ଜେନ୍ ଜେଡ୍‌ରୁ ଜେନ୍ ଆଲ୍ଫା : ଭାରତର ନୂଆ ପିଢ଼ିର ନୂଆ ଆହ୍ୱାନ 

(ଆନ୍ଦୋଳନରୁ ଉତ୍ତରଦାୟିତ୍ୱ ପର୍ଯ୍ୟନ୍ତ—ଭାରତୀୟ ସମାଜ, ରାଜନୀତି ଓ ସଂସ୍କୃତିରେ ନୂଆ ପରିବର୍ତ୍ତନର ସଙ୍କେତ)  ଦିଗମ୍ବର ବେହେରା, ଅଧିବକ୍ତା ଓ ସାମାଜିକ କର୍ମୀ, ବ୍ରହ୍ମଗିରି, ପୁରୀ,୯୪୩୭୫୦୧୨୬୭/ଇମେଲ୍ bhaidigambar@gmail.com

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର  :- ଭାରତୀୟ ସମାଜ ଏବେ ଏକ ନୂଆ ପିଢ଼ିର ପ୍ରଶ୍ନ ସାମ୍ନା କରୁଛି। ଦୁଇଟି ଶବ୍ଦ ଆଜି ଦେଶର ରାଜନୈତିକ ଓ ସାମାଜିକ ଆଲୋଚନାର କେନ୍ଦ୍ରରେ—ଜେନ ଜେଡ୍ ଓ ଜେନା ଆଲ୍ଫା (Gen Z ଓ Gen Alpha)। ଏହି ଦୁଇ ଶବ୍ଦ ମୂଳତଃ ପିଢ଼ିଗତ ପରିଚୟ; ଏଗୁଡ଼ିକ ନିଜେ କୌଣସି ରାଜନୈତିକ ଶବ୍ଦ ବା ଦଳ ନୁହେଁ। କିନ୍ତୁ ୨୦୨୬ରେ ଶିକ୍ଷା, ପରୀକ୍ଷା, ନିଯୁକ୍ତି, ସରକାରୀ ଉତ୍ତର ଦାୟିତ୍ଵ ଓ ଭବିଷ୍ୟତର ଅନିଶ୍ଚିତତାକୁ ନେଇ ଯୁବ ଅସନ୍ତୋଷ ଯେପରି ରାସ୍ତାକୁ ଆସିଛି, ତାହା ଏହି ପିଢ଼ିଗୁଡ଼ିକୁ ଏକ ନୂଆ ରାଜନୈତିକ ଅର୍ଥ ଦେଇଛି । ଏହି ପରିପ୍ରେକ୍ଷୀରେ କକ୍ରୋଚ ଜନତା ପାର୍ଟି, ସଂକ୍ଷେପରେ ସିଜେପି ଆନ୍ଦୋଳନ ଜାତୀୟ ଚର୍ଚ୍ଚାର ଏକ ବିରାଟ ପ୍ରସଙ୍ଗରେ ପରିଣତ ହୋଇସାରିଛି ।

