ସିଦ୍ଧମହାବୀର ଲାଇଟି ଆରୋବି ତଳେ ଅଧିକ କାମ ବାକି ରହିଛି

ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାହୁଡାଯାତ୍ରା ପୂର୍ବରୁ ଦୁଇଟି ଅଣ ଉଦଘାଟିତ ରେଲୱେ ଓଭରବ୍ରିଜ କାର୍ଯ୍ୟକ୍ଷମ ହୋଇଛି । ଏଥି ମଧ୍ଯରୁ ସିଦ୍ଧମହାବୀର ଏନସିସି ନିକଟରେ ଥିବା ଲାଇଟି ଆରୋବି ର ପ୍ରବେଶ ପଥ ସଠିକ ଭାବେ ସମତଳ ହୋଇନଥିବାରୁ ପାଦଚଲା ବ୍ଯକ୍ତି ଝୁଣ୍ଟୁଥିବା ବେଳେ ବାଇକ ଆରୋହୀ ପଡୁଥିବା ଦେଖିବାକୁ ମିଳୁଛି । ବିଭାଗ ବିଭାଗ ମଧ୍ଯରେ ସମନ୍ୱୟ ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରେଲୱେ ବିଭାଗ ବ୍ରିଜ କାମ ଶେଷ କରିଥିଲେ ମଧ୍ଯ ପୂର୍ତ୍ତ ବିଭାଗ ରାସ୍ତା କାମ କରିନାହିଁ । ଓଭରବ୍ରିଜ ତଳେ ଖାଲ ସ୍ଥାନ ଥିବାରୁ ସେଠାରେ ପାଣି ଜମି ରହୁଛି । ସିଦ୍ଧମହାବୀର ଏନସିସି ପାଚେରୀ କୁ ଲାଗି କାର ପାର୍କିଙ୍ଗ ଭାଙ୍ଗି ରାସ୍ତା ଚଉଡା ହେବା ଯୋଜନା ଥିଲେ ମଧ୍ଯ ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ୱାଟକୋ ବିଭାଗ ମଧ୍ଯ ପାଣି ପାଇପ କାମ କରିନାହିଁ ।

ବିଦ୍ୟୁତ ବିଭାଗ ଖୁଣ୍ଟ ଅପସାରଣ ଓ ଘୁଞ୍ଚାଇବା କାମ କରିନାହିଁ । ଓଭରବ୍ରିଜ ରୁ ବାଇକରେ ତଳକୁ ଖସିବା ସମୟରେ ଲୁହା ଖୁଣ୍ଟ ପୋତାଯାଇଛି । ଅଳ୍ପ ଗ୍ଯାପ ଥିବାରୁ ବାଇକ ପଛପଟେ ବସିଥିବା ବ୍ଯକ୍ତିଙ୍କ ଗୋଡ ମାଡ ହେଉଛି । ଓଭରବ୍ରିଜରେ ଆଲୋକ ସଂଯୋଗୀକରଣ କରାଯାଇନାହିଁ । ସର୍ବୋଦୟ ନଗର ପଟ ରାସ୍ତା ଖାଲ ଢିପ ହୋଇ ପଡିରହିଛି । ଏହି ସବୁ କାମ ଶୀଘ୍ର ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Exit mobile version