ଓଡ଼ିଶା ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟରର କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାର ଦୁଇ ବର୍ଷ ପୂର୍ତ୍ତି ପାଳନ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ :- ଓଡ଼ିଶା ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଏମ୍/ଏନ୍‌ଏସ୍‌ କେଏଚ୍‌ପିସି), ପୁରୀ ନିଜର ଦ୍ୱିତୀୟ ବର୍ଷ ପୂର୍ତ୍ତି ଏକ ଐତିହାସିକ ସମାରୋହ ମାଧ୍ୟମରେ ପାଳନ କରିଛି। ଏହି ଅବସରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା କେନ୍ଦ୍ରର ଆଥଲେଟ୍‌ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଖୋ-ଖୋ ଚୟନ ପରୀକ୍ଷଣ ୨୦୨୬ ମାଧ୍ୟମରେ ନୂତନ ପ୍ରତିଭାଶାଳୀ ଆଥଲେଟ୍‌ମାନଙ୍କୁ ମଧ୍ୟ କେନ୍ଦ୍ରରେ ସାମିଲ କରାଯାଇଛି। ଭାରତର ଭବିଷ୍ୟତ ଖୋ-ଖୋ ଚାମ୍ପିଅନ୍‌ମାନଙ୍କୁ ଗଢ଼ି ତୋଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

 ଓଡ଼ିଶା ଏଏମ୍/ଏନ୍‌ଏସ୍‌ କେଏଚ୍‌ପିସିର ଆଥଲେଟ୍‌ମାନେ ଖୋ-ଖୋ ବିଶ୍ୱକପ୍ ୨୦୨୫, ଜାତୀୟ କ୍ରୀଡ଼ା ୨୦୨୫, ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୫, ଜୁନିୟର ଜାତୀୟ ଖୋ-ଖୋ ଚାମ୍ପିଅନ୍‌ଶିପ୍ ୨୦୨୪-୨୦୨୬, ସିନିୟର ଜାତୀୟ ଖୋ-ଖୋ ଚାମ୍ପିଅନ୍‌ଶିପ୍ ୨୦୨୫-୨୦୨୬ ଏବଂ ସବ୍-ଜୁନିୟର ଜାତୀୟ ଖୋ-ଖୋ ଚାମ୍ପିଅନ୍‌ଶିପ୍ ୨୦୨୫-୨୦୨୬ ପରି ବିଭିନ୍ନ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଓ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ସହ ଗୌରବ ଅର୍ଜନ କରୁଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ରର ଆଥଲେଟ୍‌ମାନେ ୩୦ରୁ ଅଧିକ ଜାତୀୟ, ଆଞ୍ଚଳିକ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଭିନ୍ନ ବର୍ଗରେ ୪୮ଟି ପଦକ ଅର୍ଜନ କରିଛନ୍ତି। ଏହି ସଫଳତା ଓଡ଼ିଶା ଏଏମ୍/ଏନ୍‌ଏସ୍‌ କେଏଚ୍‌ପିସିକୁ ଏକ ନିରନ୍ତର ପ୍ରତିଭା ବିକାଶ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିଛି। ଏଠାରେ ସୁବ୍ୟବସ୍ଥିତ ପ୍ରଶିକ୍ଷଣ ଏବଂ ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ଆଥଲେଟ୍‌ମାନଙ୍କ ସଫଳତାକୁ ସୁନିଶ୍ଚିତ କରିବା ସହ ଜାତୀୟ ସ୍ତରରେ ସ୍ୱୀକୃତି ଆଣିବାରେ ସହାୟକ ହୋଇଛି।

ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ଓ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଅଶୁତୋଷ ତେଲାଙ୍ଗ କହିଛନ୍ତି, “ମାତ୍ର ଦୁଇ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶା ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର ଖୋ-ଖୋ କ୍ଷେତ୍ରରେ ସୁବ୍ୟବସ୍ଥିତ ପ୍ରଶିକ୍ଷଣ ଓ ପ୍ରତିଭା ବିକାଶର ଏକ ଅଗ୍ରଣୀ କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆମ ଆଥଲେଟ୍‌ମାନଙ୍କ ସଫଳତା କେବଳ ସେମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମର ପ୍ରତିଫଳନ ନୁହେଁ ବରଂ ଆମେ ମିଳିତ ଭାବେ ଗଢ଼ି ତୋଳିଥିବା ସଶକ୍ତ ବାତାବରଣର ମଧ୍ୟ ଏକ ପ୍ରମାଣ। ଆମେ ନୂତନ ଆଥଲେଟ୍‌ମାନଙ୍କ ବ୍ୟାଚକୁ ସ୍ୱାଗତ କରୁଥିବା ବେଳେ  ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ଉତ୍କର୍ଷତା ଓ ପ୍ରତିସ୍ପର୍ଦ୍ଧାମୂଳକ ମନୋଭାବର ବିକାଶ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରୁଛି । ଏହାସହିତ ବିଶ୍ୱସ୍ତରରେ ଖୋ-ଖୋ କ୍ଷେତ୍ରରେ ଭାରତର ଗୌରବ ବଢ଼ାଇବାରେ ସକ୍ଷମ ଚାମ୍ପିଅନ୍ ଆଥଲେଟ୍‌ ସୃଷ୍ଟି କରିବା ଦିଗରେ ଆମର ପ୍ରୟାସ ଅବ୍ୟାହତ ରହିଛି।”

ଏହି ସମାରୋହରେ ଭାରତୀୟ ପୁରୁଷ ଖୋ-ଖୋ ଦଳର ଅଧିନାୟକ ଶ୍ରୀ ପ୍ରତୀକ ୱାଇକର ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ଖୋ-ଖୋ ଫେଡେରେସନର ଉପସଭାପତି ତଥା ଓଡ଼ିଶା ଖୋ-ଖୋ ସଂଘର ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର, ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ମାନବ ସମ୍ବଳ (ପୂର୍ବ) ବିଭାଗ ମୁଖ୍ୟ ଡ. ଦେବବ୍ରତ ଦାଶ, ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ସିଏସ୍‌ଆର୍ ବିଭାଗ ମୁଖ୍ୟ ଡ. ବିକାଶ ଯାଦଭେନ୍ଦୁ ଏବଂ ଓଡ଼ିଶା ଏଏମ୍/ଏନ୍‌ଏସ୍‌ କେଏଚ୍‌ପିସିର କାର୍ଯ୍ୟନ୍ଵୟନ ସହଯୋଗୀ ‘ସ୍ପୋର୍ଟସ୍ ଫର ଅଲ୍ (ଏସ୍‌ଏଫ୍‌ଏ)’ର ପ୍ରକଳ୍ପ ମୁଖ୍ୟ ଶ୍ରୀ ସାଗର ସାମଲ ଉପସ୍ଥିତ ଥିଲେ। ସେମାନଙ୍କର ଉପସ୍ଥିତି ଆଥଲେଟ୍‌ମାନଙ୍କୁ ଉତ୍ସାହିତ କରିଥିଲା ଏବଂ କେନ୍ଦ୍ରର ବିକାଶ ଯାତ୍ରାରେ ଆଗାମୀ ଅଧ୍ୟାୟର ପ୍ରତିନିଧିତ୍ୱ କରୁଥିବା ଆଥଲେଟ୍‌ମାନଙ୍କୁ ସାମିଲ କରିବା ପାଇଁ ଏକ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରିଥିଲା।