ଜେନା ଜେଡ ଓ ଜେନ୍ ଆଲ୍ଫା କିଏ ? ସାଧାରଣତଃ ୧୯୯୭ ପରେ ଜନ୍ମିତ ପିଢ଼ିକୁ ଜେନ୍ ଜେଡ୍ ବୋଲି କୁହାଯାଏ; ବିଭିନ୍ନ ସଂସ୍ଥା ବର୍ଷ ସୀମାରେ ସାମାନ୍ୟ ଭିନ୍ନତା ରଖନ୍ତି। ମୁଖ୍ୟତଃ ଏମାନେ ଇଣ୍ଟରନେଟ୍, ସ୍ମାର୍ଟଫୋନ୍ ଓ ସୋସିଆଲ୍ ମିଡିଆ ସହିତ ବଢ଼ିଥିବା ପିଢ଼ି।ତାଙ୍କ ପରବର୍ତ୍ତୀ ପିଢ଼ିକୁ ଜେନ୍ ଆଲ୍ଫା କୁହାଯାଏ। ମାର୍କ ମାକ୍ଡିଲ୍ ଙ୍କ ଗବେଷଣା ଅନୁସାରେ ଜେନା ଆଲ୍ଫା ର ଆରମ୍ଭ ୨୦୧୦ରୁ ଧରାଯାଏ। ‘ଜେଡ୍’ ପରେ ପୁଣି ‘ଏ’କୁ ଫେରିବା ପରିବର୍ତ୍ତେ ଗ୍ରୀକ୍ ଅକ୍ଷରମାଳାର ‘ଆଲ୍ଫା ’ ନାମ ବାଛିବାର ଅର୍ଥ ଥିଲା—ଏହା ଏକ ନୂଆ ଶତାବ୍ଦୀର ପ୍ରଥମ ସମ୍ପୂର୍ଣ୍ଣ ପିଢ଼ି।ତେଣୁ ଜେନ୍ ଜେଡ୍ କିମ୍ବା ଜେନ୍ ଆଲ୍ଫା କୁ ‘ଆନ୍ଦୋଳନ’ ବୋଲି କହିବା ଠିକ୍ ନୁହେଁ। ଏହି ପିଢ଼ି ମଧ୍ୟରୁ ଉଠୁଥିବା ବିଭିନ୍ନ ଦାବି ଓ ଆନ୍ଦୋଳନ ହିଁ ଆଜିର ଚର୍ଚ୍ଚାର ବିଷୟ।

କେଉଁଠୁ ଆସିଲା କକ୍ରୋଚ ଜନତା ପାର୍ଟି? ୨୦୨୬ ମେ’ ୧୬ରେ ଅଭିଜିତ ଦୀପକେଙ୍କ ନେତୃତ୍ୱରେ କକ୍ରୋଚ ଜନତା ପାର୍ଟିର ଆରମ୍ଭ ହୋଇଥିବା ଏହାର ନିଜସ୍ୱ ପ୍ଲାଟଫର୍ମ ଦାବି କରେ। ତେବେ ଜୁନ୍‌ରେ ଦିଲ୍ଲୀର ଜନ୍ତରମନ୍ତର ରେ ଆନ୍ଦୋଳନ କରି ଏହା ଜାତୀୟ ଚର୍ଚ୍ଚାରେ ଆସିଲା।‘କକ୍ରୋଚ୍’ ବା ଅସରପା ଶବ୍ଦଟି ଏଠାରେ ଏକ ବ୍ୟଙ୍ଗାତ୍ମକ ପ୍ରତୀକ। ଯେଉଁ ଜୀବକୁ ସହଜରେ ନଷ୍ଟ କରିହେବ ନାହିଁ, ତାହାକୁ ପ୍ରତୀକ କରିଆନ୍ଦୋଳନକାରୀମାନେ ନିଜର ସହନଶୀଳତା ଓ ପୁନର୍ବାର ଉଠିବାର ମନୋଭାବକୁ ପ୍ରକାଶ କରିଛନ୍ତି।ସିଜେପିର ପ୍ରମୁଖ ମୁଦ୍ଦା ବା ପ୍ରସଙ୍ଗ ଥିଲା ପରୀକ୍ଷାରେ ଅନିୟମିତତା, ପେପର୍ ଲିକ୍, ନିଟ୍ ଓ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାର ବିଶ୍ୱସନୀୟତା, ନିଯୁକ୍ତି ଓ ଯୁବ ଭବିଷ୍ୟତର ସୁରକ୍ଷା।

