ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

କଟକ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ସକାଳୁ ସକାଳୁ ଥରିଲା ବଙ୍ଗୋପସାଗର। ବଙ୍ଗୋପସାଗରରେ ଅନୁଭୂତ ହୋଇଛି ଏକ ମଧ୍ୟମ ଧରଣର ଭୂମିକମ୍ପ । ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହି ସୂଚନା ଦେଇଥିବା ବେଳେ ଓଡ଼ିଶାର SOA CEC ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ ମଧ୍ୟ ଏହାକୁ ନେଇ ଆଲର୍ଟ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ସମୁଦ୍ର ଭିତରେ ଭୂକମ୍ପ ହୋଇଥିଲେ ସୁଦ୍ଧା ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର କିଛି ଅଞ୍ଚଳରେ ମୃଦୁ ଝଟ୍କା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ତଥ୍ୟ ଅନୁଯାୟୀ, ଆଜି ଭୋର୍ ୫ଟା ୫ ମିନିଟ୍ ୪୬ ସେକେଣ୍ଡରେ ସମୁଦ୍ର ଗର୍ଭରେ ଏହି ଭୂକମ୍ପନ ସୃଷ୍ଟି ହୋଇଥିଲା ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ବେଳେ ବଙ୍ଗୋପସାଗରର ପ୍ରୟ ୧୦ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳୀ ରହିଥିଲା । ସମୁଦ୍ର ଭିତରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳର ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି । ବିଶେଷ କରି ଓଡ଼ିଶାର ବ୍ରହ୍ମପୁରଠାରୁ ୨୮୨ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ପ୍ରାୟ ୩୬୭ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଏହି କେନ୍ଦ୍ରସ୍ଥଳୀ ରହିଥିଲା । ସେହିପରି ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୨୨୭ କିଲୋମିଟର ଏବଂ ରାଜମହେନ୍ଦ୍ରୀଠାରୁ ୨୭୫ କିଲୋମିଟର ଦୂର ସମୁଦ୍ର ଭିତରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା ।

ସମୁଦ୍ର ଗର୍ଭରେ ଭୂକମ୍ପ ହେବା ପରେ ଆନ୍ଧ୍ରପ୍ରଦେଶର ପ୍ରମୁଖ ସହର ବିଶାଖାପାଟଣାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଶାଖାପାଟଣାର ଏମଭିପି କଲୋନୀ, ପେଦାୱାଲତେର, ଗାଜୁୱାକା, ୟେନ୍ଦାଡା ଏବଂ ଆରିଲୋଭା ଭଳି ଅଞ୍ଚଳରେ ଲୋକେ ମୃଦୁ ଝଟ୍କା ଅନୁଭୂତ କରିଥିଲେ । କିଛି ସେକେଣ୍ଡ ପାଇଁ ଘରର ଆସବାବପତ୍ର ହଲିଯିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ତେବେ ଆଶ୍ଵସ୍ତିର କଥା ହେଉଛି, ଭୂକମ୍ପର ତୀବ୍ରତା ମଧ୍ୟମ ଶ୍ରେଣୀର ହୋଇଥିବାରୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ପ୍ରାଣହାନିର ଖବର ହସ୍ତଗତ ହୋଇନାହିଁ । ସେପଟେ ପ୍ରଶାସନ ଏବଂ ପାଣିପାଗ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

Exit mobile version