ପୂର୍ବତନ ଅଧ୍ୟକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ (ଓଡ଼ିଶା ତାଜାନ୍ୟୁଜ)(ନି.ପ୍ର) :- ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ ପ୍ରଦୀପ କୁମାର ନନ୍ଦଙ୍କୁ ଶୁକ୍ରବାର ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ନଭେମ୍ବର ୨୦୨୫ ଠାରୁ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇ ଅବସର ଗ୍ରହଣ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର୍ ଡ଼ ହରିହର ମୁନି, ବିଭାଗ ର ମୁଖ୍ୟ ଡ଼ ପ୍ରଦୀପ କୁମାର ନନ୍ଦ, ଧର୍ମପତ୍ନୀ ପୂର୍ଣ୍ଣିମା ନନ୍ଦ, ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାହୁ, ଲ୍ୟାବ ଆସିଷ୍ଟାଣ୍ଟ ଅନିଲ କୁମାର ସାହୁ, ସହାୟକ ସନ୍ତୋଷ ଡାକୁଆ ପ୍ରମୁଖ ଉପସ୍ଥିତ ରହିଥିଲେ l

ସଭାରେ ଡକ୍ଟର ନନ୍ଦ ଙ୍କ ଶିକ୍ଷାଦାନ ଜୀବନ ସହ ଅଧ୍ୟାପକ ଠାରୁ ଅଧକ୍ଷ ପର୍ଯ୍ୟନ୍ତ ଦୀର୍ଘ ୩୬ ବର୍ଷ ଧରି ଅନୁଷ୍ଠାନ କୁ ଆଗକୁ ନେବାକୁ ନିରନ୍ତର ପ୍ରୟାସ କରି ଉଚ୍ଚ କୋଟିର ପ୍ରଶାସନିକ ଦକ୍ଷତା ଉପରେ ଆଲୋକପାତ କରାଯାଇଥିଲା । ବିଶେଷ କରି ଜଣେ ଦକ୍ଷ ପରୀକ୍ଷା ଇନଚାର୍ଜ ଭାବରେ ସେ ନିଜ କାର୍ଯ୍ୟକାଳ ମଧ୍ୟରେ କଲେଜର ସମସ୍ତ ପରୀକ୍ଷାକୁ ଅତି ସଫଳତା ଓ ସ୍ୱଚ୍ଛତାର ସହ ପରିଚାଳନା କରି ବେଶ୍ ସୁନାମ ଅର୍ଜନ କରିଥିବା ନେଇ ଅତିଥିମାନେ ପ୍ରଶଂସା କରିଥିଲେ । ଏହି ଅବସରରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରିୟ ସାରଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ବିଦାୟ ମୁହୂର୍ତ୍ତରେ ସାରଙ୍କ ଆଦର୍ଶକୁ ମନେ ପକାଇ ଅନେକ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇପଡ଼ିଥିଲେ । ଶେଷରେ ଡକ୍ଟର ପି. କେ. ନନ୍ଦ ସମସ୍ତ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସହଯୋଗ ଓ ଭଲପାଇବା ପାଇଁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ବିପ୍ଳବ ସେଠୀ, ଶୁଭ୍ରଜ୍ୟୋତି ନାୟକ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଗ୍ରହଣ କରିବା ସହ ଓମ୍ ସାହୁ, ଆଶୁତୋଷ ନାୟକ, ଧର୍ମେନ୍ଦ୍ର ଡାକୁଆ, ଶୁଭମ ଗୌଡ଼, ଶୁଭେନ୍ଦୁ ପଟ୍ଟନାୟକ, ପ୍ରଜ୍ଞାରାଣୀ ଗୌଡ଼, ମାନସୀ ପଣ୍ଡା ଓ ବିଭାଗର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l

Exit mobile version