ଜୁନ୍‌ର ଜନ୍ତରମନ୍ତର ଆନ୍ଦୋଳନ କ୍ରମେ ଦୀର୍ଘସ୍ଥାୟୀ ହେଲା। ଜୁଲାଇ ୨୦ରେ ‘ସଂସଦ ଚଲୋ’ ମାର୍ଚ୍ଚ ସମୟରେ ପୁଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ଗୁରୁତର ମୁହାଁମୁହିଁ ଘଟିଥିଲା। ପୁଲିସର ରିପୋର୍ଟ ଅନୁସାରେ ୧୧୮ରୁ ଅଧିକ ପୁଲିସ କର୍ମଚାରୀ ଓ ପ୍ରାୟ ୬୦ ଜଣ ପ୍ରତିବାଦକାରୀ ଆହତ ହୋଇଥିଲେ; ଏହା ପରେ ଦଙ୍ଗା, ସରକାରୀ ସମ୍ପତ୍ତି କ୍ଷତି ଓ ଅନ୍ୟ ଅଭିଯୋଗରେ ଅଭିଯୋଗ ଫର୍ଦ୍ଦ ଦାୟର ହୋଇଥିଲା। ଏଠାରେ ଗଣତନ୍ତ୍ରର ଏକ ମୌଳିକ ପ୍ରଶ୍ନ ଉଠେ—ପ୍ରତିବାଦ କରିବା ଅଧିକାର ଓ ଆଇନ-ଶୃଙ୍ଖଳାର ସୀମା କେଉଁଠି?

ସରକାରକୁ ପ୍ରଶ୍ନ କରିବା ଗଣତନ୍ତ୍ରର ଅଧିକାର। କିନ୍ତୁ ହିଂସା, ସରକାରୀ ସମ୍ପତ୍ତି ନଷ୍ଟ କିମ୍ବା ଆଇନ ଭଙ୍ଗ କୌଣସି ଆନ୍ଦୋଳନର ନୈତିକ ଶକ୍ତିକୁ ବଢ଼ାଏ ନାହିଁ। ବିରୋଧୀ ଦଳର ସମର୍ଥନ—ଆନ୍ଦୋଳନ କି ରାଜନୀତି?  ସିଜେପି ଆନ୍ଦୋଳନ ବଢ଼ିବା ସହିତ ବିଭିନ୍ନ ବିରୋଧୀ ଦଳ କଂଗ୍ରେସ,ଆପ୍,, ଏସ୍ପି,ଟିଏମ ସି,, ଉଦ୍ଧବ ଗୋଷ୍ଠୀ ଶିବସେନା), ବାମ ଦଳ ଓ ରାଜଦ ସମେତ ଅନେକ ଦଳ ଏହାକୁ ସମର୍ଥନ କରିଛନ୍ତି ଏହା ଭାରତୀୟ ରାଜନୀତିର ଏକ ନୂଆ ସମୀକରଣକୁ ପ୍ରକାଶ କରିଛି ।

ଯୁବ ଅସନ୍ତୋଷ ଏବେ କେବଳ କ୍ୟାମ୍ପସର ପ୍ରଶ୍ନ ନୁହେଁ; ଏହା ନିର୍ବାଚନୀ ରାଜନୀତିର ପ୍ରଶ୍ନ ହୋଇପାରେ। କଙ୍କଡାକୁ ଗୋଳିଆ ପାଣି ସୁହାଇଲା ଭଳି ଏହି ନୂଆ ପିଢ଼ିର ଆବିର୍ଭାବ ଓ ଆନ୍ଦୋଳନ ବିରୋଧୀ ଦଳ ମାନଙ୍କ ପାଇଁ ସୁହାଇଛି। କିନ୍ତୁ ସିଜେପି ନିଜକୁ ପାରମ୍ପରିକ ନିର୍ବାଚନୀ ଦଳରେ ପରିଣତ କରିବାକୁ ଏପର୍ଯ୍ୟନ୍ତ ଅନିଚ୍ଛା ପ୍ରକାଶ କରିଛି। ସଂଗଠନର ନେତୃତ୍ୱ ଏହାକୁ ଏକ ବ୍ୟାପକ ଜନଚାପ ଓ ସଂସ୍ଥାଗତ ସଂସ୍କାରର ଆନ୍ଦୋଳନ ଭାବେ ଦେଖାଇବକୁ ଚେଷ୍ଟା କରୁଛି।

