ରଥଯାତ୍ରା ପାଇଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ରୋଗୀ ସ୍ଥାନାନ୍ତର ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା

ପୁରୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଆସନ୍ତା ପବିତ୍ର ରଥଯାତ୍ରା ୨୦୨୬କୁ ସୁରକ୍ଷିତ, ସୁଚାରୁ ଓ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ପୁରୀ ଏସପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କିତ ଏକ ସମୀକ୍ଷା ହୋଇଥିଲା । ଏହି ସମୀକ୍ଷାରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ , ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ପୁରୀ ପୋଲିସର ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ବୈଠକରେ ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଆବଶ୍ୟକ ପଡ଼ିଲେ କିପରି ତୁରନ୍ତ ଓ ନିରବିଘ୍ନ ଭାବେ ଚିକିତ୍ସା ସେବା ଯୋଗାଇ ଦିଆଯିବ, ସେଥିପାଇଁ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଶେଷକରି ଭିଡ଼ ମଧ୍ୟରୁ ଅସୁସ୍ଥ କିମ୍ବା ଆହତ ଭକ୍ତଙ୍କୁ ଶୀଘ୍ର ଉଦ୍ଧାର କରିବା, ଷ୍ଟ୍ରେଚର ଟିମ୍‌ର ସଠିକ୍ ମୁତୟନ, ଆମ୍ବୁଲାନ୍ସର ତ୍ୱରିତ ଚଳାଚଳ, ଗ୍ରୀନ୍ କରିଡର ସୃଷ୍ଟି ଏବଂ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ ସୁରକ୍ଷିତ ସ୍ଥାନାନ୍ତର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ରଥଯାତ୍ରା ସମୟରେ ସମସ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର, ପ୍ରାଥମିକ ଚିକିତ୍ସା ୟୁନିଟ୍‌, ଆମ୍ବୁଲାନ୍ସ, ଡାକ୍ତରୀ ଦଳ, ନର୍ସିଂ କର୍ମଚାରୀ ଏବଂ ଷ୍ଟ୍ରେଚର ଟିମ୍‌ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଛଡ଼ା ବଡ଼ଦାଣ୍ଡ ଏବଂ ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ ପୋଲିସ, ସ୍ୱାସ୍ଥ୍ୟକର୍ମୀ ଓ ଷ୍ଟ୍ରେଚର ଟିମ୍‌ମାନଙ୍କ ମଧ୍ୟରେ ଦ୍ରୁତ ଯୋଗାଯୋଗ ବ୍ୟବସ୍ଥା,

ୱାୟାରଲେସ୍ ସମନ୍ୱୟ ଓ ରିଅଲ୍-ଟାଇମ୍ ରେସପନ୍ସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ଭକ୍ତମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପାନୀୟ ଜଳ, ଓଆରଏସ୍‌, ପ୍ରାଥମିକ ଚିକିତ୍ସା ସାମଗ୍ରୀ, ପରିଷ୍କାର-ପରିଚ୍ଛନ୍ନତା, ହିଟ୍‌ ଷ୍ଟ୍ରୋକ୍‌, ଡିହାଇଡ୍ରେସନ୍‌ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଥିଲା। ପୁରୀ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସମନ୍ୱୟରେ ରଥଯାତ୍ରା ସମୟରେ ପ୍ରତ୍ୟେକ ଭକ୍ତଙ୍କୁ ଶୀଘ୍ର,

ସୁରକ୍ଷିତ ଏବଂ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଉଛି। ପୁରୀ ପୋଲିସ ସମସ୍ତ ଭକ୍ତଙ୍କୁ ରଥଯାତ୍ରା ସମୟରେ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା, ଅନାବଶ୍ୟକ ଭିଡ଼ ସୃଷ୍ଟି ନ କରିବା ଏବଂ କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ନିକଟସ୍ଥ ପୋଲିସ କର୍ମଚାରୀ, ଷ୍ଟ୍ରେଚର ଟିମ୍ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କୁ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରୁଛି। ସମସ୍ତଙ୍କ ସହଯୋଗରେ ଏକ ସୁରକ୍ଷିତ, ସୁସ୍ଥ ଓ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ କରିବା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Exit mobile version