ଯନ୍ତ୍ରୀ ନିଷ୍କ୍ରିୟ,ଠିକାଦାର ବେଫିକର୍ : କେନାଲ ସଫାକୁ ୨ ମାସ ପୁରିଲା – ରାସ୍ତାକଡରୁ ହଟୁନି କୁଢ଼ କୁଢ଼ ଅଳିଆ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ସ୍ୱାର୍ଥ ଓ ଆୟ ବୃଦ୍ଧି ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏ ଦିଗରେ ଅନ୍ୟାନ୍ୟ ବିଭାଗ ଅପେକ୍ଷା ଜଳ ସମ୍ପଦ ବିଭାଗର ପ୍ରମୁଖ ଭୂମିକା ରହିଛି। ଜଳ ସେଚିତ ଅଞ୍ଚଳ ପାଇଁ ପ୍ରତିବର୍ଷ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ, ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଵିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଟଙ୍କ ବ୍ୟୟ ଅଟକଳ ହୁଏ। ଏହାର ସଠିକ ମୂଲ୍ୟାୟନ କରାଯାଇ ତଦନୁଯାୟୀ କାର୍ଯ୍ୟ ସମ୍ପାଦନ କରାଯାଏ।

କେତେକ କ୍ଷେତ୍ରରେ ଠିକ ଢଙ୍ଗରେ କାର୍ଯ୍ୟକାରୀ କରାଯାଏ ତ ଆଉ କିଛି କ୍ଷେତ୍ରରେ ଅଧ ପନ୍ତରିଆ ଭାବେ କାମ କରାଯାଏ। ବିଭାଗୀୟ ଯନ୍ତ୍ରୀଙ୍କ ଉତ୍ତର ଦାୟିତ୍ୱ ରହିଲେ କାର୍ଯ୍ୟର ଅଗ୍ରଗତି ହୋଇଥାଏ। କ୍ଷେତ୍ର ତଦାରଖ ଅଭାବରୁ କେଉଁଠି କେଉଁଠି ତାଳିପକା ଉଦ୍ୟମ ହୋଇଥାଏ। ଏଭଳି ଅନିୟମିତତା ଓ ତାଳିପକା ଉଦ୍ୟମ ଜଳ ସମ୍ପଦ ବିଭାଗର ହିଞ୍ଜିଳିକାଟୁ ଉପଖଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି। କେନାଲ ସଫେଇ କାମରେ ହୋଇଥିବା ଅନିୟମିତତା ସାଧାରଣରେ ଜଳ ଜଳ ଦିଶୁଛି।

ଚାଷ ଜମିକୁ ଆବଶ୍ୟକ ପରିମାଣର ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଓ ପାଣି ପଞ୍ଚାୟତ ଦ୍ଵାରା ମୁଖ୍ୟ କେନାଲ ଓ ଶାଖା କେନାଲ ଗୁଡ଼ିକର ଘାସ, ଲଟା ଓ ମାଟି ସଫା କାମ ଯୁଦ୍ଧ କାଳୀନ ଭିତ୍ତିରେ କରାଯାଏ। ରୁଆ ବେଉଷଣ କାର୍ଯ୍ୟ ପୂର୍ବରୁ ଚାଷ ଓ ଚାଷୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଵିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଏ। ଗତ ଦୁଇ ମାସ ପୁର୍ବରୁ ହିଞ୍ଜିଳିକାଟୁ ଅଞ୍ଚଳର କେନାଲ ଗୁଡ଼ିକର ରକ୍ଷଣା ବେକ୍ଷଣ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

ହିଞ୍ଜିଳି, ଅଙ୍କୋରଡା, ଜୟ ମଙ୍ଗଳ, ଶିକିରି, ନନ୍ଦିକ, ବାଳକୃଷ୍ଣପୁର ଓ ଗାଙ୍ଗଦହଣୀ ପାଣି ପଞ୍ଚାୟତକୁ କେନାଲ ସଫେଇ କାମ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଆ ଯାଇଛି। ଟେଣ୍ଡର ପ୍ରକ୍ରିୟାରେ ୭, ୮ଓ ୯ ନଂ କେନାଲ ସଫେଇ କାମ ଠିକାଦାରଙ୍କ ଦ୍ଵାରା ହୋଇଛି। କିନ୍ତୁ କେନାଲ ସଫେଇ କାମ ଦୁଇ ମାସ ତଳେ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେନାଲ ପାର୍ଶ୍ୱରେ କୁଢ଼ କୁଢ଼ ଆବର୍ଜନା ପଡି ରହିଛି।