‘ବିଶ୍ୱବିଦ୍ୟାଳୟରୁ ସ୍କୁଲ୍’ ପର୍ଯ୍ୟନ୍ତ ଏହି ପରିବର୍ତ୍ତନର ଅନ୍ୟ ଏକ ବଡ଼ ଦିଗ ହେଉଛି—ଆନ୍ଦୋଳନ କେବଳ ବଡ଼ ସହର କିମ୍ବା ବିଶ୍ୱବିଦ୍ୟାଳୟରେ ଅଟକି ନାହିଁ।ଉତ୍ତରପ୍ରଦେଶ, ବିହାର ଓ ରାଜସ୍ଥାନରେ ଜେନ୍ ଆଲ୍ଫା ବୟସର ସ୍କୁଲ୍ ଛାତ୍ରଛାତ୍ରୀ ଶିକ୍ଷକ ଅଭାବ, ସ୍କୁଲ୍ ଭବନ, ପାଣି, ଶୌଚାଳୟ ଓ ଅନ୍ୟ ମୌଳିକ ସୁବିଧା ପାଇଁ ପ୍ରତିବାଦ କରିଥିବା ରିପୋର୍ଟ ଆସିଛି । ଅଗଷ୍ଟ ୨୬ରେ ଛତିଶଗଡ଼ରେ ମଧ୍ୟ ଛାତ୍ରମାନଙ୍କ ଦୀର୍ଘ ପ୍ରତିବାଦ ପରେ ଶିକ୍ଷାମନ୍ତ୍ରୀ ସେମାନଙ୍କ ସହ ଯୋଗାଯୋଗ କରିଥିଲେ।ଏହା ଏକ ବଡ଼ ସାମାଜିକ ସଙ୍କେତ। ଯେଉଁ ପିଢ଼ି ଏପର୍ଯ୍ୟନ୍ତ ଭୋଟ ଦେବା ବୟସରେ ପହଞ୍ଚିନାହିଁ, ସେମାନେ ମଧ୍ୟ ନିଜ ସ୍କୁଲ୍ ଓ ଭବିଷ୍ୟତ ସମ୍ପର୍କରେ ପ୍ରଶାସନକୁ ପ୍ରଶ୍ନ କରୁଛନ୍ତି।

ଭାରତୀୟ ସମାଜରେ ପ୍ରଭାବ ଏହି ଘଟଣାର ପ୍ରଥମ ପ୍ରଭାବ ହେଉଛି ପ୍ରଶ୍ନ କରିବାର ସଂସ୍କୃତିର ଅହେତୁକ ବୃଦ୍ଧି। ନୂଆ ପିଢ଼ି ପଦ, ବୟସ କିମ୍ବା ପ୍ରତିଷ୍ଠା ଦେଖି ଚୁପ୍ ରହିବାକୁ ଚାହୁଁନାହିଁ। ସେମାନେ ତଥ୍ୟ ଓ ସୂଚନା ଚାହୁଁଛନ୍ତି, ଜବାବଦେହିତା ଚାହୁଁଛନ୍ତି ଓ ନିଷ୍ପତ୍ତି ପ୍ରକ୍ରିୟାରେ ନିଜର ଭୂମିକା ଚାହୁଁଛନ୍ତି। ଦ୍ୱିତୀୟ ପ୍ରଭାବ—ଡିଜିଟାଲ୍ ନାଗରିକତାର ଉଦୟ,ଏକ୍ସ,, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍, ସର୍ଟ ଭିଡିଓ ଓ ଅନ୍ ଲାଇନ୍ କ୍ୟାମ୍ଫେନ୍ ଆଜି ରାଜନୈତିକ ମତ ଗଠନର ନୂଆ ମାଧ୍ୟମ ପାଲଟିଛି।

ତୃତୀୟ ପ୍ରଭାବ—ପିଢ଼ି ମଧ୍ୟରେ ଚିନ୍ତାଧାରାର ତଫାତ। ବୟସ୍କ ପିଢ଼ି ଯେଉଁଠି ଦଳ, ନେତା ଓ ପାରମ୍ପରିକ ରାଜନୀତିକୁ ଗୁରୁତ୍ୱ ଦିଏ, ଜେନ୍ ଜେଡ୍ ଅଧିକ ପ୍ରସଙ୍ଗଭିତ୍ତିକ ଓ ଫଳାଫଳମୁଖୀ ରାଜନୀତି ଚାହୁଁଛି। କିନ୍ତୁ ଏହାର ବିପଦ ମଧ୍ୟ ଅଛି—ଭୁଲ୍ ଖବର, ଅପପ୍ରଚାର, ଅନଲାଇନ୍ ଜରିଆରେ ଆନ୍ଦୋଳନ ମାନସିକତା, ଘୃଣା ଓ ଅତିରଞ୍ଜିତ ରାଜନୈତିକ ଧ୍ରୁବୀକରଣ ।

