ରଥଖଳାରୁ ସିଂହଦ୍ୱାର ଲାଗିଲା ତିନିରଥ ରଥ-ପଥ-ଭକ୍ତ ପ୍ରସ୍ତୁତ

ପୁରୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ସିଂହଦ୍ୱାରରେ ଲାଗିଲା ତିନିରଥ । ରଥଖଳାରୁ ଦକ୍ଷିଣମୋଡ ହୋଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପରେ ପରେ ଦେବୀ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ସିଂହଦ୍ୱାର ଅଭିମୁଖେ ପୋଲିସ , ଭୋଇ ସେବକ ମହାରଣା ସେବକ ମାନଙ୍କ ଦ୍ବାରା ଟଣାଯାଇଥିଲା । ଶ୍ରୀମନ୍ଦିରରୁ ତିନୋଟି ଆଜ୍ଞାମାଳ ଆସିବା ପରେ ରଥଟଣା ଆରମ୍ଭ ହୋଇଥିଲା । ବିଜେ କାହାଳୀ ସହ ଘଣ୍ଟୁଆ ସେବକଙ୍କ ଘଣ୍ଟ ତାଳରେ କମ୍ପି ଉଠିଥିଲା ରଥଖଳା ଓ ମହାଖଳା ସିଂହଦ୍ୱାର । ହଜାର ହଜାର ଭକ୍ତଙ୍କ ଜୟ ଶ୍ରୀଜଗନ୍ନାଥ, ହରିବୋଲ ଓ ହୁଳୁହୁଳିରେ ତିନିରଥର ଦକ୍ଷିଣମୋଡ କରାଯାଇଥିଲା ।

ଆଜ୍ଞାମାଳ ଆସିବା ପୁର୍ବରୁ ଇନ୍ଦ୍ରଦେବ ବଡଦାଣ୍ଡକୁ ବର୍ଷା ଦ୍ବାରା ଶୁଦ୍ଧପୂତ କରିଥିଲେ । ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆଜିଠାରୁ ଲକ୍ଷାଧିକ ଭକ୍ତ ପୁରୀରେ ପହଞ୍ଚିଲେଣି । ରାଜ୍ଯ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ଭାବେ ଶ୍ରୀଗୁଣ୍ଡିଚା ଯାତ୍ରାକୁ ଶୃଙ୍ଖଳିତ ଓ ସମୟାନୁବର୍ତ୍ତିତା କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରୁ ପହଣ୍ଡି ହୋଇ ରଥାରୁଢ ହେବା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଭକ୍ତି ଭାବରେ ଉଛୁଳି ପଡୁଛି ବଡଦାଣ୍ଡ ।

ଭକ୍ତ ଭାବବିହ୍ବଳ ହୋଇ ବର୍ଷାକୁ ଖାତିରି ନକରି ବଡଦାଣ୍ଡରେ ପ୍ରଭୁଙ୍କ ପାଇଁ ଅପେକ୍ଷାରତ ।ଆବାଳ ବୃଦ୍ଧବନିତା ଏହି ଦୁର୍ଲଭ ଯାତ୍ରାକୁ ଦର୍ଶନ କରିବା ପାଇଁ ଅପେକ୍ଷାରତ । ଲକ୍ଷ ଲକ୍ଷ ଭକ୍ତ ଭଜନ କୀର୍ତ୍ତନ କରି ଟ୍ରେନ ବସ ଓ ଭଡା ଗାଡି ଦ୍ବାରା ପୁରୀକୁ ଆସୁଛନ୍ତି । ଘୁ ଘୁ ଶଦ୍ଦରେ କମ୍ପୁଛି ବଡଦାଣ୍ଡ । ରଥ ପଥ ଜଗନ୍ନାଥ ଓ ଭକ୍ତଙ୍କ ର ହେବ ମହାମିଳନ । ବଡଦାଣ୍ଡର ଦୁଇ ପାର୍ଶ୍ବରେ ହାଇମାକ୍ସ ଲାଇଟ ଖୁଣ୍ଟରେ ଲାଉଡ ସ୍ପିକରରେ ମହାପ୍ରଭୁଙ୍କ ଭଜନ ବାଜୁ ଥିବାରୁ ଭକ୍ତ ଆନନ୍ଦିତ ହେଉଛନ୍ତି । ଉଜ୍ଜ୍ବଳ ଏଲଡି ଲାଇଟରେ ଝଲସୁଛି ବଡଦାଣ୍ଡ । ଖୋଲିଗଲାଣି ସ୍ବେଚ୍ଛାସେବୀଙ୍କ ଷ୍ଟଲ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସମସ୍ତଙ୍କ ଅପେକ୍ଷା କାଳିଆ ସାଆନ୍ତଙ୍କ ଦର୍ଶନ ।

Exit mobile version