ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

ବେଲପଡ଼ା  (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭାଲୁଖାଇ ଗାଁରେ ସୋମବାର ଏକ ପରିତ୍ୟକ୍ତ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମୃତକ ଦୁଇ ଜଣ ହେଲେ ବେଲପଡ଼ା ଥାନା ଖରବାହାଲି ଗାଁର କ୍ଷେତ୍ର ନିଆଲ(୨୪) ଏବଂ ଫୁଲକାନି ଗାଁର କୁବେର ଭାଟି(୨୨) । ଉଭୟଙ୍କ ମୃତଦେହ ଭାଲୁଖାଇ ଗାଁର ଫଗୁନି ମାଝୀଙ୍କ ଜମିରେ ଥିବା ଏକ ପରିତ୍ୟକ୍ତ ଛେଳି ଗୁହାଳ ଭିତରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ କୁବେରଙ୍କ ବାଇକ୍ ମଧ୍ୟ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କୁବେର ଭାଟି ନିଜ ଘରୁ ବାହାରି ଖରବାହାଲି ଗାଁକୁ ଯାଇ କ୍ଷେତ୍ର ନିଆଲଙ୍କ ସହ ମିଶିଥିଲେ । ଏହାପରେ ଉଭୟ କେଉଁଆଡ଼େ ଯାଇଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ରାତି ପର୍ଯ୍ୟନ୍ତ ଦୁହେଁ ନିଜ ନିଜ ଘରକୁ ଫେରିନଥିଲେ । ସୋମବାର ପୂର୍ବାହ୍ନ ପ୍ରାୟ ୧ଟା ସମୟରେ ଭାଲୁଖାଇ-ଶାଗୁନଭାଡ଼ି ରାସ୍ତା ନିକଟରେ ଥିବା ପରିତ୍ୟକ୍ତ ଛେଳି ଗୁହାଳରେ ଦୁଇଟି ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକ ଦେଖିଥିଲେ । ସେମାନେ ପରିବାର ସଦସ୍ୟ ଓ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ବେଲପଡ଼ା ପୋଲିସ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ବଲାଙ୍ଗୀର ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ବିଭିନ୍ନ ଦିଗରୁ ପ୍ରମାଣ ସଂଗ୍ରହ କରି ତଦନ୍ତ ଜାରି ରଖିଛି । ତେବେ ଉଭୟ ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ଏହା ଦୁର୍ଘଟଣା, ହତ୍ୟା ନା ଅନ୍ୟ କୌଣସି କାରଣ ସେନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

Exit mobile version