ରାଜନୀତିରେ କ’ଣ ପରିବର୍ତ୍ତନ ଆସିବ? ଭାରତୀୟ ରାଜନୀତି ପାଇଁ ଜେନ୍ ଜେଡ୍ ର ସବୁଠାରୁ ବଡ଼ ସନ୍ଦେଶ ହେଉଛି—ଯୁବକଙ୍କୁ କେବଳ ଭୋଟର ଭାବେ ନୁହେଁ, ନୀତି ନିର୍ମାଣର ସହଭାଗୀ ଭାବେ ଦେଖିବାକୁ ହେବ। ଚାକିରି, ଶିକ୍ଷା, ପରୀକ୍ଷାର ସ୍ୱଚ୍ଛତା, ଦକ୍ଷତା ବିକାଶ, ଷ୍ଟାର୍ଟ ଅଫ୍, ମାନସିକ ସ୍ଵାସ୍ଥ୍ୟ ବିକାଶ, ଡିଜିଟାଲ୍ ଅଧିକାର ଓ ଭବିଷ୍ୟତର ନିଶ୍ଚିତତା ଆଗାମୀ ନିର୍ବାଚନର ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇପାରେ। ଯଦି ସିଜେପି ପରି ଆନ୍ଦୋଳନଗୁଡ଼ିକ ଦୀର୍ଘକାଳୀନ ଭାବେ ଟିକି ରହନ୍ତି, ତେବେ ୨୦୨୯ର ଲୋକସଭା ନିର୍ବାଚନ ସମେତ ଆଗାମୀ ନିର୍ବାଚନରେ ଯୁବ ଭୋଟ ଏକ ନିର୍ଣ୍ଣାୟକ ଆଲୋଚନା ହୋଇପାରେ। ରଏଟର୍ସ୍ ମଧ୍ୟ ଏହି ଆନ୍ଦୋଳନକୁ ଯୁବ ଅସନ୍ତୋଷର ଏକ ବଡ଼ ରାଜନୈତିକ ସଙ୍କେତ ଭାବେ ବିଶ୍ଳେଷଣ କରିଛି ।

ସାଂସ୍କୃତିକ କ୍ଷେତ୍ରରେ ନୂଆ ଭାଷା ଜେନ୍ ଜେଡ୍ ରାଜନୀତିକ ଭାଷାକୁ ମଧ୍ୟ ବଦଳାଉଛି। ମିମ୍, ବ୍ୟଙ୍ଗ, କାର୍ଟୁନ୍, ସ୍ଲୋଗାନ୍ ଓ ଛୋଟ ଭିଡିଓ ଏବେ ରାଜନୈତିକ ଅଭିବ୍ୟକ୍ତିର ଅସ୍ତ୍ର। ‘କକ୍ରୋଚ’ ବା ଅସରପା ପରି ଏକ ଅପମାନଜନକ ଶବ୍ଦକୁ ନିଜ ପ୍ରତୀକ କରିବା ଏହି ନୂଆ ସାଂସ୍କୃତିକ ପ୍ରତିରୋଧର ଉଦାହରଣ। ଏହାର ସକାରାତ୍ମକ ଦିଗ ହେଉଛି—ଯୁବମାନେ ରାଜନୀତିକୁ ଅଧିକ ସୃଜନଶୀଳ ଓ ସହଜ ଭାଷାରେ ଆଲୋଚନା କରୁଛନ୍ତି । ନକାରାତ୍ମକ ଦିଗ ହେଉଛି—ବ୍ୟଙ୍ଗ ଓ ଅପମାନର ସୀମା ଅନେକ ସମୟରେ ଧୁସର ହୋଇଯାଉଛି । ଭାରତ ପାଇଁ ଚ୍ୟାଲେଞ୍ଜ ହେଉଛି—ଏହି ଡିଜିଟାଲ୍ ଶକ୍ତିକୁ ଭାରତୀୟ ଭାଷା, ସାହିତ୍ୟ, ଲୋକକଳା, ଐତିହ୍ୟ ଓ ସମ୍ବିଧାନିକ ମୂଲ୍ୟବୋଧ ସହିତ ଯୋଡ଼ିବା।

