ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଦିଲ୍ଲୀ-ଏନ୍ସିଆର୍ ଗସ୍ତ ସମ୍ପନ୍ନ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହିତ ନିବେଶ ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା
ଉତ୍ପାଦନ, ବୟନଶିଳ୍ପ, ଇଞ୍ଜିନିୟରିଂ ଏବଂ ଆଲୁମିନିୟମ କ୍ଷେତ୍ରରେ ବିପୁଳ ସୁଯୋଗ
‘ଓଡ଼ିଶା ଫୁଡ୍ ପ୍ରୋ 2026’ ରୋଡ୍ସୋ ସହିତ ୪୬ଟି ଉଚ୍ଚସ୍ତରୀୟ ବୈଠକ, ମୋଟ ୨୦୮ଟି ଶିଳ୍ପ ଆଲୋଚନା
୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ
୧,୬୮୯ କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ,
୮,୦୬୪ ନିଯୁକ୍ତି ସମ୍ଭାବନା
ମୋଟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୫୪,୧୩୫ ନୂତନ ନିଯୁକ୍ତି ସୁଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟାବର୍ତ୍ତନ
ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଆଜି ଶିଳ୍ପଜଗତରୁ ଆଜି ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଗତକାଲି ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ର ବ୍ୟାପକ ସଫଳତା ପରେ ଆଜି ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରର ପ୍ରମୁଖ ନିବେଶକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ୱାନ୍-ଅନ୍-ୱାନ୍ ବୈଠକ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ନୋଏଡ଼ାସ୍ଥିତ ହାୟର୍ (Haier) ଉତ୍ପାଦନ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ ।
ଏହି ଦୁଇ ଦିନିଆ ଶିଳ୍ପ ଅଭିଯାନ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଏବଂ ପୂର୍ବ ଭାରତର ଦ୍ରୁତ ବିକାଶର ଆଭିମୁଖ୍ୟ ଅନୁଯାୟୀ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ପ୍ରୟାସର ଏକ ଅଂଶ । ଉତ୍ପାଦନ, ପୁଞ୍ଜିନିବେଶ ଏବଂ ନିଯୁକ୍ତି-ଭିତ୍ତିକ ଅଭିବୃଦ୍ଧି ପାଇଁ ଓଡିଶାକୁ ଏକ ପ୍ରତିଯୋଗିତାମୂଳକ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ତା’ର ଉଦ୍ୟମକୁ ତ୍ୱରାନ୍ୱିତ କରୁଛି।
