ଭିଜିଲାନ୍ସ ଜାଲରେ ଏଡିଇଓ

ରଣପୁର ବ୍ଲକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ରାଜ ଜଙ୍କିଆ :- ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ମନ  ରେଗା ମଜୁରି ଟଙ୍କା କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜ ଜଙ୍କିଆ ଗ୍ରାମପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ପ୍ରଶାନ୍ତ କୁମାର ଭଟ୍ଟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଜଣେ ପିଏମ୍‌ଏୱାଇ-ଜି ହିତାଧିକାରୀ ୨୦୨୫ ମାର୍ଚ୍ଚ ମାସରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କାମ ଶେଷ କରିଥିଲେ ।

ନିୟମ ଅନୁଯାୟୀ ବୋନସ୍ ଓ ମନରେଗା ଅଧୀନରେ ପାଇବାକୁ ଥିବା ଅର୍ଥ ପାଇଁ ସେ ବାରମ୍ବାର ଏଡିଇଓଙ୍କୁ ଅନୁରୋଧ କରୁଥିଲେ । ଅଭିଯୋଗ ଅନୁସାରେ, ପ୍ରଶାନ୍ତ ଭଟ୍ଟ ପୂର୍ବରୁ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ନେଇଥିଲେ । ଏହାପରେ ଆଉ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନାବଦ୍ଧ ଚଢ଼ାଉ କରାଯାଇଥିଲା ।

୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ପ୍ରଶାନ୍ତ ଭଟ୍ଟଙ୍କୁ କାବୁ କରିଥିଲା । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୪ ହଜାର ଟଙ୍କା ଜବତ କରାଯାଇଛି । ଟ୍ରାପ୍ ପରେ ଆୟବହିର୍ଭୂତ ସମ୍ପତ୍ତି ଦିଗକୁ ନଜରରେ ରଖି ପ୍ରଶାନ୍ତ ଭଟ୍ଟଙ୍କ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଛି ।

Exit mobile version