ଉତ୍କଳ ହସ୍ପିଟାଲରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ : ଶୀଘ୍ର ଚିହ୍ନଟ ଓ ପ୍ରତିରୋଧ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଓଡ଼ିଶାର ଅଗ୍ରଣୀ ବହୁବିଶେଷଜ୍ଞ ଚିକିତ୍ସାଳୟ ଉତ୍କଳ ହସ୍ପିଟାଲ, ନୀଳାଦ୍ରି ବିହାର, ଭୁବନେଶ୍ୱର ପକ୍ଷରୁ ଆଜି ହସ୍ପିଟାଲର ବେସମେଣ୍ଟ ଅଡିଟୋରିୟମରେ ବିଶ୍ୱ ହେପାଟାଇଟିସ୍ ଦିବସ–୨୦୨୬ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ହେପାଟାଇଟିସ୍ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଶୀଘ୍ର ରୋଗ ଚିହ୍ନଟ ଏବଂ ପ୍ରତିରୋଧମୂଳକ ବ୍ୟବସ୍ଥା ଗ୍ରହଣ ପାଇଁ ପ୍ରେରିତ କରିବା ।

ଚଳିତ ବର୍ଷର ବିଷୟବସ୍ତୁ “Hepatitis: Let’s Break It Down” ହେପାଟାଇଟିସ୍ ସମ୍ପର୍କିତ ସଚେତନତା, ପରୀକ୍ଷା, ଚିକିତ୍ସା ଏବଂ ସେବା ପ୍ରଦାନରେ ଥିବା ପ୍ରତିବନ୍ଧକକୁ ଦୂର କରିବାର ବାର୍ତ୍ତା ଦେଇଥାଏ । ଏହି ଅବସରରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଡାଇରେକ୍ଟର, ପ୍ରଫେସର (ଡ଼ଃ) ଚିତ୍ତରଞ୍ଜନ ପଣ୍ଡା, ବରିଷ୍ଠ ପରାମର୍ଶଦାତା,
ଡ଼ଃ ସୁବାଶ ଚନ୍ଦ୍ର ସାମଲ,ବରିଷ୍ଠ ପରାମର୍ଶଦାତା ,ଡ଼ଃ ବିଜୟ ମିଶ୍ର, ଏବଂ ବରିଷ୍ଠ ପରାମର୍ଶଦାତା , ଡ଼ଃ ଅନନ୍ତ ଅଗସ୍ତି ହେପାଟାଇଟିସ୍ ନିରାକରଣ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେମାନେ ଶୀଘ୍ର ପରୀକ୍ଷା, ସମୟୋପଯୋଗୀ ଚିକିତ୍ସା, ଟିକାକରଣ ଏବଂ ସୁସ୍ଥ ଜୀବନଶୈଳୀ ଅବଲମ୍ବନ ମାଧ୍ୟମରେ ଯକୃତ ରୋଗକୁ ପ୍ରତିରୋଧ କରିବାକୁ ଆହ୍ୱାନ ଦେଇଥିଲେ । ବକ୍ତାମାନେ “Build It Back Better – Together We Can Eliminate Hepatitis” ବାର୍ତ୍ତା ପ୍ରଦାନ କରି କହିଥିଲେ ଯେ, ଶୀଘ୍ର ଚିହ୍ନଟ, ସମୟୋପଯୋଗୀ ପଦକ୍ଷେପ ଏବଂ ସଚେତନତା ହିଁ ଏକ ସୁସ୍ଥ ଆଗାମୀ ଗଢ଼ିବାର ଚାବିକାଠି । ସେମାନେ “ହେପାଟାଇଟିସ୍‌କୁ ପ୍ରତିରୋଧ କରନ୍ତୁ, ନିଜ ଯକୃତକୁ ସୁରକ୍ଷା ଦିଅନ୍ତୁ, ଜୀବନକୁ ସୁରକ୍ଷିତ ରଖନ୍ତୁ” ବୋଲି ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।

ହେପାଟାଇଟିସ୍-ବି ଭାଇରସ୍‌ର ଆବିଷ୍କାରକ ଏବଂ ପ୍ରଥମ ହେପାଟାଇଟିସ୍-ବି ଟିକାର ବିକାଶକାରୀ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଡ଼ଃ ବାରୁଚ୍ ବ୍ଲମ୍ବର୍ଗଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ପ୍ରତିବର୍ଷ ୨୮ ଜୁଲାଇ ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର (ଡ଼ଃ) ଏସ୍. ପି. ସିଂହ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡ଼େଇ, ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ବି. କେ. ସୁବୋଧ ସିଂହ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,

ପ୍ରଫେସର (ଡ଼ଃ) ପି. କେ. ଦାସ, ଡିନ୍ (ଏକାଡେମିକ୍ସ) ଏବଂ ଡ଼ଃ ବିଷ୍ଣୁ ପ୍ରସାଦ ନନ୍ଦ, ଉପସଭାପତି ଉପସ୍ଥିତ ରହି ସମ୍ବୋଧନ କରିଥିଲେ । ସେମାନେ ଜନସଚେତନତା ବୃଦ୍ଧି, ପ୍ରତିରୋଧମୂଳକ ସ୍ୱାସ୍ଥ୍ୟସେବା ଏବଂ ଯକୃତ ରୋଗର ଉନ୍ନତ ଚିକିତ୍ସା ପ୍ରଦାନ ପ୍ରତି ଉତ୍କଳ ହସ୍ପିଟାଲର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଶୈଳେନ୍ଦ୍ର କୁମାର ପଣ୍ଡା, ନିର୍ଦ୍ଦେଶକ ଏବଂ ଶ୍ରୀ ସୈଖ ସିକନ୍ଦର ଅଲ୍ଲୀ, ଜେନେରାଲ୍ ମ୍ୟାନେଜର (ପ୍ରୋଜେକ୍ଟ ଏବଂ ମେଣ୍ଟେନାନ୍ସ)ଙ୍କ ସମେତ ବରିଷ୍ଠ ଡାକ୍ତର, ପରାମର୍ଶଦାତା, ନର୍ସିଂ କର୍ମଚାରୀ, ହସ୍ପିଟାଲର ବିଭିନ୍ନ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଶେଷରେ ସଚେତନତା କାର୍ଯ୍ୟକ୍ରମରେ ସଫଳ ଅଂଶଗ୍ରହଣକାରୀମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ବିଶ୍ୱ ହେପାଟାଇଟିସ୍ ଦିବସ ଉପଲକ୍ଷେ କେକ୍ କାଟି କାର୍ଯ୍ୟକ୍ରମର ସମାପନ କରାଯାଇଥିଲା । ଏହି ପାଳନ ମାଧ୍ୟମରେ ଉତ୍କଳ ହସ୍ପିଟାଲ ଭାଇରାଲ୍ ହେପାଟାଇଟିସ୍ ନିରାକରଣ ଏବଂ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି ପ୍ରତି ନିଜର ଅଙ୍ଗୀକାରକୁ ପୁନର୍ବ୍ୟକ୍ତ କରିଛି ।

Exit mobile version