ମିନିଆପଲିସ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ଫର ଓଡ଼ିଆ କଲଚର (ଏସସିଏମଏଫଓସି) ନିକଟରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍ ( ଓଏସଏ)ର ମିନେସୋଟା ରାଜ୍ୟ ଅନ୍ତର୍ଗତ ମିନିଆପଲିସ ଠାରେ ଅନୁଷ୍ଠିତ ୫୭ତମ ସମ୍ମିଳନୀ ଅବସରରେ ପିଠା ପ୍ରତିଯୋଗିତାର ଆୟୋଜନ କରିଥିଲା । ଓଡ଼ିଆ ବ୍ୟଞ୍ଜନର ବିବିଧତା ଓ ଉପାଦେୟତାକୁ ଭବ୍ୟ ଢଙ୍ଗରେ ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ୨୨ ଜଣ ପ୍ରତିଭାସମ୍ପନ୍ନ ରାନ୍ଧୁଣୀ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ପ୍ରତିଯୋଗୀମାନେ ବିଭିନ୍ନ କିସମର ସ୍ୱାଦିଷ୍ଟ ପିଠା ଯଥା:- ଚିତଉ, ଏଣ୍ଡୁରି, ଆରିସା, କାକରା, ମଣ୍ଡା, ପୋଡ଼ପିଠା, ରଜ ଆମ୍ବପିଠା ଓ ସପ୍ତପୁରୀ ଆଦି ପ୍ରସ୍ତୁତ କରିଥିଲେ। ଓଡ଼ିଶାର ସମୃଦ୍ଧ ଖାଦ୍ୟ ସମ୍ଭାରକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ନେଇ ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀ ସେମାନଙ୍କର ଅସାଧାରଣ ରନ୍ଧନ କୌଶଳ, ଅସାମାନ୍ୟ ସୃଜନଶୀଳତା ଏବଂ ଉତ୍ସର୍ଗୀକୃତ ସମର୍ପଣ ଭାବର ନିଦର୍ଶନ ଦେଖାଇ ଏକ ନିଆରା ଦୃଷ୍ଟାନ୍ତ ସର୍ଜନା କରିଥିଲେ।
ଏଣ୍ଡୁରି ପିଠା ପ୍ରସ୍ତୁତ କରିଥିବା ବିଜୟଲକ୍ଷ୍ମୀ ସେନାପତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ପୋଡ଼ ପିଠା ବନାଇ ଗୋପା ଗୁରୁ ଦ୍ୱିତୀୟ ସ୍ଥାନ ଏବଂ କାକରା ପିଠା ପ୍ରସ୍ତୁତକାରୀ ସୁନୀତା ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଖୁବ୍ ଦକ୍ଷତା ସମ୍ପନ୍ନ ତିନିଜଣିଆ ବିଚାରପତି ଯଥା:- ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଫେସର ଡକ୍ଟର ଅନ୍ନପୂର୍ଣ୍ଣା ପାଣ୍ଡେ ଓ ଡକ୍ଟର ନୀତା ମହାନ୍ତି ପ୍ରମୁଖ ବିଜେତାମାନଙ୍କର ଚୟନ କରିଥିଲେ।
୨୦୧୬ ମସିହାରେ ପ୍ରତିଷ୍ଠିତ ଏବଂ କାଲିଫର୍ଣ୍ଣିଆର ଦୀପ୍ତି ମଲ୍ଲିକଙ୍କ ଦ୍ୱାରା ପରିଚାଳିତ ‘ଶ୍ରୀ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ଫର ଓଡ଼ିଆ କଲଚର’ ଦୀର୍ଘ ବର୍ଷ ଧରି ଆମେରିକାରେ ଓଡ଼ିଆ ବ୍ୟଞ୍ଜନକୁ ପ୍ରୋତ୍ସାହନ ଦେବା ନେଇ ଖୁବ୍ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଆସୁଛି। ପ୍ରତ୍ୟେକ ଓଡ଼ିଆ ପକ୍ଷରେ ପିଠା କେବଳ ଏକ ଖାଦ୍ୟ ନୁହଁ । ଏହା ଆମର ମହାନ ପରମ୍ପରା, ଭାବପ୍ରବଣତା ଓ ପରିଚିତିର ଏକ ଜୀବନ୍ତ ଓ ଜାଜ୍ଜଲ୍ୟମାନ ଉଦାହରଣ । ପିଠା ପ୍ରତ୍ୟେକ ଓଡ଼ିଆକୁ ଏହାର ବାଲ୍ୟକାଳ , ଜେଜେବାପା, ଜେଜେମାଙ୍କର ରୋଷେଇଶାଳା, ଗାଁର ଘର, ରଜ ପର୍ବ,
