ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର

ରଣପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଚକାଶିଳା କ୍ଷେତ୍ର ଭାବେ ପରିଚିତ ରଣପୁରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଶୁକ୍ରବାର ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ମାଉସୀମା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପବିତ୍ର ନବମୀ ଦର୍ଶନ ପ୍ରଦାନ କରିବା ପରେ ବାହୁଡା଼ ଯାତ୍ରାର ସମସ୍ତ ନୀତିକାନ୍ତି ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା ।

ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ଶ୍ରୀଜୀଉଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ପୁଣ୍ୟଲାଭ କରିଥିଲେ । ସକାଳର ନୀତିକାନ୍ତି ପରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା ।

ପରେ ୪ ଟା ରେ ବାହୁଡା଼ ଯାତ୍ରାର ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଧାଡ଼ି ପହଣ୍ଡିରେ ମହାପ୍ରଭୁଙ୍କୁ ରଥାରୂଢ଼ କରାଯାଇଥିଲା ।  ତିନି ରଥରେ ରଣପୁର ରାଜାଙ୍କ ରାଜ ପୁରୋହିତ ବିଶ୍ଵନାଥ ଷଡ଼ଙ୍ଗୀ ଙ୍କ ଦ୍ଵାରା ଛେରା ପହଁରା ନୀତି ସମ୍ପନ୍ନ କରାଯାଇଥିଲା । ହଜାର ହଜାର ଭକ୍ତଙ୍କ ଉପସ୍ଥିତି ମଧ୍ୟରେ ତିନିରଥ ଟଣାଯାଇଥିଲା ।  

ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା । ତେବେ ରଥଟି ରଥଟଣା ସମୟରେ ଏକ ବିଦ୍ୟୁତ୍ ଖୁଣ୍ଟରେ ଲାଗିଯାଇଥିବାରୁ କିଛି ସମୟ ପାଇଁ ରଥଟଣା ବାଧାପ୍ରାପ୍ତ ହୋଇଥିଲା । ପରେ ବିଦ୍ୟୁତ୍ ଖୁଣ୍ଟକୁ ଉପଡ଼ାଯାଇ ରଥଟଣା ପୁନର୍ବାର ଆରମ୍ଭ ହୋଇଥିଲା ଏବଂ

ତାଳଧ୍ୱଜ ରଥ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚି ଲାଗିଥିଲା । ଅନ୍ୟପକ୍ଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀମା ମନ୍ଦିର ପରିସରରେ ଅଟକି ରହିଥିଲା । ମାଉସୀମା ମନ୍ଦିର ପରିସର ହଜାର ହଜାର ଭକ୍ତଙ୍କ ଭିଡ଼ ଏବଂ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା । ବାହୁଡା଼ ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଏବଂ

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରମୁଖ ବ୍ୟବସ୍ଥା କରା ଯାଇଥିଲା ଏହି ଅବସରରେ ତହସିଲଦାରଙ୍କ ପ୍ରମୁଖ ଉପସ୍ଥିତ ମନ୍ଦିର ପ୍ରଶାସନର ମୁଖ୍ୟ ରମେଶ ପ୍ରଧାନ, ପୋଲିସ ପ୍ରଶାସନ, ମିଡ଼ିଆ ପ୍ରତିନିଧି ଏବଂ ବିଭିନ୍ନ ସେବାୟତ ଉପସ୍ଥିତ ରହି ରଥଯାତ୍ରାର ସୁପରିଚାଳନାରେ ସହଯୋଗ କରିଥିଲେ ।

Exit mobile version