ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପାଲଟିଛି ଭୂତକୋଠି – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ଖଣ୍ଡପଡ଼ା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଖଣ୍ଡପଡ଼ା ବ୍ଲକ ଅଧିନ ବଡ ବାଣପୁର ପଞ୍ଚାୟତ ର ଘଣାଶାଳିଆ ଗ୍ରାମରେ ଗତ ୭ ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ରଟି କାର୍ଯ୍ଯରେ ନ ଲାଗି ତାଲା ଝୁଲୁଥିବା ନଜରକୁ ଆସୁଛି । ଏକଦା ସ୍ଥାନୀୟ ଅଞ୍ଚଳର ଗୃହ ପାଳିତ ପଶୁମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାର ମହତ ଲକ୍ଷ୍ଯ ନେଇ ଉକ୍ତ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ରଟି ନିର୍ମାଣ କରାଯାଇଥିଲା ।

ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସ୍ଥାଣୁତା ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି କାର୍ଯ୍ଯକ୍ଷମ ନ ହୋଇ ତାଲା ଝୁଲୁଥିବା ବେଳେ ଏବେ ବର୍ଷା ଦିନ ଯୋଗୁଁ ଉକ୍ତ ଗୃହର ଚତୁଃପାର୍ଶ୍ଵ ଅନାବନା ଗଛ ଲତାରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏଭଳି ଅବସ୍ଥାକୁ ଦେଖି ଘଣାଶାଳିଆ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ, ରାଜ୍ଯ ସରକାରଙ୍କ ପ୍ରାଣୀ ଚିକିତ୍ସା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ନୟାଗଡ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଦୃଷ୍ଟି ଦେଇ ବିଳମ୍ବରେ ହେଉ ପଛେ ଉକ୍ତ କେନ୍ଦ୍ରଟିକୁ କାର୍ଯ୍ଯକ୍ଷମ କରିବା ଦିଗରେ ଆନ୍ତରିକତା ପ୍ରକାଶ କରିବାକୁ ସାଧାରଣରେ ଦାବି ହେଉଛି ।

Exit mobile version