ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଗଞ୍ଜାମ :- ଛତ୍ରପୁର ଦେଶର ଗଠନରେ ଶିକ୍ଷକ ସମାଜର ଏକ ବଳିଷ୍ଠ ଭୂମିକା ରହିଛି । କରୋନା ମହାମାରୀ ପରିପ୍ରେକ୍ଷୀରେ ଶିକ୍ଷକମାନେ କୋଭିଡ ଯୋଦ୍ଧା ଭାବରେ ସମାଜର ସେବା କରିବା ସହ ଯେଉଁଭଳି ଭାବେ ଶିକ୍ଷାଦାନ ପାଇଁ ଅହରହ ପ୍ରଚେଷ୍ଟାରତ ତାହା ପ୍ରଶଂସନୀୟ । ରୋଟାରୀ ଇଣ୍ଟରନ୍ୟାନାଲ ପକ୍ଷରୁ ଚଳିତ ବର୍ଷ ଶିକ୍ଷକମାନଙ୍କୁ ଦେଶ ନିର୍ମାତା ଭାବେ ସମ୍ମାନିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଛତ୍ରପୁର ବ୍ଳକରେ କାର୍ୟ୍ୟରତ ୫ ଜଣ ଶିକ୍ଷକଙ୍କୁ “ଦେଶ ନିର୍ମାତା” ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଛତ୍ରପୁର ବ୍ଳକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଟାଙ୍ଗଣାପଲ୍ଲୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାଗିରଥୀ ମିଶ୍ର, କରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଭୁଦତ୍ତ ଶତପଥୀ, ଛତ୍ରପୁର ଏନ ଏ ସିର ବାରାକ୍ସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରୀକାନ୍ତ ନନ୍ଦ, ନରେନ୍ଦ୍ରପୁର ସିଆରସିସି ଅଶୋକ ଶତପଥୀ ଓ କାଳିପଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପି. ଦମୟନ୍ତୀ ରେଡ୍ଡୀଙ୍କୁ ଏହି କାର୍ୟ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।
ରୋଟାରୀୟନ ପ୍ରଫୁଲ୍ଲ ପଟନାୟକ ଦିବସର ତାତ୍ପର୍ୟ୍ୟ କହିଥିବା ବେଳେ ରୋଟାରୀୟନ ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡୀ , ରୋଟାରୀୟନ ସୁରଜିତ ସାମନ୍ତରାୟ, ରୋଟାରୀୟନ ପ୍ରସନ୍ନ ପତି, ରୋଟାରିୟନ ବିଘ୍ନେଶ୍ୱର ରଥ, ରୋଟାରିୟନ ଧିରେନ୍ଦ୍ରନାଥ ପଣ୍ଡା ଓ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ ସମ୍ବର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପରିଚୟ ପ୍ରଦାନ କରିଥିଲେ । ରୋଟାରୀୟନ କେ. ବାସୁଦେବ ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ରୋଟାରୀ ଭଳି ଏକ ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ଏଭଳି ସମ୍ବର୍ଦ୍ଧନା ପାଇଁ ଶିକ୍ଷକମାନେ ଖୁସି ଓ ଧନ୍ୟବାଦ ଅର୍ପଣ କରିଥିଲେ । ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )
