ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା

ଚା ୨୦,୧୦୦ ଫୁଟ ଉଚ୍ଚ ଶିଖରରେ ୮୦ ମିଟର ତ୍ରିରଙ୍ଗା ଉଡ଼ାଇବା ଲକ୍ଷ୍ୟ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ମହିଳା ନେତୃତ୍ୱାଧୀନ ପର୍ବତାରୋହୀ ଦଳ ହିମାଚଳ ପ୍ରଦେଶର ୨୦,୧୦୦ ଫୁଟ ଉଚ୍ଚ ମାଉଣ୍ଟ ୟୁନାମ ଶିଖର ଆରୋହଣ ଭଳି ଏକ ଐତିହାସିକ ଅଭିଯାନରେ ସାମିଲ ହେବାକୁ ଯାଉଛି । ରାଜ୍ୟର ୧୧ ଜଣ ନିର୍ଭୀକ ମହିଳା ନିଜର ସାହସ, ଆତ୍ମବିଶ୍ୱାସ ଓ ଦେଶପ୍ରେମର ପ୍ରତୀକ ସ୍ୱରୂପ ହିମାଳୟ ଶିଖରରେ ୮୦ ମିଟର ଲମ୍ବ ଜାତୀୟ ପତାକା ଉତ୍ତୋଳନ କରିବାର ସଙ୍କଳ୍ପ ନେଇ ଏହି ଅଭିଯାନ ଆରମ୍ଭ କରିଛନ୍ତି ।

ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ର ଟେନିସ୍ ଅଡିଟୋରିଅମ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯାନର ଔପଚାରିକ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମରେ ଆସୋସିଏସନ୍ ଫର୍ ଆଡ୍‌ଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (ଇଇଝଇ)ର ସମ୍ପାଦକ ଶ୍ରୀ ଗଣେଶ ଜେନା, ଉପ-ସଭାପତି ଶ୍ରୀ ହରେଶ କୁମାର ମିଶ୍ର, ଅତିରିକ୍ତ ସଚିବ ଶ୍ରୀ ସୁଧାକର ନାୟକ ଏବଂ ସଙ୍କେତ କମ୍ୟୁନିକେସନ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭାଶିଷ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଆସୋସିଏସନ୍ ଫର୍ ଆଡ୍‌ଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (ଇଇଝଇ) ଦ୍ୱାରା ଆୟୋଜିତ ଏବଂ ରାଜ୍ୟର ଅଗ୍ରଣୀ ବିଜ୍ଞାପନ, ଡିଜିଟାଲ୍ ଓ ଇଭେଣ୍ଟ୍ ମ୍ୟାନେଜମେଣ୍ଟ ସଂସ୍ଥା ସଙ୍କେତ କମ୍ୟୁନିକେସନ୍ସର ସହଯୋଗରେ ଏହି ଅଭିଯାନ ଅଗଷ୍ଟ ୭ ତାରିଖରେ ଭୁବନେଶ୍ୱରରୁ ଆରମ୍ଭ ହେବ । ୧୫ ଅଗଷ୍ଟ ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଏହି ଦଳ ହିମାଚଳର ମାଉଣ୍ଟ ୟୁନାମ ଶିଖରରେ ପହଞ୍ଚି ୮୦ ମିଟର ତ୍ରିରଙ୍ଗା ଉତ୍ତୋଳନ କରିବ । ୧୧ ସଦସ୍ୟ ବିଶିଷ୍ଟ ଏହି ମହିଳା ଦଳରେ ୫ ଜଣ ଅଭିଜ୍ଞ ପର୍ବତାରୋହୀଙ୍କ ସହ ୫ ଜଣ ସଦସ୍ୟ ନୂତନ ଭାବେ ଯୋଗ ଦେଉଛନ୍ତି ।

ସେମାନଙ୍କ ମଧ୍ୟରେ ୧୩ ବର୍ଷିୟା ଆରାଧ୍ୟା ଜେନାଙ୍କ ଉପସ୍ଥିତି ଏହି ଅଭିଯାନକୁ ଆହୁରି ସ୍ୱତନ୍ତ୍ରତା ପ୍ରଦାନ କରୁଅଛି, ଯାହାକି ଓଡ଼ିଶାର ନୂତନ ପିଢିର ସାହସ, ସ୍ୱପ୍ନ ଓ ଆତ୍ମବିଶ୍ୱାସର ପ୍ରତୀକ । ଅଭିଯାନଟି ହିମାଚଳ ପ୍ରଦେଶର ସୋଲାଙ୍ଗ ଉପତ୍ୟକା, ଜିସ୍ପା ଓ ଭରତପୁର ଦେଇ ପର୍ଯ୍ୟାୟକ୍ରମେ ଅଗ୍ରସର ହେବ । ଶିବିର-୧ ସ୍ଥାପନ ପରେ ଦଳ ଶିଖର ଆରୋହଣ ପାଇଁ ଶେଷ ପ୍ରସ୍ତୁତି କରିବ । ସମଗ୍ର ଅଭିଯାନରେ ସୁରକ୍ଷା, ଶୃଙ୍ଖଳା ଓ ପରିବେଶର ସୁରକ୍ଷା ଓ ଦଳଗତ ସହଯୋଗକୁ ଗୁରୁତ୍ୱ ଦିଆଯିବ ।