ମୁଖ୍ୟତଃ ୭ ନଂ କେନାଲ ପାର୍ଶ୍ୱରେ ଥିବା ସାହି ବସ୍ତି ନିକଟରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ି ରହିଥିବା ଦେଖା ଯାଇଛି। ଏଭଳି ଚିତ୍ରରୁ ଅନ୍ୟ କେନାଲ ଗୁଡ଼ିକର ସଫେଇ କାମ କିଭଳି ଭାବେ କାର୍ଯ୍ୟ କରାଯାଇଥିବ ତାହା ସହଜେ ଅନୁମେୟ। ସେହିପରି ହିଞ୍ଜିଳି ପାଣି ପଞ୍ଚାୟତ ଅଧୀନରେ ଥିବା କେନାଲ ସଫେଇ କାମ ମଧ୍ଯ ସନ୍ତୋଷ ଜନକ ନୁହେଁ। ଗତ ଦୁଇ ମାସ ଧରି ହିଞ୍ଜିଳିକାଟୁ ପୌର ପରିଷଦ ୨ ନଂ ୱାର୍ଡକୁ ସଂଲଗ୍ନ ଥିବା କେନାଲ ପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ି ରହିଥିବା ଦେଖା ଯାଇଛି।

 

ଏଥିପାଇଁ ପ୍ରାୟ ତିନି ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ଯ କେଉଁ କାରଣରୁ ଠିକାଦାର ଓ ପାଣି ପଞ୍ଚାୟତ ସମ୍ପାଦକ କେନାଲ ପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ମହଜୁଦ ରଖି ହଟାଇ ପାରି ନାହାଁନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଯନ୍ତ୍ରୀଙ୍କ ନିଷ୍କ୍ରିୟତା, ଠିକାଦାର ଓ ପାଣି ପଞ୍ଚାୟତ ସମ୍ପାଦକ ଙ୍କ ବେଫିକର୍ ନୀତି ଅବଲମ୍ବନ ଯୋଗୁଁ କେନାଲ ପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ି ରହିଥିବା ଦେଖା ଯାଇଛି। ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ସାହି ବାସିନ୍ଦା ଓ ସାଧାରଣ ଲୋକଙ୍କ ଯିବା ଆସିବା କରୁଥିବା ପରିଲକ୍ଷିତ ହୋଇଛି।

ପୌର ପରିଷଦ ପକ୍ଷରୁ ରାସ୍ତା କଡରେ ଜମିଥିବା କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ହଟାଇବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ଜଳ ସମ୍ପଦ ବିଭାଗ ଯନ୍ତ୍ରୀ କିମ୍ୱା ଠିକାଦାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଇ ନ ଥିବା ଜଣାପଡ଼ିଛି। ଜଳ ସମ୍ପଦ ବିଭାଗର ଜଣେ ସ୍ଥାନୀୟ କର୍ମଚାରୀଙ୍କ ଦ୍ଵାରା ୭ ନଂ କେନାଲର ସଫେଇ କାମ କରା ଯାଇଥିଲା। ଗତ ବର୍ଷ ସେ ସଫେଇ ଦାୟିତ୍ୱରେ ନିୟୋଜିତ ଥିବା ବେଳେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ି ରହିଥିବା ଦେଖା ଯାଇଥିଲା।

ପରେ ଦୁଇ ମାସ ଅତିକ୍ରାନ୍ତ ହେବା ପରେ ନିଜ ଇଛା ଅନୁଯାୟୀ ଅଳିଆ ଆବର୍ଜ୍ଜନା ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଏ ବର୍ଷ ମଧ୍ୟ ପୁର୍ବ ଥରର ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଦୁଇ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ଯ କେନାଲ ପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ି ରହିଛି। ବିଭାଗୀୟ ଯନ୍ତ୍ରୀଙ୍କ ଘୋର ଅବହେଳା, ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଠିକାଦାରଙ୍କ ଅଣଦେଖା ଓ ଲାଭଖୋର ମନୋବୃତ୍ତି ଫଳରେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏଥିପ୍ରତି ସଚେତନ ମହଲରେ ଜିଲ୍ଳା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ପ୍ରତିକ୍ରିୟା ନେବା ପାଇଁ କୁକୁଡ଼ାଖଣ୍ଡି ଜଳ ସମ୍ପଦ ଅନୁବିଭାଗ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ବେଳେ ତାହା ସମ୍ଭବପର ହୋଇପାରି ନାହିଁ।

Exit mobile version