ପୁରୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀବିହାର, ପୁରୀର ୪୬ତମ ପ୍ରତିଷ୍ଠା ଦିବସ ଆଜି ବିଶ୍ୱବିଦ୍ୟାଳୟ ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷାର ବିଶ୍ୱବ୍ୟାପୀ ଗୁରୁତ୍ୱ, ଭାରତୀୟ ଜ୍ଞାନପରମ୍ପରାରେ ଏହାର ଅବଦାନ ଓ ସଂସ୍କୃତକୁ ସମସ୍ତ ଭାଷାର ଜନନୀ ବୋଲି କହି ଉଦବୋଧନ ଦେଇଥିଲେ। ସେ ରାମାୟଣ ଓ ମହାଭାରତରେ ବର୍ଣ୍ଣିତ ବ୍ରହ୍ମାସ୍ତ୍ର, ପୁଷ୍ପକ ବିମାନ ଭଳି ବିଭିନ୍ନ ବୈଜ୍ଞାନିକ ଓ ରହସ୍ୟମୟ ଧାରଣା ସଂସ୍କୃତ ସାହିତ୍ୟରେ ନିହିତ ରହିଥିବା ବିଷୟରେ ଆଲୋକପାତ କରିଥିଲେ ।
