ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ନୟାଗଡ଼  (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଦାରିଦ୍ର୍ୟର ସୀମାରେଖା ତଳେ ବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ଯ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାର ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି।ମାତ୍ର ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ସରକାରଙ୍କ ସୁଦୁର ପ୍ରସାରୀ ଲୋକହିତକର ଯୋଜନା ଗୁଡିକର ସଫଳ ରୂପାୟନ ତୃଣମୂଳସ୍ତରରେ ହୋଇ ପାରୁ ନଥିବା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡୁଛି।

ସରକାର ଭୂମିହୀନ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ୪ ଡିସିମିଲ ସରକାରୀ ଜାଗା ଯୋଗାଇ ଦେବାର ବ୍ଯବସ୍ଥା କରିଛନ୍ତି। ମାତ୍ର ବର୍ଷ ବର୍ଷ ଧରି ସରକାରୀ ଜାଗାରେ ଝାଟିମାଟି,କଚ୍ଚା ଘର ନିର୍ମାଣ କରି ରହୁଥିବା ଏକାଧିକ ଭୂମିହୀନ ପରିବାରବର୍ଗଙ୍କ ନିକଟରେ ନା ଅଛି ଜାଗାର ପଟ୍ଟା ନା ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଭାବେ ସାମିଲ ହୋଇ ପାରୁଛନ୍ତି।ଏଭଳି ଏକ ଘଟଣାକ୍ରମେ ଖଣ୍ଡପଡା ବ୍ଲକ ଅଧୀନ ରୟତି ଢୋଲମରା ଗ୍ରାମର ସନାତନ ପାତ୍ର ଜଣେ ଅତ୍ୟନ୍ତ ଗରିବ ଓ ଭୂମିହୀନ ବ୍ୟକ୍ତି ଅଟନ୍ତି।

ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଖଣ୍ଡିଏ ନିର୍ମାଣ କରିବା ସନାତନଙ୍କ ପାଇଁ ସ୍ବପ୍ନ ପାଲଟିଛି। ଆବାସ ଯୋଜନା ହିତାଧିକାରୀ ତାଲିକାରେ ତାଙ୍କର ନାମ ରହିଥିଲେ ମଧ୍ୟ ଘରବାରି ପଟ୍ଟା ଖଣ୍ତେ ତାଙ୍କ ପାଖରେ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଖଣ୍ତେ ପାଇବାରୁ ସେ ବଞ୍ଚିତ ହୋଇଥିବା ଜଣାପଡିଛି।ତେବେ ବିଭିନ୍ନ ସମୟରେ ତଦନ୍ତ କରିବାକୁ ଆସୁଥିବା ପ୍ରଶାସନିକ ଅଧିକାରୀମାନେ ଜାଗାର ପଟ୍ଟା ନାହିଁ ତ ଆବାସ ଯୋଜନାରେ ବାସଗୃହ ଖଣ୍ତେ ମିଳିବ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେବା ପରେ ସନାତନଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି।

ବସୁନ୍ଧରା ଯୋଜନାରେ ୪ ଡିସିମିଲ ଜାଗା ପାଇବା ଆଶାରେ ସନାତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟରେ ଆବେଦନପତ୍ର ଦାଖଲ କରିବା ସହ ଅନେକବାର କାର୍ଯ୍ଯାଳୟକୁ ଯାଇଥିଲେ ହେଁ ଅଦ୍ୟାବଧି ତାଙ୍କ ଅଭିଯୋଗ ପ୍ରତି କେହି ହେଲେ ଗୁରୁତ୍ବ ଦେଇ ନଥିବା ନେଇ ଦୁଃଖର ସହ ସେ ପ୍ରକାଶ କରିଛନ୍ତି।ସନାତନ ଏ ନେଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅବଗତ କରି ନିରାଶ ହୋଇଥିବା ଜଣାପଡିଛି।

ସେହିପରି ଖଣ୍ଡପଡ଼ା ବ୍ଲକ ଓ ତହସିଲ ପ୍ରଶାସନ ଏ ଦିଗରେ ସନାତନଙ୍କୁ ସହଯୋଗର ହାତ ବଢାଇଲେ ଗରିବ ଶ୍ରେଣୀର ଏହି ପରିବାରବର୍ଗ ସରକାରଙ୍କ ସୁଦୁରପ୍ରସାରୀ ଲୋକହିତକର ଯୋଜନାରେ ସାମିଲ ହେବା ସହ ଉପକୃତ ହୋଇ ପାରନ୍ତେ ବୋଲି ଜଣାପଡିଛି।ସୂଚନାଯୋଗ୍ଯ ଝାଟିମାଟି ଚାଳ ଛପର ଘରେ ବାସ କରୁଥିବା ସନାତନଙ୍କ ପରିବାରବର୍ଗ ପ୍ରତିବର୍ଷ ଘର ଛପର କରିବା ନିମନ୍ତେ ପୁରା ଅସମର୍ଥ ଅଟନ୍ତି। ସମ୍ବଳ ଅଭାବରୁ ସନାତନଙ୍କ ପରିବାରବର୍ଗ ଅତି ଦୟନୀୟ ସ୍ଥିତିରେ ଏବେ ବାସ କରୁଥିବା ବେଳେ ଉକ୍ତ ପରିବାର ପ୍ରତି ଖଣ୍ଡପଡ଼ା ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ ଓ ନୟାଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ରୟତି ଢୋଲମରା ଗ୍ରାମବାସୀ ଦାବି କରିଛନ୍ତି।

Exit mobile version