ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଚଳିତ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତ ପୁରୀ ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରି ସମସ୍ତଙ୍କୁ ଏକ ସୁଖଦ ଅନୁଭୂତି ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏହାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ସହରକୁ ପ୍ରବେଶ ଓ ପ୍ରସ୍ଥାନ କ୍ଷେତ୍ରରେ ମାଟିଆପଡ଼ା ଆର୍ଓବିର ପ୍ରମୁଖ ଭାଗୀଦାରି ରହିଛି ।
ଏଣୁ ଚଳିତ ରଥଯାତ୍ରା ପୂର୍ବରୁ ମାଟିଆପଡ଼ା ଆର୍ଓବିର ନିର୍ମାଣ କାର୍ଯ୍ୟ ଶେଷ କରି ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିୟମିତ ପୁରୀ ଗସ୍ତ କରି କାର୍ଯ୍ୟର ଅଗ୍ରଗତି ଓ ସ୍ଥିତିର ସମୀକ୍ଷା କରୁଛନ୍ତି । ଏହି କ୍ରମରେ ଗତକାଲି ସଚିବ ଶ୍ରୀ ସିଂହ ମାଟିଆପଡ଼ା ଗସ୍ତ କରି ନିର୍ମାଣ ସ୍ଥଳୀ ପରିଦର୍ଶନ କରିବା ସହ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ବୋ-ଷ୍ଟିଙ୍ଗ୍ ଗାର୍ଡରର ଲଞ୍ଚିଂ କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହୋଇଥିବାବେଳେ ବୋ-ଷ୍ଟିଙ୍ଗ୍ ଗାର୍ଡର ଉପରେ ଡେକ୍ ସ୍ଲାବ୍ କାଷ୍ଟିଂ କାର୍ଯ୍ୟକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ସଚିବ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଅବଶିଷ୍ଟ ଗୋଟିଏ ପିଏସ୍ସି ଗାର୍ଡର ସ୍ପାନ୍ର ଲଞ୍ଚିଂ ଏବଂ ଡେକ୍ ସ୍ଲାବ୍ କାଷ୍ଟିଂ ଶୀଘ୍ର ଶେଷ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ରଥଯାତ୍ରା ପୂର୍ବରୁ ଆର୍ଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଆର୍ଓବି ସ୍ଥଳକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ମୁଖ୍ୟଯନ୍ତ୍ରୀ (ଜାତୀୟ ରାଜପଥ), ଅଧୀକ୍ଷଣ ଯନ୍ତ୍ରୀ (ଏନ୍ଏଚ୍ ଡିଭିଜନ୍) ଏବଂ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀମାନେ ଉପସ୍ଥିତ ଥିଲେ ।
