ଯୁବକଙ୍କୁ ମାଡ ମାରି ଛଡାଇଲେ ଟଙ୍କା ଓ ସୁନାଗହଣା ; ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ – ବାଲେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର )  ନୀଳଗିରି :- ଦିନକୁ ଦିନ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପଞ୍ଚଲିଙ୍ଗେଶ୍ବର ଶୈବପୀଠ । ଏବେ ଶୈବପୀଠ ବନ୍ଦ ଥିବାବେଳେ ନିଛାଟିଆ ରାସ୍ତାର ସୁଯୋଗରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରି ସୁନାଗହଣା ଓ ଟଙ୍କା ଲୁଟ କରିନେଇଥିବା ଜଣାପଡିଛି । ବାଲେଶ୍ଵର ଜିଲ୍ଲା ନୀଳଗିରିର ପଞ୍ଚଲିଙ୍ଗେଶ୍ବର ଶୈବପୀଠ ମୁଖ୍ୟ ଫାଟକରେ ଏବେ କରୋନା କଟକଣା ପାଇଁ ତାଲା ଝୁଲୁଛି । ପୂଜକ ନୀତିପୂଜା କରିବାକୁ ଭିତରକୁ ଯିବା ବ୍ୟତୀତ ଆଉ କାହାରିକୁ ଭିତରକୁ ନଯିବା ପାଇଁ କଟକଣା ରହିଛି । ହେଲେ ଏହାକୁ ଖାତିର ନକରି ବହୁ ଯୁବକ ଏହି ପୀଠକୁ ବୁଲିବାକୁ ଆସୁଛନ୍ତି । ସୋମବାର ଦିନ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ଅଭୟ ବେହେରା ଓ ଜୟନ୍ତ ସେନାପତି ପଞ୍ଚଲିଙ୍ଗେଶ୍ବର ଶୈବପୀଠକୁ ବୁଲିବାକୁ ଆସିଥିଲେ । ଏକ ହୋଟେଲରେ ରହି ରାତି ୯ଟାରେ ପଞ୍ଚଲିଙ୍ଗେଶ୍ବର ପାର୍କିଂ ଅଞ୍ଚଳକୁ ବୁଲିବାକୁ

ଯାଇଥିବା ବେଳେ ସେହି ଅଞ୍ଚଳର ତିନି ଜଣ ଯୁବକ ତାଙ୍କୁ ମାଡ଼ ମାରି ତାଙ୍କଠାରୁ ସୁନା ହାର ଓ ୧୮ ହଜାର ୨୦୦ ଟଙ୍କା ଲୁଟିନେଲେ । ପ୍ରତିବାଦ କରିବା ପରେ ସେମାନେ ସେଠାରୁ ପଳାଇ ଆସିଥିଲେ । ପରେ ନୀଳଗିରି ପୋଲିସ ଓ ଈଶ୍ୱରପୁର ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏନେଇ ନୀଳଗିରି ଥାନାରେ ୩୩୪ ନମ୍ବର ମାମଲା ରୁଜୁ ହୋଇଥିବା ଜଣାପଡିଛି । ପ୍ରଶ୍ନ ଉଠୁଛି ପଞ୍ଚଲିଙ୍ଗେଶ୍ବର ଶୈବପୀଠ ବନ୍ଦ ଥିବା ସତ୍ତ୍ବେ ଏହି ଯୁବକ କଣ ପାଇଁ ଏଠାକୁ ଆସି ହୋଟେଲରେ ରହିଥିଲେ । ହୋଟେଲରୁ ରାତିରେ ପାହାଡିଆ ଅଂଚଳକୁ ଦୁଇ ଜଣ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ । ସମସ୍ତ ଘଟଣାର ପୋଲିସ ତଦନ୍ତ କଲେ ପ୍ରକୃତ କଥା ପଦାକୁ ଆସିବ ବୋଲି କୁହାଯାଉଛି । (ଦୀପ୍ତିମାନ ପତି /ବାଲେଶ୍ୱର )

Exit mobile version