ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ଜୀବନ ଜୀବିକାର ସଂଘର୍ଷର ଦୁଃଖଦ ପରିଣତି—ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ରଣପୁର (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଜୀବନ ଜୀବିକାର ସନ୍ଧାନରେ ବିଦେଶ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଶେଷରେ ନିଜ ଜନ୍ମମାଟିକୁ ଫେରିଛି। ଏହି ହୃଦୟବିଦାରକ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଗଭୀର ଶୋକର ଛାୟା ସୃଷ୍ଟି କରିଛି । ଗୋପାଳପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ ପରିବାରର ଭରଣପୋଷଣ ପାଇଁ ଦୀର୍ଘ ଦିନ ଧରି ୟୁଏଇରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ । ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆର୍ଥିକ ଦୁର୍ବଳତା ସହ ବିଦେଶରୁ ମୃତଦେହ ଫେରାଇ ଆଣିବାର ଜଟିଳ ଆଇନଗତ ପ୍ରକ୍ରିୟା ଶୋକାକୁଳ ପରିବାର ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା ।

ଏପରି ଦୁଃଖଦ ସମୟରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପରିବାର ପାଖରେ ଛିଡ଼ା ହୋଇଥିଲେ । ସନ୍ତୋଷଙ୍କ ବିୟୋଗ ସମ୍ପର୍କରେ ଜାଣିବା ପରେ ସେ ବ୍ୟକ୍ତିଗତ ଭାବେ ତତ୍ପରତା ପ୍ରକାଶ କରି ବୈଦେଶିକ ମନ୍ତ୍ରାଳୟ, ଭାରତୀୟ ଦୂତାବାସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ସମସ୍ତ ଆଇନଗତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। ଫଳସ୍ୱରୂପ ସୋମବାର ରାତିରେ ସନ୍ତୋଷଙ୍କ ମୃତଦେହ ତାଙ୍କ ଜନ୍ମମାଟି ଗୋପାଳପୁରରେ ପହଞ୍ଚିଥିଲା । ସନ୍ତୋଷଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇପଡ଼ିଛି । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଯଥୋଚିତ ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ଜୋର ଧରିଛି ।

Exit mobile version