ଓଡ଼ିଶାରେ ପ୍ରଭାବ କ’ଣ? ଓଡ଼ିଶାରେ CJP ନାମରେ ବିହଙ୍ଗମ ଜନଆନ୍ଦୋଳନ ଘଟିଛି ବୋଲି କହିବା ପାଇଁ ଏବେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। କିନ୍ତୁ ଜେନ୍ ଜେଡ୍ ର ପ୍ରଶ୍ନଗୁଡ଼ିକ ଓଡ଼ିଶା ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ। ସରକାରୀ ନିଯୁକ୍ତି ପରୀକ୍ଷା, ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଷ୍ଟାର୍ଟ ଅଫ୍, ଗ୍ରାମୀଣ ଯୁବକଙ୍କ ସୁଯୋଗ, ବାହାର ରାଜ୍ୟକୁ ଚାକିରି ପାଇଁ ଯୁବକଙ୍କ ପ୍ରବାସ—ଏସବୁ ଓଡ଼ିଶାର ଯୁବ ସମାଜର ପ୍ରକୃତ ପ୍ରଶ୍ନ। ୨୦୨୬ରେ ଓଡ଼ିଶାର ରାଜ୍ୟ ସିଲେକ୍ସନ ବୋର୍ଡ ପରି ନିଯୁକ୍ତି ପ୍ରକ୍ରିୟାରେ ପରୀକ୍ଷା ଓ ଆବେଦନ ସମ୍ପର୍କିତ ନିରନ୍ତର ସୂଚନା ଜାରି ହେଉଥିବା ମଧ୍ୟ ଦେଖାଯାଉଛି। ଏହା ପ୍ରମାଣ କରେ ଯେ ପରୀକ୍ଷା-ନିଯୁକ୍ତିର ପ୍ରଶ୍ନ ଓଡ଼ିଶାର ଯୁବକଙ୍କ ଜୀବନର ଏକ କେନ୍ଦ୍ରୀୟ ବିଷୟ।

ଓଡ଼ିଶାର ଭବିଷ୍ୟତରେ ଜେନ୍ ଜେଡ୍ ର ଆଉ ଏକ ବଡ଼ ଭୂମିକା ରହିପାରେ—ଓଡ଼ିଆ ଭାଷା ଓ ଓଡ଼ିଆ ସଂସ୍କୃତିକୁ ଡିଜିଟାଲ୍ ଜଗତରେ ନୂଆ ରୂପ ଦେବା। ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ସାହିତ୍ୟ, ଲୋକଗୀତ, ଲୋକକଳା, ପଟ୍ଟଚିତ୍ର, ଓଡ଼ିଶୀ ନୃତ୍ୟ ଓ ଐତିହ୍ୟକୁ ୟୁଟ୍ୟୁବ୍, ପୋଡ୍ କାଷ୍ଟ, ଡିଜିଟାଲ ଆର୍କାଇଭ୍ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଶ୍ୱରେ ପହଞ୍ଚାଇବାର କ୍ଷମତା ଏହି ପିଢ଼ିର ଅଛି। ଆଗାମୀ ଦିନରେ ଓଡ଼ିଶାରେ କ’ଣ ହୋଇପାରେ? ଯଦି ଯୁବମାନଙ୍କ ପ୍ରଶ୍ନର ଉତ୍ତର ସମୟରେ ନମିଳେ, ତେବେ ଓଡ଼ିଶାରେ ମଧ୍ୟ ପ୍ରସଙ୍ଗ ଭିତ୍ତିକ ଯୁବ ଆନ୍ଦୋଳନ ବଢ଼ିପାରେ।

