ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନି.ପ୍ର) :- ବାଲି,ପଥର, ମୋରମ ଓ ମାଟି ଚୋରା ଚାଲାଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଏବେ ସବୁଠି ଚର୍ଚ୍ଚା । ଗତ କିଛି ମାସ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ନିତିଦିନିଆ ଘଟଣା ପାଲଟିଛି। ଯେଉଁଠି ଇଚ୍ଛା ପାରିଲେ ସେଠାରୁ ମାଫିଆ ଗୋଷ୍ଠୀ ସକ୍ରିୟ ହୋଇ ମନଭରି ନଦୀ,ପାହାଡ ଓ ପୋଖରୀକୁ ବିଦାରୀ ଭାରୀ ଯାନ ଯୋଗେ ଲଘୁ ଖଣିଜ ଦ୍ରବ୍ୟ ଅନ୍ୟତ୍ର ଚାଲାଣରେ ଲିପ୍ତ ଥିବା ସବୁଠି ଚର୍ଚ୍ଚା ହେଉଛି। ସର୍ବସମ୍ମୁଖରେ ଏଭଳି ଖୁଲମଖୋଲା ଲଘୁ ଖଣିଜ ଦ୍ରବ୍ୟ ଖନନ ଓ ବେଆଇନ ଭାବେ ପରିବହନ ହେଉଥିବା ବେଳେ ପ୍ରଶାସନର ନୀରବତା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ଜିଲ୍ଳାରେ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଘଟଣାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବି ବାଦ୍ ପଡିନି। ସକ୍ରିୟ ମାଫିଆ ଗୋଷ୍ଠୀ କିଏ ଓ କିପରି ଢଙ୍ଗରେ ପ୍ରସାଶନକୁ ପ୍ରଭାବିତ କରି ବାଲି,ପଥର, ମୋରମ ଓ ମାଟି ଚୋରା ଚାଲାଣ କରୁଥିବା ଜଣା ପଡ଼ିଛି। ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ହିଞ୍ଜିଳିକାଟୁ ବ୍ଲକ ଶିକିରି ଗ୍ରାମ ନୂଆଁ ସାହି ପୋଖରୀରୁ ଧରି ବେଧଡକ ଭାବେ ମାଟି ଚୋରା ଚାଲାଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗତ ଦୁଇ ଦିନ ଧରି ନୂଆଁ ସାହି ପୋଖରୀରୁ ଜେସିବି ମେସିନ ବ୍ୟବହାର କରି ପୋଖରୀର ଗଭୀରରୁ ମାଟି ତାଡ଼ି ଟ୍ରାକ୍ଟର ଯୋଗେ ଚାଲାଣ ହୋଇଥିବା ଜଣାପଡ଼ିଛି।

ପୋଖରୀ ହୁଡ଼ାକୁ ଖୋଳି ମାଫିଆ ଗୋଷ୍ଠୀ ଟ୍ରାକ୍ଟରରେ ଗ୍ରାମର ବିଭିନ୍ନ ବେସରକାରୀ ଜମି,ପଦର ଘରର ବାରି ପଟେ ଆଦି ସ୍ଥାନକୁ ମାଟି ଚାଲାଣ କରିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ଧରି ବେଧଡକ ଭାବେ ଏଭଳି ମାଟି ଚାଲାଣ ହେଉଥିବା ବେଳେ ଖନନ ସ୍ଥଳରେ ବ୍ଲକ, ତହସିଲ କିମ୍ୱା ଖଣିଜ ବିଭାଗର କୌଣସି ଅଧିକାରୀଙ୍କ ପାଦ ନ ପଡ଼ିବା ସାଧାରଣ ଲୋକଙ୍କୁ ଚକିତ କରିଛି। ପର୍ଯ୍ୟାୟ କ୍ରମେ ଉକ୍ତ ପୋଖରୀରୁ ଅନ୍ୟୁନ ହଜାର ହଜାର ଘନ ଫୁଟର ମାଟି ବେଆଇନ ଭାବେ ଚାଲାଣ ହୋଇଥିବା ସୁଚନା ମିଳିଛି।

ଲକ୍ଷ ଲକ୍ଷ ଟଙ୍କାର ମାଟି ଚାଲାଣ କରି ମାଫିଆ ଗୋଷ୍ଠୀ ମାଲାମାଲ୍ ହୋଇଥିବା ବେଳେ ସରକାରଙ୍କ ବିପୁଳ ପରିମାଣର ରାଜସ୍ବ କ୍ଷତି ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ପୋଖରୀରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ କାମ ନିର୍ମାଣାଧୀନ ଅଛି। ବେଆଇନ ଭାବେ ବ୍ୟାପକ ମାଟି ଖନନ ଓ ବେଧଡକ ଚାଲାଣ ଫଳରେ ପ୍ରକଳ୍ପର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ସାଧାରଣ ଲୋକେ ସ୍ଥାନୀୟ ତହସିଲଦାର, କନିଷ୍ଠ ଖଣିଜ ଅଧିକାରୀ,

ରାଜସ୍ବ ନୀରିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ଯ ଏହାପ୍ରତି କେହି ବି ଅଧିକାରୀ କର୍ଣ୍ଣପାତ କରିନଥିଲେ। ଯୋଗାଯୋଗ ସମୟରେ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ସୁଚନା ମିଳିପାରି ନଥିଲା। କେଉଁ ଅଦୃଶ୍ୟ ଚାପ ଆଗରେ ମାଫିଆଙ୍କ ବେଆଇନ କାର୍ଯ୍ୟକଳାପକୁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିଦାବିଷ୍ଣୁ ସାଜିଛି ତାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ୟ୍ଯ, ଚକିତ କରିଛି । ଏଭଳି ବେଆଇନ କାର୍ଯ୍ୟକଳାପକୁ ନେଇ ସଚେତନ ନାଗରିକ ମହଲ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Exit mobile version