ଖୋ-ଖୋ ଚୟନ ପରୀକ୍ଷଣ-୨୦୨୬ ପରେ ଆୟୋଜିତ ଆଥଲେଟ୍‌ମାନଙ୍କର ଔପଚାରିକ ଭାବେ ସାମିଲ ହେବା ସମାରୋହରେ ଜୁନିୟର ଓ ସିନିୟର ବର୍ଗର ୩୧ ଜଣ ଆଥଲେଟ୍‌ ନିଜ ନିଜ ସ୍ଥାନ ବଜାୟ ରଖିଥିବାବେଳେ, ୧୦ ଜଣ ବାଳକ ଓ ୯ ଜଣ ବାଳିକାଙ୍କୁ ମିଶାଇ ୧୯ ଜଣ ନୂତନ ଆଥଲେଟ୍‌ମାନଙ୍କୁ କେନ୍ଦ୍ରରେ ସ୍ୱାଗତ କରାଯାଇଥିଲା। ନୂତନ ସବ୍-ଜୁନିୟର ବ୍ୟାଚ୍‌ରେ  ଆଥଲେଟ୍‌ମାନଙ୍କୁ ସାମିଲ କରିବା ଜରୁରୀ ଥିଲା  କାରଣ ୨୦୨୪ ବ୍ୟାଚ୍‌ର ସମସ୍ତ ଆଥଲେଟ୍‌ ଜୁନିୟର ବର୍ଗକୁ ଉନ୍ନୀତ ହୋଇଥିଲେ। ସେହିପରି ପୂର୍ବରୁ ଥିବା ଜୁନିୟର ଆଥଲେଟ୍‌ମାନେ ସିନିୟର ବର୍ଗକୁ ଉନ୍ନୀତ ହେବା ପରେ ୮ ଜଣ ନୂତନ ଜୁନିୟର ଆଥଲେଟ୍‌ ମଧ୍ୟ କେନ୍ଦ୍ରରେ ସାମିଲ ହୋଇଥିଲେ। ଏହି ପର୍ଯ୍ୟାୟକ୍ରମିକ ଉନ୍ନତି ଓ ସାମିଲ ପ୍ରକ୍ରିୟା କେନ୍ଦ୍ରକୁ ଏକ ସୁବ୍ୟବସ୍ଥିତ ପ୍ରତିଭା ବିକାଶର କେନ୍ଦ୍ର ଭାବେ ଆହୁରି ସୁଦୃଢ଼ କରିଥିବାବେଳେ ପ୍ରତିଭାଶାଳୀ ଉଦୀୟମାନ ଆଥଲେଟ୍‌ମାନଙ୍କ ପାଇଁ କ୍ରମାଗତ ଭାବେ ଆଗକୁ ବଢ଼ିବାର ସୁଯୋଗ ମଧ୍ୟ ସୃଷ୍ଟି କରୁଛି।

ସମ୍ବର୍ଦ୍ଧନା ସମାରୋହରେ ଅବସରରେ ବିଭିନ୍ନ ଜାତୀୟ ଚାମ୍ପିଅନ୍‌ଶିପ୍‌ରେ ଗୌରବମୟ ସଫଳତା ଅର୍ଜନ କରିଥିବା ଆଥଲେଟ୍‌ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତାରେ ସଫଳତା ବ୍ୟତୀତ କେନ୍ଦ୍ର ପକ୍ଷରୁ ସର୍ବାଙ୍ଗୀଣ ପ୍ରଦର୍ଶନ, ଆଦର୍ଶ ଶୃଙ୍ଖଳା, ନିରନ୍ତର ଶିକ୍ଷାଗତ ଉତ୍କର୍ଷତା ଏବଂ ଖେଳ ପଡ଼ିଆରେ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ଆଥଲେଟ୍‌ମାନଙ୍କୁ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଥଲେଟ୍‌ମାନେ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ।

ଏଥିରେ ସେମାନେ ଆଧୁନିକ ଖୋ-ଖୋର ପରିଚୟ ବହନ କରୁଥିବା ଦ୍ରୁତଗତି, କ୍ଷିପ୍ରତା, ରଣନୀତିଗତ ଦକ୍ଷତା ଏବଂ ପ୍ରତିସ୍ପର୍ଦ୍ଧାମୂଳକ ମନୋଭାବର ଚମତ୍କାର ପ୍ରଦର୍ଶନ କରିଥିଲେ । ଓଡ଼ିଶା ଏଏମ୍/ଏନ୍‌ଏସ୍‌ ଇଣ୍ଡିଆ ଖୋ-ଖୋ ହାଇ ପରଫରମାନ୍ସ ସେଣ୍ଟର ତୃତୀୟ ବର୍ଷରେ ପଦାର୍ପଣ କରୁଥିବା ବେଳେ, ବିଶ୍ୱସ୍ତରୀୟ ଆଥଲେଟ୍‌ ସୃଷ୍ଟି କରିବା ଏବଂ ଖୋ-ଖୋ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱ ଶକ୍ତି ଭାବେ ଆହୁରି ସୁଦୃଢ଼ କରିବାର ନିଜର ଲକ୍ଷ୍ୟ ପ୍ରତି କେନ୍ଦ୍ର ପ୍ରତିବଦ୍ଧ ରହିଛି ।

Exit mobile version