ବିଶେଷକରି—

ନିଯୁକ୍ତି ଓ ପରୀକ୍ଷା ସ୍ୱଚ୍ଛତା,

ସରକାରୀ ବିଦ୍ୟାଳୟ ଓ ଉଚ୍ଚଶିକ୍ଷା,

ଯୁବ ଉଦ୍ୟମିତା,

ଡିଜିଟାଲ୍ ଅଧିକାର,

ଓଡ଼ିଆ ଭାଷା ଓ ସଂସ୍କୃତି,

ପରିବେଶ ଓ ଜଳବାୟୁ,

କ୍ରୀଡ଼ା ଓ ଚାକିରି,

ଆଗାମୀ ଦିନରେ ଯୁବ ରାଜନୀତିର ପ୍ରମୁଖ ପ୍ରସଙ୍ଗ ହୋଇପାରେ।

ସମାଧାନର ପଥ କ’ଣ?

ଏହି ଆନ୍ଦୋଳନକୁ ଦମନ କରିବା ନୁହେଁ, ଏହାର ମୂଳ ପ୍ରଶ୍ନର ସମାଧାନ କରିବା ହିଁ ସଠିକ୍ ପଥ। ପ୍ରଥମେ, ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବା ଆବଶ୍ୟକ। ଦ୍ୱିତୀୟତଃ, ପ୍ରତ୍ୟେକ ରାଜ୍ୟରେ ୟୁଥ୍ ପଲିସି କାଉନସିଲ୍ ଗଠନ କରାଯାଇ ଯୁବ ପ୍ରତିନିଧିଙ୍କୁ ନୀତି ନିର୍ମାଣରେ ସାମିଲ କରାଯିବା ଉଚିତ। ତୃତୀୟତଃ, ବିଶ୍ୱବିଦ୍ୟାଳୟ ଓ କଲେଜରେ ଷ୍ଟୁଡେଣ୍ଟ୍ ପାର୍ଲିଆମେଣ୍ଟ କିମ୍ବା ୟୁଥ୍ ପଲିସି ଫୋରମ୍ ଆଦି ଗଠନ କରି ଛାତ୍ରମାନଙ୍କୁ ଗଣତାନ୍ତ୍ରିକ ଭାବେ ନୀତି ଆଲୋଚନାର ସୁଯୋଗ ଦିଆଯାଉ।

ଚତୁର୍ଥତଃ, ସ୍କୁଲ୍‌ରୁ ସମ୍ବିଧାନ, ନାଗରିକ ଅଧିକାର, ଡିଜିଟାଲ୍ ସାକ୍ଷରତା, ସତ୍ୟର ପରୀକ୍ଷଣ ଓ ଦାୟିତ୍ୱଶୀଳ ସୋସିଆଲ୍ ମିଡିଆ ବ୍ୟବହାର ଶିକ୍ଷା ଦିଆଯାଉ। ପଞ୍ଚମତଃ, ଯୁବମାନଙ୍କ ପାଇଁ ଦକ୍ଷତା , ଷ୍ଟାର୍ଟ ଅଫ୍, ଆପ୍ରେଣ୍ଟିସିପ୍ ଓ ଉଦ୍ୟୋଗ ସୃଷ୍ଟିକୁ ରାଜ୍ୟ ଓ କେନ୍ଦ୍ର ନୀତିର କେନ୍ଦ୍ରରେ ରଖାଯାଉ। ଷଷ୍ଠତଃ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାରକୁ ସମ୍ମାନ ଦିଆଯାଉ; କିନ୍ତୁ ହିଂସା ଓ ସମ୍ପତ୍ତି ନଷ୍ଟ ବିରୋଧରେ ଆଇନସମ୍ମତ ପଦକ୍ଷେପ ମଧ୍ୟ ସମାନ ଭାବରେ ରହୁ।ଉପସଂହାର : ଏହା ବିଦ୍ରୋହ ନୁହେଁ, ଭବିଷ୍ୟତର ଦାବି ଜେନ୍ ଜେଡ୍ ଓ ଜେନ୍ ଆଲ୍ଫା କୁ କେବଳ ‘ମୋବାଇଲ୍ ପିଢ଼ି’, ‘ରିଲ୍ ପିଢ଼ି’ କିମ୍ବା ‘ଅଧୈର୍ଯ୍ୟ ପିଢ଼ି’ ବୋଲି ଅବହେଳା କରିବା ଏକ ବଡ଼ ଐତିହାସିକ ଭୁଲ୍ ହେବ। ଜନ୍ତରମନ୍ତରରୁ ସ୍କୁଲ୍ ପର୍ଯ୍ୟନ୍ତ ଯେଉଁ ସ୍ୱର ଉଠୁଛି, ତାହାର ମୂଳ ପ୍ରଶ୍ନ ହେଉଛି—“ଆମ ଭବିଷ୍ୟତ କିଏ ନିର୍ଦ୍ଧାରଣ କରିବ?”

