କଣ୍ଟାବାଞ୍ଜି ମହିଳା କଲେଜରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ଶିବିର ଉଦ୍‌ଘାଟିତ

କଣ୍ଟାବାଞ୍ଜି  (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ମହିଳା ସଶକ୍ତୀକରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଜି ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଛଅଦିନିଆ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି। ସକାଳ ୧୦ଟା ସମୟରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଶିବିର ପ୍ରଥମ ବର୍ଷ କଳା ଓ ବାଣିଜ୍ୟ ବିଭାଗର ଛାତ୍ରୀମାନଙ୍କ ପାଇଁ ଛଅଦିନ ଧରି ଆୟୋଜିତ ହେଉଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ରଶ୍ମୀ ରମିତା ମେହେର, ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜୁ ବନଛୋର , ମାଷ୍ଟର ପ୍ରଶିକ୍ଷିକା ଶ୍ରୀମତୀ ଗୌରୀ ରାଉତଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀ ଯୁଧିଷ୍ଠିର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ରଶ୍ମୀ ରମିତା ମେହେର ଆତ୍ମସୁରକ୍ଷା ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରି କହିଲେ, “ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସାହସ,

ସଚେତନତା ଓ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ସହ ଆବଶ୍ୟକ ସମୟରେ ନିଜକୁ ସୁରକ୍ଷିତ ରଖିବାର କୌଶଳ ଶିଖାଇବା ହିଁ ଏହି ଶିବିର ମୁଖ୍ୟ ଲକ୍ଷ୍ୟ।” ମାଷ୍ଟର ପ୍ରଶିକ୍ଷିକା ଶ୍ରୀମତୀ ଗୌରୀ ରାଉତ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମସୁରକ୍ଷା କୌଶଳ ଓ ପ୍ରାଥମିକ ପ୍ରତିରୋଧମୂଳକ ପଦକ୍ଷେପ ସମ୍ପର୍କରେ ତାଲିମ ଦେବେ। ଶିବିରର ସମସ୍ତ କାର୍ଯ୍ୟକ୍ରମର ତଦାରଖ ଦାୟିତ୍ୱରେ ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜୁ ବନଛୋର ଅଛନ୍ତି। ଏହି ଅବସରେ ଛାତ୍ରୀମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଯାଇଥିଲା ।

ଡିଜିଟାଲ ମାଧ୍ୟମର ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ଅଜଣା ଲିଙ୍କ୍‌ ଓ ସନ୍ଦେହଜନକ ସନ୍ଦେଶରୁ ସତର୍କ ରହିବା ଏବଂ ସାଇବର ଅପରାଧ ବିରୋଧରେ ସଚେତନ ରହିବା ପାଇଁ ଛାତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ଏହି ଶପଥ ପାଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ସମସ୍ତଙ୍କୁ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ସୁନନ୍ଦା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନଙ୍କୁ ସଶକ୍ତ, ସଚେତନ ଓ ଆତ୍ମସୁରକ୍ଷା ପ୍ରତି ସଜାଗ କରିବା ଦିଗରେ ଏହି ଛଅଦିନିଆ ଶିବିର ଏକ ମାଇଲଖୁଣ୍ଟ ବୋଲି ମତ ପ୍ରକାଶ ପାଇଛି ।

Exit mobile version