ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ

ଫରିଦାବାଦ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ନିକଟରେ ଫରିଦାବାଦ ଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଅଗ୍ରଣୀ ଦାତବ୍ୟ ସଂଗଠନ ଆଇ କାନ କେୟାରଏବଂ ଫରିଦାବାଦ ସ୍ଥିତ ଜଗନ୍ନାଥ ମନ୍ଦିରର ସହଯୋଗରେ ଫରିଦାବାଦ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଶିବିରରେ ଶତାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଜନସାଧାରଣଙ୍କର ସ୍ୱାସ୍ଥ୍ୟର ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଶିବିରର ଅଂଶଗ୍ରହଣକାରୀ ମାନଙ୍କୁ ତମାଖୁ ସେବନର କୁପ୍ରଭାବ, ବିଶେଷକରି ମୁଖ କର୍କଟ ର ଭୟାବହତା ସମ୍ପର୍କରେ ଏହି ଅବସରରେ ସଚେତନ କରାଯାଇଥିଲା ।

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ସଭାପତି ମୀନକେତନ ସାମଲ, ଫରିଦାବାଦ ଜଗନ୍ନାଥ ମନ୍ଦିରର ସଭାପତି ନିତ୍ୟାନନ୍ଦ ରାଉତ ଏବଂ ଆଇ କାନ କେୟାରର ନିର୍ଦ୍ଦେଶକ ତଥା ପ୍ରସିଦ୍ଧ କର୍କଟ ରୋଗ ବିଶେଷଣଜ୍ଞ ଡ଼ଃ ପବନ ଗୁପ୍ତାଙ୍କ ଦ୍ୱାରା ଶିବିରର ଉଦ୍‌ଘାଟନ କରାଯାଇଥିଲା। ଡ଼ଃ ପବନ ଗୁପ୍ତାଙ୍କ ନେତୃତ୍ୱରେ ଆଇ କାନ କେୟାରର ଛଜଣିଆ ଡାକ୍ତରୀ ଦଳ ଶିବିର ପରିଚାଳନା କରିଥିଲେ ।

ଏହି ଦିନିକିଆ ସ୍ୱାସ୍ଥ୍ୟ ଶିବିରରେ ମୋଟ ୮୦ ଜଣଙ୍କର ମୁଖ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୧୪ ଜଣଙ୍କ ମଧ୍ୟରେ ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ ହୋଇଥିଲା। ଡ଼ଃ ପବନ ଗୁପ୍ତା ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ସହ ତମାଖୁ ସେବନରୁ ଦୂରେଇ ରହିବା ଏବଂ ତମାଖୁ ଛାଡ଼ିବାର ବିଭିନ୍ନ ଉପାୟ ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହିତ ବହୁ ସଂଖ୍ୟକ ଅଂଶଗ୍ରହଣକାରୀଙ୍କର ରକ୍ତଚାପ ଓ ଡାଇବେଟିସ୍ ପରୀକ୍ଷା କରାଯାଇଥିଲା। ଆବଶ୍ୟକତା ଅନୁଯାୟୀ ଔଷଧ ମଧ୍ୟ ନିଃଶୁଳ୍କରେ ପ୍ରଦାନ କରାଯାଇଥିଲା।

ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ବରିଷ୍ଠ ପ୍ରଶାସକ ସଞ୍ଜୀବ ପାଟ୍ଟଯୋଶୀ ଯୁବପିଢୀଙ୍କୁ ତମାଖୁ ସେବନରୁ ଦୂରେଇ ରଖିବା ପାଇଁ ସମାଜର ସମସ୍ତ ବର୍ଗଙ୍କ ମିଳିତ ପ୍ରୟାସ ଉପରେ ଜୋର ଦେଇଥିଲେ । ସମ୍ମାନିତ ଅତିଥି ଉଦୟ ଇଣ୍ଡିଆ ଗ୍ରୁପର ମୁଖ୍ୟ ସମ୍ପାଦକ ଦୀପକ କୁମାର ରଥ ଏଭଳି ଜନକଲ୍ୟାଣକାରୀ ଓ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନକୁ ଭୁୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ଆୟୋଜକ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ସଭାପତି ମୀନକେତନ ସାମଲ ଆଗାମୀ ଦିନରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏହିଭଳି ସ୍ୱାସ୍ଥ୍ୟ ଶିବିର ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ।

କାର୍ଯ୍ୟକ୍ରମର ପରିଚାଳନା ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ବରିଷ୍ଠ ସଦସ୍ୟ ଆଇନଜୀବୀ ଅମୀୟ ରଞ୍ଜନ ନାୟକ କରିଥିଲେ। ଫରିଦାବାଦ ଜଗନ୍ନାଥ ମନ୍ଦିରର ସାଧାରଣ ସମ୍ପାଦକ ଅନିଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରକୁ ସକ୍ଷମତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ସଭାପତି ମୀନକେତନ ସାମଲ, ଉପସଭାପତି ନିତ୍ୟାନନ୍ଦ ରାଉତ ଓ ସରିତା ମହାପାତ୍ର,

ସାଧାରଣ ସମ୍ପାଦକ ଅନିଲ ଜେନା, ଯୁଗ୍ମ ସମ୍ପାଦକ ଗୁରୁଚରଣ ପୋହି ଓ ସୁଭ୍ରାଂଶୁ ବେହେରା, କୋଷାଧକ୍ଷ ସନ୍ଦୀପ ମହାପାତ୍ର ,ସହ କୋଷାଧ୍ଯକ୍ଷ ମନୋଜ ସାହୁଙ୍କ ସମେତ ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ, ସାଧାରଣ ସଦସ୍ୟ ବୃନ୍ଦ ତଥା ଫରିଦାବାଦ ଜଗନ୍ନାଥ ମନ୍ଦିରର ଉପସଭାପତି ସୁବାସ ନାୟକ ପ୍ରମୁଖ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମନ୍ଦିର ପକ୍ଷରୁ ଅତିଥି ଓ ଅଂଶଗ୍ରହଣକାରୀ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Exit mobile version