟୀ ଆଶ୍ରୟସ୍ଥଳ ନଥିବା ପରିବାର (ଗୃହହୀନ), ଅସହାୟ, ଦରିଦ୍ର ପରିବାର, ଆଦିମ ଜନଜାତି (PVTG), ଏକକ ମାତୃ ପରିବାର (ବିଧବା, ଛାଡ଼ପତ୍ର ପ୍ରାପ୍ତ କିମ୍ବା ନିର୍ଭରଶୀଳ ପିଲାମାନଙ୍କ ସହ ଥିବା ଅବିବାହିତ ମା’), ବିଶେଷ ଯତ୍ନ ଆବଶ୍ୟକ କରୁଥିବା ଅନାଥ ପିଲାମାନେ, କିନ୍ନର (ଟ୍ରାନ୍ସଜେଣ୍ଡର) ସମୁଦାୟର ଛାତ୍ରଛାତ୍ରୀ, ବାଲ୍ୟ ବିବାହରୁ ଉଦ୍ଧାର ହୋଇ ସ୍ୱୀକୃତିପ୍ରାପ୍ତ ଆଶ୍ରୟ ଗୃହ କିମ୍ବା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି ।

ତେଣୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ଯୋଜନା ବିଷୟରେ ଜାଣିବା ସହ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରି ଏହାର ସୁଯୋଗ ନେବା ଉପରେ ଗୁରୁତ୍ବାରୋପ କରିଥିଲେ । ବୈଠକରେ ଆଲୋଚନାର ଏକ ପ୍ରମୁଖ ବିଷୟ ଥିଲା, ଯୋଜନା ବିଷୟରେ ଜାଣିନଥିବା କିମ୍ବା ଆବେଦନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଅଭାବରୁ ସୁବିଧାରୁ ବଞ୍ଚିତ ହେଉଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ କିପରି ଚିହ୍ନଟ କରାଯାଇପାରିବ। ଏଥିପାଇଁ ଜିଲ୍ଲା ସ୍ତରରେ ଓସାକ୍ସ ଅଧୀନରେ ଥିବା ବିଭିନ୍ନ ସେବା କେନ୍ଦ୍ର ଓ ସମ୍ପୃକ୍ତ ସହଯୋଗୀ ସଂଗଠନଗୁଡ଼ିକ ମାଧ୍ୟମରେ ଏଚ୍‌ଆଇଭି/ ଏଡ଼ସ ପ୍ରଭାବିତ ପରିବାରର ଉଚ୍ଚଶିକ୍ଷାରତ ଯୁବକ-ଯୁବତୀଙ୍କୁ ଏହି ଯୋଜନା ସମ୍ପର୍କରେ ସୂଚନା ପହଞ୍ଚାଇବା ଉପରେ ଆଲୋକପାତ କରାଯାଇଥିଲା।

କଲେଜଗୁଡ଼ିକରେ କାର୍ଯ୍ୟରତ ରେଡ୍ ରିବନ୍ କ୍ଲବ୍‌ (RRC) ମାଧ୍ୟମରେ ଏଚ୍‌ଆଇଭି/ ଏଡ଼ସ ସଚେତନତା ସହିତ ବିଭିନ୍ନ ସରକାରୀ ଶିକ୍ଷା ସହାୟତା ଯୋଜନା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ଦିଗରେ ମଧ୍ୟ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିଲା । ଏଚ୍‌ଆଇଭି ସଂକ୍ରମିତ ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ଭେଦଭାବର ଶିକାର ନହୁଅନ୍ତି, ସେଥିପାଇଁ ସଚେତନତା ବୃଦ୍ଧି ସହ ଭେଦଭାବମୁକ୍ତ ଓ ସମ୍ମାନଜନକ ଶିକ୍ଷା ପରିବେଶ ସୃଷ୍ଟି ଉପରେ ମଧ୍ୟ ଦୁଇ ବିଭାଗର ସମନ୍ୱୟକୁ ଗୁରୁତ୍ୱ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଦେଶ ଅନୁଯାୟୀ, ଏଚ୍‌ଆଇଭିଏସ୍‌ (HI&VS) ନିର୍ଦ୍ଦେଶକ ଡା. ଅକ୍ଷୟ କୁମାର ଶତପଥୀ ୧ ସେପ୍ଟେମ୍ବର, ୨୦୨୬ରେ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାଇତ୍ଵ ଗ୍ରହଣ କରିଛନ୍ତି । ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଶୋକ କୁମାର ଗୌଡ଼, ଓସାକ୍ସର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ନମିତା ମିଶ୍ର, ପ୍ରଶାସନିକ ଅଧିକାରୀ ସୁଶ୍ରୀ ଶତାବ୍ଦୀ ରାୟ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Exit mobile version