ଆଜି ଜେନ୍ ଜେଡ୍ ପ୍ରଶ୍ନ କରୁଛି। ଆସନ୍ତାକାଲି ଜେନ୍ ଆଲ୍ଫା ନିଷ୍ପତ୍ତି ନେବ। ୨୦୨୬ର ସିଜେପି ଆନ୍ଦୋଳନ ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ସତ୍ୟ ମନେ ପକାଇଦେଲା—ଯୁବ ସମାଜକୁ ଦୀର୍ଘ ସମୟ ଅବହେଳା କରାଯାଇପାରେ, କିନ୍ତୁ ତାଙ୍କ ପ୍ରଶ୍ନକୁ ଚିରକାଳ ପାଇଁ ଚାପି ରଖାଯାଇପାରେ ନାହିଁ । ଆଜି ଏହି ଆନ୍ଦୋଳନ ନିଜକୁ ନିର୍ବାଚନୀ ରାଜନୀତିରୁ ଦୂରେ ରଖିବାର କଥା କହୁଛି । କିନ୍ତୁ ଆଗାମୀ ଦିନରେ ଏହା ଚାପ ଗୋଷ୍ଠୀ ଭାବେ ଶକ୍ତିଶାଳୀ ହେବ କି, ନିର୍ବାଚନୀ ରାଜନୀତିକୁ ପ୍ରବେଶ କରିବ କି, ନା ଅନ୍ୟ ଯୁବ ଆନ୍ଦୋଳନଗୁଡ଼ିକୁ ପ୍ରେରଣା ଦେଇ ଏକ ବଡ଼ ସାମାଜିକ ଶକ୍ତିରେ ପରିଣତ ହେବ—ତାହା ସମୟ ହିଁ କହିବ ।

ସିଜେପି ଅଗଷ୍ଟରେ ପୁଣି ‘ସିଜିନ -୨’ ଆନ୍ଦୋଳନର ସଙ୍କେତ ଦେଇଛି ଏବଂ ସେପ୍ଟେମ୍ବର ୫, ୨୦୨୬ରେ ଦିଲ୍ଲୀରେ ଏକ ଶାନ୍ତିପୂର୍ଣ୍ଣ ମାର୍ଚ୍ଚ ଘୋଷଣା କରିଛି । ଏହି ପରିସ୍ଥିତିରେ ଭାରତ ସରକାର, ରାଜନୈତିକ ଦଳ, ଶିକ୍ଷାନୁଷ୍ଠାନ ଓ ସମାଜ ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ଆମେ ଯୁବ ପିଢ଼ିକୁ କେବଳ ଭୋଟ ଦେବା ଦିନ ପର୍ଯ୍ୟନ୍ତ ମନେ ପକାଇବା, ନା ଦେଶ ଗଢ଼ିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଦିନ ତାଙ୍କ ସହ ଆଲୋଚନା କରିବା? ଉତ୍ତରଟି ଭାରତର ଆଗାମୀ ଗଣତନ୍ତ୍ରର ଦିଗ ନିର୍ଦ୍ଧାରଣ କରିବ।

Exit mobile version