ପିସିଆର ଦ୍ୱାରା ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ପୁରୀ ସାଖୀକୁ ହସ୍ତାନ୍ତର

ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଆଶ୍ରୟ ଗୃହ (ଚାଇଲଡ ହୋମ)ରୁ ଗତ ୨୭.୦୭.୨୦୨୬ ତାରିଖରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୁରୀ ପୋଲିସ୍‌ର ପିସିଆର-୧ ଟିମ୍ ଉଦ୍ଧାର କରିଛି । ଆଜି ତାରିଖ ୦୮.୦୮.୨୦୨୬ ଦିନ ପ୍ରାୟ ଦିବା ୧.୧୦ ମିନିଟ୍ ସମୟରେ ପୋଲିସ୍‌ର Emergency Response Support System (ERSS) – ଡାଏଲ ୧୧୨ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ପ୍ରାପ୍ତ ହୋଇଥିଲା । ସୂଚନା ପାଇବା ପରେ ପିସିଆର-୧ ଟିମ୍ ତତ୍କାଳ ଘଟଣାସ୍ଥଳକୁ ପହଞ୍ଚି ନାବାଳିକାଙ୍କୁ ଚିହ୍ନଟ କରି ଉଦ୍ଧାର କରିଥିଲେ ।

ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ନାବାଳିକା ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳସ୍ଥିତ ଏକ ଚାଇଲଡ ହୋମରେ ରହୁଥିଲେ । ସେଠାରୁ ସେ ୨୭.୦୭.୨୦୨୬ ତାରିଖରୁ ନିଖୋଜ ଥିବା ସମ୍ପର୍କରେ ସୂଚନା ମିଳିଛି। ନାବାଳିକାଙ୍କ ସୁରକ୍ଷା, ଯତ୍ନ ଓ ଆବଶ୍ୟକ ସହାୟତାକୁ ପ୍ରାଥମିକତା ଦେଇ ପିସିଆର-୧ ଟିମ୍ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ପୁରୀ ସାଖୀ ସେଣ୍ଟରକୁ ହସ୍ତାନ୍ତର କରିଛି । ଏହାସହିତ, ନାବାଳିକା ଯେଉଁ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଚାଇଲଡ ହୋମ ରୁ ନିଖୋଜ ହୋଇଥିଲେ,

ସେଠାର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯାଉଛି । ପୁରୀ ପୋଲିସ୍ ସର୍ବଦା ନାବାଳକ/ନାବାଳିକା, ମହିଳା ଓ ଅସହାୟ ବ୍ୟକ୍ତିମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି । ଜରୁରୀ ପରିସ୍ଥିତିରେ ଡାଏଲ ୧୧୨ ମାଧ୍ୟମରେ ତୁରନ୍ତ ପୋଲିସ୍ ସହାୟତା ନେବାକୁ ସାଧାରଣ ଜନତାଙ୍କୁ ପୁରୀ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଉଛି ।

Exit mobile version