ଦେଶର ଅଗ୍ନିବୀର ପରୀକ୍ଷାରେ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ (ଓଯେପିଟି) ଦ୍ଵାରା ପରିଚାଳିତ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀ ପକ୍ଷରୁ ଅଗ୍ନିବୀର ପରୀକ୍ଷାରେ ସଫଳତା ହାସଲ କରିଥିବା ଯୁବ ପ୍ରାର୍ଥୀମାନଙ୍କୁ ଅଗଷ୍ଟ ୨୬ ତାରିଖ ଦିନ କଟକର ନରଣପୁର, ବାରଙ୍ଗଠାରେ ଥିବା ଏକାଡ଼େମୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ସମ୍ମାନିତ କରାଯାଇଛି । ଓଯେପିଟିର ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀର ୨୦୨୬ ମସିହାର ପ୍ରଥମ ବ୍ୟାଚ୍‌ର ପ୍ରାର୍ଥୀମାନେ ଭାରତୀୟ ସେନାର ଅଗ୍ନିବୀର ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ୧୦୦% ସଫଳତା ହାସଲ କରିଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଆଇ.ଏ.ଏସ୍. ଅଫିସର୍ , ଶ୍ରୀଯୁକ୍ତ ସନ୍ତୋଷ କୁମାର ଶତପଥୀ, ଏକ୍ସ ମେମ୍ବର ଅଫ୍ ଷ୍ଟେଟ୍ ୱମେନ୍ କମିଶନ୍ ଓଡ଼ିଶା , ଶ୍ରୀମତୀ ନମ୍ରତା ଚଢ଼ା, ଡାଇରେକ୍ଟର ଆଇ.ଆଇ.ଜି ଭାରସିଟି , ଶ୍ରୀଯୁକ୍ତ ଅଦିତ୍ ଜେନା, ପୂର୍ବତନ ଏନ୍. ସି. ସି. ଗ୍ରୁପ୍ କମାଣ୍ଡର୍ ଏବଂ ସିନିୟର୍ ଆର୍ମୀ ଅଫିସର୍, କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ସମେତ ସମ୍ମାନୀତ ଅତିଥି ମାନେ ଉପସ୍ଥିତ ଥିଲେ ।

ଆୟୋଜିତ ଏହି ସମାରୋହରେ ଛାତ୍ରଛାତ୍ରୀ, ଅଭିଭାବକ, ପ୍ରଶିକ୍ଷକ ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ସମ୍ମାନୀତ ଅତିଥିମାନେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କର ପରିଶ୍ରମ, ଶୃଙ୍ଖଳା ଓ ସମର୍ପଣକୁ ପ୍ରଶଂସା କରିଥିଲେ । ଓଯେପିଟିର ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀର୨୦୨୬ର ପ୍ରଥମ ବ୍ୟାଚ୍‌ର ସମସ୍ତ ପ୍ରାର୍ଥୀ, ଯେଉଁମାନେ ଅଗ୍ନିବୀର ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଅବତୀର୍ଣ୍ଣ ହୋଇଥିଲେ, ସମସ୍ତେ ଯୋଗ୍ୟତା ହାସଲ କରିଛନ୍ତି। ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ପରିଶ୍ରମ, ଅଭିଭାବକମାନଙ୍କ ସହଯୋଗ ଏବଂ ପ୍ରଶିକ୍ଷକମାନଙ୍କ ମାର୍ଗଦର୍ଶନକୁ ପ୍ରଶଂସା କରିଥିଲେ। ଯୁବପିଢ଼ିମାନଙ୍କୁ ଦେଶସେବା ପାଇଁ ପ୍ରସ୍ତୁତ କରିବାରେ ଶୃଙ୍ଖଳା, ଦୃଢ଼ ମନୋବଳ ଓ ନିରନ୍ତର ପରିଶ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ।

ଓଡ଼ିଶାର ଯୁବପିଢ଼ିମାନଙ୍କ ସଶକ୍ତିକରଣ, ନିଯୁକ୍ତି ଓ ସାମାଜିକ ବିକାଶ ଦିଗରେ ଏଭଳି ପ୍ରୟାସକୁ ମିଳୁଥିବା ସମସ୍ତ ସହଯୋଗ ଓ ଉତ୍ସାହ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଭବିଷ୍ୟତରେ ମଧ୍ୟ ଅଧିକ ଯୁବକ ଯୁବତୀମାନଙ୍କୁ ସଶସ୍ତ୍ର ବାହିନୀ, ବିଭିନ୍ନ ୟୁନିଫର୍ମଡ୍ ସର୍ଭିସ୍ ଓ ସରକାରୀ ଚାକିରି ପାଇଁ ଉତ୍ତମ ପ୍ରଶିକ୍ଷଣ ମାର୍ଗଦର୍ଶନ ପ୍ରଦାନ କରିବା ସହିତ ସାମାଜିକ ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଓଯେପିଟି ପ୍ରତିବଦ୍ଧ ବୋଲି ସେ କହିଥିଲେ । ଯୁବ ପ୍ରଶିକ୍ଷଣ ଏକାଡ଼େମୀରେ ଗତ ୧୮ ମାସ ମଧ୍ୟରେ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ସରକାରୀ ଚାକିରି ହାସଲ କରିବା ସହିତ ବିଭିନ୍ନ ୟୁନିଫର୍ମଡ୍ ସର୍ଭିସ୍‌ରେ ନିଯୁକ୍ତ ପାଇଛନ୍ତି। ଏହା ସହିତ ୩୦ ଜଣ ଛାତ୍ର ଅଧିକାରୀ ଭାବେ ସଶସ୍ତ୍ର ବାହିନୀରେ ଯୋଗଦାନ କରିଛନ୍ତି ।

ଏଥି ସହିତ ଯୁବପିଢ଼ିମାନଙ୍କୁ ରୋଜଗାର ଓ ଆତ୍ମନିର୍ଭରଶୀଳତାର ସୁଯୋଗ ପ୍ରଦାନ ସହିତ ଓଯେପିଟି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହିଳା ସଶକ୍ତିକରଣ, ଯୁବପିଢିମାନଙ୍କୁ ନିଯୁକ୍ତି ଓ ସାମାଜିକ ସେବା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ସକ୍ରିୟ ଭାବେ ଜଡ଼ିତ ରହିଆସିଛି। ସମାଜର ବିଭିନ୍ନ ବର୍ଗର ଯୁବକଯୁବତୀମାନଙ୍କୁ ସୁଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ଦିଗରେ ଓଯେପିଟି ନିରନ୍ତର କାର୍ଯ୍ୟ କରିଆସୁଅଛି । ସମାରୋହର ଶେଷରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତର ଆଶାୟୀମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ ଦୃଢ଼ ସଂକଳ୍ପ ସହ ନିଜ ଲକ୍ଷ୍ୟ ଦିଗରେ ଆଗେଇ ଯିବାକୁ ଆହ୍ୱାନ କରାଯାଇଥିଲା। ଉପସ୍ଥିତ ଥିବା ସମ୍ମାନିତ ଅତିଥି ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରି ସମାରୋହ ସମାପ୍ତ କରାଯାଇଥିଲା ।

   

                                                                                                

Exit mobile version