ରାଉରକେଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ୮୦ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ରାଉରକେଲା ପ୍ରଶାସନ ପକ୍ଷରୁ ଆଜି ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଵୈଠକରେ ଚଳିତ ବର୍ଷ ରାଉରକେଲାଠାରେ ମହାସମାରୋହରେ ୮୦ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ।

ଆଜିର ଏହି ବୈଠକରେ ଆନୁଷଙ୍ଗିକ ବ୍ୟବସ୍ଥା, ଯଥା ପ୍ୟାରେଡ ପଡିଆରେ ସାଜସଜ୍ଜା, ସଫେଇ, ପାନୀୟ ଜଳ ଯୋଗାଣ, ଅଭ୍ୟାସ ପ୍ୟାରେଡ, ଟ୍ରାଫିକ ନିୟନ୍ତ୍ରଣ, ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ରାଉରକେଲା ମହାନଗର ନିଗମ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନା ଉପରେ ଗୁରୁତ୍ବ ଦେବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
୧୫ ଅଗଷ୍ଟ ଦିନ ପ୍ରାତଃ କାଳରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଯୋଗେ ସକାଳ ୫ ଘଟିକା ସମୟରେ ରାମଧୂନ ପରିବେଷଣ କରାଯିବା ସହ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସକାଳ ୬ ଘଟିକା ପ୍ରଭାତ ଫେରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସକାଳ ୭ଟା ୩୦ ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ସ୍ଥାନୀୟ ଉଦିତନଗର ପଡିଆ ଠାରେ ସକାଳ ୯ଟା ୧୫ ଘଟିକା ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ।