Home ଓଡ଼ିଶା ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana 2 months ago Share on FacebookShare on TwitterWhatsapp କଟକ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍ପିମାନେ ବୈଠକରେ ଯୋଗଦେଇଥିଲେ। ବୈଠକରେ ରାଜ୍ୟର ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା, ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ପ୍ରଦାନ ଏବଂ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଧୈର୍ଯ୍ୟର ସହ ଶୁଣିବା, ସମ୍ମାନଜନକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିବା ଏବଂ ଅଭିଯୋଗର ନିରପେକ୍ଷ ଓ ତ୍ୱରିତ ତଦନ୍ତ ନିଶ୍ଚିତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ପୋଲିସ ଅଧିକାରୀ ଓ କର୍ମଚାରୀମାନେ ନିୟମିତ ଭାବେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବା ସହ ଥାନାଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଜନସାଧାରଣଙ୍କୁ ମିଳୁଥିବା ପୋଲିସ ସେବାରେ ଅଧିକ ସୁଧାର ଆଣିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏସ୍ଡିପିଓମାନେ ନିୟମିତ ଭାବେ ଅଧୀନସ୍ଥ ଥାନାଗୁଡ଼ିକ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଡିଜିପି ବିସ୍ତୃତ ଆଲୋଚନା କରିଥିଲେ। ଆଗାମୀ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ପ୍ରଫେଟ୍ ମହମ୍ମଦଙ୍କ ଜନ୍ମଦିନ, ଜନ୍ମାଷ୍ଟମୀ, ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି/କାଳୀପୂଜା, ଅଁଳା ନବମୀ, ପଞ୍ଚୁକ ଓ ବାଲିଯାତ୍ରା ଭଳି ବିଭିନ୍ନ ପର୍ବପର୍ବାଣୀ ଅନୁଷ୍ଠିତ ହେବ। ଏହି ପର୍ବଗୁଡ଼ିକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ପାଳନ ପାଇଁ ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଶାନ୍ତି କମିଟି ବୈଠକ ଏବଂ ସ୍ଥାନୀୟ ଲୋକପ୍ରତିନିଧି ଓ ବିଭିନ୍ନ ଗୋଷ୍ଠୀଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସାମ୍ପ୍ରଦାୟିକ ଭାବେ ସମ୍ବେଦନଶୀଳ ଅଞ୍ଚଳରେ ନିରନ୍ତର ନଜର ରଖିବା ସହ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ସେ କହିଥିଲେ। ଅପରାଧ ନିୟନ୍ତ୍ରଣ ଦିଗରେ ଅଭ୍ୟାସଗତ ଅପରାଧୀ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ କଡ଼ା ଓ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଗୋରୁ ପରିବହନ ଓ ବେଆଇନ ବାଣ ପ୍ରସ୍ତୁତି ରୋକିବା ପାଇଁ ନାକା ଚେକିଂ ଓ ପାଟ୍ରୋଲିଂ ବୃଦ୍ଧି କରିବା ସହ ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ ବିରୋଧରେ ନିୟମିତ ଚଢ଼ାଉ, ଯାନବାହନ ଯାଞ୍ଚ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ତ୍ୱରିତ ଆଇନଗତ ପଦକ୍ଷେପ ନେବାକୁ ସେ କହିଥିଲେ। ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ, ଉତ୍ତେଜନାମୂଳକ, ଆପତ୍ତିଜନକ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନିୟମିତ ଓ କଡ଼ା ନଜର ରଖିବା ସହ ଏଭଳି ପ୍ରଚାର ବିରୋଧରେ ତ୍ୱରିତ ଓ ଆଇନସମ୍ମତ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଗୁଇନ୍ଦା ସୂଚନା ସଂଗ୍ରହକୁ ଆହୁରି ସୁଦୃଢ଼ କରିବା, ସମ୍ଭାବ୍ୟ ଅପରାଧ ଓ ଅପ୍ରୀତିକର ଘଟଣା ସମ୍ପର୍କରେ ଆଗୁଆ ସୂଚନା ହାସଲ କରିବା ଏବଂ ତଦନୁଯାୟୀ ପ୍ରତିଷେଧମୂଳକ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ସାଇବର ଅପରାଧର ମୁକାବିଲା ପାଇଁ ସାଇବର ପୋଲିସ ଷ୍ଟେସନଗୁଡ଼ିକର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ସହ ସାଇବର ଅପରାଧ ସମ୍ପର୍କିତ ମାମଲାର ତଦନ୍ତ ଓ ପଦକ୍ଷେପକୁ ଅଧିକ ଫଳପ୍ରଦ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏସ୍ପିମାନେ ପ୍ରତି ସପ୍ତାହରେ ଥରେ ସାଇବର ପୋଲିସ ଷ୍ଟେସନଗୁଡ଼ିକ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିବାକୁ ସେ କହିଥିଲେ । ଏଥିସହ ଶାନ୍ତି କମିଟି ବୈଠକ ନିୟମିତ ଆୟୋଜନ, ସ୍ଥାନୀୟ ଅଂଚଳରେ ଲୋକ ସମ୍ପର୍କ ବୃଦ୍ଧି ଏବଂ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଆଗୁଆ ରୋକିବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ଏସ୍ପିଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ପୋଲିସର କାର୍ଯ୍ୟଦକ୍ଷତା, ଜନକଲ୍ୟାଣ ସେବାକୁ ଆହୁରି ବୃଦ୍ଧି କରିବା ପାଇଁ ସମସ୍ତ ସ୍ତରରେ ଉତ୍ତମ ସମନ୍ୱୟ ଓ ଯୋଗାଯୋଗ ରଖି ଦାୟିତ୍ୱ ସମ୍ପାଦନ କରିବାକୁ ଡିଜିପି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚ୍ଆର୍ପିସି) ଶ୍ରୀ ୟତୀନ୍ଦ୍ର କୋଏଲ, ଆଇଜିପି (ପର୍ସୋନେଲ) ଶ୍ରୀ ଏସ୍. ପ୍ରବୀଣ କୁମାର, ଡିଆଇଜିପି (ଏସ୍ଟିଏଫ୍) ଶ୍ରୀ କନୱର ବିଶାଲ ସିଂହ, ଡିଆଇଜିପି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମୀନା, ଡିଆଇଜିପି (ପର୍ସୋନେଲ) ଶ୍ରୀ ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍ପିମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026