ଦଳନେତ୍ରୀ ଅନିତା ସ୍ୱାଇଁ କହିଛନ୍ତି ଯେ, ଆମ ପାଇଁ ମାଉଣ୍ଟ ୟୁନାମ କେବଳ ଏକ ପର୍ବତ ଶିଖର ନୁହେଁ, ବରଂ ଓଡ଼ିଶାର ଆତ୍ମବିଶ୍ୱାସକୁ ହିମାଳୟର ଉଚ୍ଚତାରେ ପହଞ୍ଚାଇବାର ଏକ ସୁଯୋଗ । ରାଜ୍ୟର ପ୍ରତ୍ୟେକ ଯୁବତୀ ବଡ଼ ସ୍ୱପ୍ନ ଦେଖିବାର ସାହାସ ରଖନ୍ତୁ । ସ୍ୱାଧୀନତା ଦିବସରେ ୮୦ ମିଟର ତ୍ରିରଙ୍ଗାକୁ ପର୍ବତ ଶିଖରରେ ଉତ୍ତୋଳନ କରିବା ଆମ ଜାତି ପ୍ରତି ସର୍ବୋଚ୍ଚ ଶ୍ରଦ୍ଧାଞ୍ଜଳି ହେବ । ‘ଆଶା’ର ସମ୍ପାଦକ ତଥା ପର୍ବତାରୋହୀ ଗଣେଶ ଜେନା କହିଛନ୍ତି ଯେ, ଗତ କିଛି ମାସ ଧରି ଦଳ ଫିଟ୍‌ନେସ୍‌, ସହନଶୀଳତା, ଉଚ୍ଚତା ଅନୁକୂଳ ଏବଂ ପର୍ବତାରୋହଣ ଶୃଙ୍ଖଳା ଉପରେ କଠିନ ପ୍ରଶିକ୍ଷଣ ନେଇଛି ।

ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସୁଚିନ୍ତିତ ଭାବେ ଯୋଜନା ପ୍ରସ୍ତୁତ କରାଯାଇଛି । ଦଳ ପୂର୍ଣ୍ଣ ଆତ୍ମବିଶ୍ୱାସ ଓ ଦାୟିତ୍ୱବୋଧ ସହ ଏହି ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ । ସଙ୍କେତ କମ୍ୟୁନିକେସନ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭାଶିଷ ତ୍ରିପାଠୀ କହିଛନ୍ତି ଯେ, କିଛି ଯାତ୍ରା କେବଳ ପ୍ରଂଶସାର ନୁହେଁ, ଦୃଢ ସମର୍ଥନର ମଧ୍ୟ ହକ୍‌ଦାର । ଏହି ଅଭିଯାନ ସାହସ, ଦେଶପ୍ରେମ ଓ ଲକ୍ଷ୍ୟକୁ ଏକ ସୂତ୍ରରେ ବାନ୍ଧିଛି । ଆମର ବିଶ୍ୱାସ, ଏହି ମହିଳାମାନେ କେବଳ ଏକ ସଫଳ ଶିଖର ଆରୋହଣର କାହାଣୀ ନୁହେଁ ବରଂ ଓଡ଼ିଶା ଯୁବପିଢି ପାଇଁ ପ୍ରେରଣାର ଏକ ନୂତନ ଅଧ୍ୟାୟ ନେଇ ଫେରିବେ ।

‘ଆଶା’ର ଉପ-ସଭାପତି ଶ୍ରୀ ହରେଶ କୁମାର ମିଶ୍ର କହିଛନ୍ତି ଯେ, ଏହି ଅଭିଯାନ ଓଡ଼ିଶାରେ ଦୁଃସାହସିକ କ୍ରୀଡ଼ାର ଏକ ନୂତନ ଯୁଗର ଆରମ୍ଭ । ଏହା ଯୁବପିଢିଙ୍କ ମନରେ ଆତ୍ମବିଶ୍ୱାସ, ନେତୃତ୍ୱ ଓ ସ୍ଥିରତାର ମନୋଭାବକୁ ଆହୁରି ଦୃଢ କରିବ । ଏଥିପୂର୍ବରୁ, ଓଡ଼ିଶା ବିଧାନ ସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପର୍ବତାରୋହୀ ଦଳଙ୍କୁ ନିଜ ବାସଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପତାକା ହସ୍ତାନ୍ତର କରି ଅଭିଯାନର ଶୁଭାରମ୍ଭ କରିଥିଲେ । ରାଜ୍ୟ ମହିଳାମାନଙ୍କର ଏହି ପ୍ରକାର ସାହାସିକ ପ୍ରେରଣାଦାୟୀ ନେତୃତ୍ୱ ତଥା ପ୍ରୟାସ ପାଇଁ ସେ ଗର୍ବ ପ୍ରକାଶ କରିବା ସହ ଅଭିଯାନର ସର୍ବାଙ୍ଗୀନ ସଫଳତା ପାଇଁ ଶ୍ରୀମତୀ ପାଢୀ ଆରୋହୀମାନଙ୍କୁ ଶୁଭକାମନା ଜଣାଇଥିଲେ ।

Exit mobile version