ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଳବ୍ ପକ୍ଷରୁ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ଆୟୋଜିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଶ୍ରୀମତୀ ସରୋଜା ଷଡ଼ଙ୍ଗୀ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ମାନଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ ଓ ରେଡ୍ ରିବନ୍ କ୍ଳବ୍ ସଭ୍ୟା ମାନେ ସକାଳୁ ରେଡ୍ ରିବନ୍ ରାକ୍ଷୀ ପ୍ରସ୍ତୁତ କରିଥିଲେ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀ ମାନ ହାତରେ ବାନ୍ଧି ଥିଲେ । AIDS ରୋଗ ସୃଷ୍ଟି କରୁଥିବା ଭୂତାଣୁ HIVର ପ୍ରତୀକକୁ ରାକ୍ଷୀ ରୂପେ ସ୍ଵେଛାସେବୀମାନେ ନିର୍ମାଣ କରିଥିଲେ।

ରାକ୍ଷୀ ବାନ୍ଧିବା ସମୟରେ ଏଡ଼ସ୍ ସମ୍ବନ୍ଧୀୟ ସଚେତନତାର ବାର୍ତ୍ତାକୁ ସମସ୍ତ ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରସାରଣ କରାଯାଇଥିଲା।ଏପରି ଏକ ଭିନ୍ନ ଧରଣର ରାକ୍ଷୀ ବନ୍ଧନ ଗତ ୨୦୧୦ ମସିହାରୁ ନିରବିଛିନ୍ନ ଓ କ୍ରମାଗତ ଭାବରେ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆୟୋଜିତ କରାଯାଉଅଛି ଏବଂ ଏଡ଼ସ୍ ସଚେତନତାର ବାର୍ତ୍ତାକୁ ମହାବିଦ୍ୟାଳୟ ତଥା ସମାଜରେ ପହଞ୍ଚାଯାଉଅଛି ବୋଲି କାର୍ଯ୍ୟକ୍ରମର ସଂଯୋଜିକା ତଥା ରେଡକ୍ରସ୍ କାଉନସିଲର ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ର କହିଥିଲେ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶଂସା କରିଥିଲେ। ଛାତ୍ରୀ ମାନେ ଆଜି ସଚେତନ ହୋଇ ନିଜର ପରିବାର, ଗ୍ରାମ ତଥା ସମାଜକୁ ସଚେତନ କରାଇବା ପାଇଁ ଆହ୍ଵାନ କରିଥିଲେ।

Exit mobile version