ଖଇରପୁଟ ବ୍ଲକର ବଡଡୁରାଲ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର : ୬୩ ଗୋଟି ଅଭିଯୋଗର ସମାଧାନ ପାଇଁ ନିର୍ଦ୍ଦେଶ

ମାଲକାନଗିରି (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡଡୁରାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମେଗା ଯୁଗ୍ମ ଜନ ଶୁଣାଣୀ ଓ ଅଭିଯୋଗ ସମାଧାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଉପ-ଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ ଏବଂ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ ।

ଏହି ଶିବିରରେ ସମୁଦାୟ ୬୩ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଟି ବ୍ୟକ୍ତିଗତ ଏବଂ ୫୫ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଅଭିଯୋଗଗୁଡ଼ିକର ତତ୍କାଳ ଓ ସଠିକ୍ ଯାଞ୍ଚ ପାଇଁ ଶିବିର ସ୍ଥଳରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ମାନ ଖୋଲାଯାଇଥିଲା। ଏଥି ସହିତ ଜିଲ୍ଲାର ସମସ୍ତ ଲାଇନ ବିଭାଗ ଯେପରିକି ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ସାମାଜିକ ସୁରକ୍ଷା ଓ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ନିଜ ନିଜ ଦଳ ସହ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ସ୍ଥଳଭାଗରେ ହିଁ ସମାଧାନ କରିବାକୁ ଚେଷ୍ଟା କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ପ୍ରତିଟି ନାଗରିକଙ୍କ ସମସ୍ୟାର ସମାଧାନ କରିବା ଜିଲ୍ଲା ପ୍ରଶାସନର ମୂଳ ଲକ୍ଷ୍ୟ । ଦୂରଦୂରାନ୍ତରେ ରହୁଥିବା ଗରିବ ଓ ଜନଜାତି ବର୍ଗର ଲୋକମାନେ ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନ ହେବେ, ସେଥିପାଇଁ ଆମେ ସେମାନଙ୍କ ଦୁଆରମୁହଁରେ ପହଞ୍ଚିଛୁ । ପଞ୍ଜୀକୃତ ହୋଇଥିବା ସମସ୍ତ ୬୩ଟି ଅଭିଯୋଗକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ହସ୍ତାନ୍ତର କରାଯାଇଛି ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଗୁଡ଼ିକର ସମାଧାନ କରି ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଜିଲ୍ଲାପାଳ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିଜ ପଞ୍ଚାୟତରେ ପାଇ ସ୍ଥାନୀୟ ଅଞ୍ଚଳବାସୀ ଅତ୍ୟନ୍ତ ଆନନ୍ଦିତ ତଥା ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ପ୍ରଶାସନର ଏଭଳି ପଦକ୍ଷେପକୁ ନେଇ ଜନସାଧାରଣ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପୂର୍ବରୁ ସାମାନ୍ୟ କାମ ପାଇଁ ସେମାନଙ୍କୁ ଜିଲ୍ଲା ସଦର ମହକୁମାକୁ ଦୌଡ଼ିବାକୁ ପଡ଼ୁଥିଲା । କିନ୍ତୁ ଆଜି ଜିଲ୍ଲାପାଳ ନିଜେ ସମସ୍ତ ବିଭାଗର ଅଧିକାରୀଙ୍କୁ ଧରି ଗାଁ ପାଖକୁ ଆସି ସମସ୍ୟା ଶୁଣିବା ଏବଂ ସମାଧାନର ବାଟ କାଢିବା ସତରେ ପ୍ରଶଂସନୀୟ । ଏହି ଶିବିରରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇ ନିଜ ନିଜର ଦାବିପତ୍ର ଉପସ୍ଥାପନ କରିଥିଲେ ।

Exit mobile version