ମହାପ୍ରଭୁଙ୍କ ଦର୍ଶନ ଦାବିରେ ୧୪୬ ଦିନରେ ପୁରୀବାସୀଙ୍କ ନୀରବ ସତ୍ୟାଗ୍ରହ ପଦଯାତ୍ରା

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅହିଂସାର ପଥରେ ଜାରି ରହିବ ସଂଘର୍ଷ

ପୁରୀ  (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ସହରବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ସଚେତନତା ପଦଯାତ୍ରା ଆଜି ୧୪୬ତମ ଦିନରେ ପହଞ୍ଚିଛି। ଗତ ଅପ୍ରେଲ ୧ ଉତ୍କଳ ଦିବସ ଠାରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ପ୍ରତିଦିନ ଏହି ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ଜାରି ରହିଛି। ଦୀର୍ଘ ୧୪୬ ଦିନ ଧରି ସତ୍ୟାଗ୍ରହୀମାନେ ନୀରବତା ଅବଲମ୍ବନ କରି ହାତରେ ବିଭିନ୍ନ ଦାବି ସମ୍ବଳିତ ପ୍ଲାକାର୍ଡ ଧରି ପଦଯାତ୍ରା କରୁଛନ୍ତି। ପ୍ରବଳ ଖରା, ବର୍ଷା ଓ ପର୍ବପର୍ବାଣୀ ସତ୍ତ୍ୱେ ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ କୌଣସି ବିରତି ଦିଆଯାଇନାହିଁ। ଆଜି ଭକ୍ତ ସାଲବେଗ ପୀଠରୁ ପଦଯାତ୍ରା ବାହାରି ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିଥିଲା। ସେଠାରେ ସତ୍ୟାଗ୍ରହୀମାନେ ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ଏବଂ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ରହିଥିବା ସୁବିଧା ପୁନଃସ୍ଥାପନ ନିମନ୍ତେ ପ୍ରାର୍ଥନା କରିଥିଲେ।

ସତ୍ୟାଗ୍ରହର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୪୬ ଦିନ ଧରି ଆମର ନୀରବ ପଦଯାତ୍ରା ଜାରି ରହିଛି। ଆମର ଲକ୍ଷ୍ୟ ସ୍ପଷ୍ଟ—ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବିକୁ ସତ୍ୟ ଓ ଅହିଂସାର ମାର୍ଗରେ ଶାନ୍ତିପୂର୍ଣ୍ଣ ଭାବେ ସରକାର ଓ ପ୍ରଶାସନଙ୍କ ନିକଟରେ ପହଞ୍ଚାଇବା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଜାରି ରହିବ। ପାଦ ଚାଲିବ ଅଧିକାର ପାଇଁ, ନୀରବତା କହିବ ନ୍ୟାୟ ପାଇଁ ଏବଂ ହୃଦୟ ଅପେକ୍ଷା କରିବ ମହାପ୍ରଭୁଙ୍କ ଦର୍ଶନ ପାଇଁ।” ସେ ଆହୁରି କହିଛନ୍ତି ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧୀ ନୁହେଁ। ଏହା ପୁରୀବାସୀଙ୍କ ଭାବନା ଓ ଅଧିକାର ସହ ଜଡିତ ଏକ ଶାନ୍ତିପୂର୍ଣ୍ଣ ଅହିଂସାମୂଳକ ପ୍ରୟାସ।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ଯାଦବାନନ୍ଦ ରାୟ, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଅଭିମନ୍ୟୁ ରାୟଗୁରୁ, ଲିଙ୍ଗରାଜ ସାହୁ, ସନ୍ତୋଷ ସେନାପତି, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ସୌମ୍ୟା ସାହୁ, ଦୀପା ବେହେରା, ବର୍ଷା ପଣ୍ଡା, ସୁଭଦ୍ରା ସାହୁ, ଅଞ୍ଜୁବାଳା ମହାନ୍ତି, ମମତା ସ୍ବାଇଁ, ରମେଶ ଚନ୍ଦ୍ର ମହାନ୍ତି, ବାପିନା ସାମନ୍ତରାୟ, କାଶୀନାଥ ସାହୁ, ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।


 

Exit mobile version